ଆବେଦନକାରୀ ନିରାଶ: ରାଫେଲ୍‌ ଡିଲ୍‌ର ଦର ଓ ସିବିଆଇ ତଦନ୍ତକୁ ସୁପ୍ରିମକୋର୍ଟଙ୍କ ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ଆବେଦନକାରୀ ନିରାଶ: ରାଫେଲ୍‌ ଡିଲ୍‌ର ଦର ଓ ସିବିଆଇ ତଦନ୍ତକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ: ଫ୍ରାନ୍ସ ସହ ରାଫେଲ୍‌ ଯୁଦ୍ଧ ବିମାନ ଡିଲକୁ ନେଇ ବିରୋଧୀଙ୍କ ହୋହଲ୍ଲା ଓ କିଛି ବରିଷ୍ଠ ଆଇନ୍‌ଜୀବୀଙ୍କ ଆବେଦନ ମଧ୍ୟରେ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରୁଲିଂ ଦେଇଛନ୍ତି। ଆବେଦନକାରୀଙ୍କୁ ନିରାଶ କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଦୀର୍ଘ ୫ ଘଣ୍ଟାର ଶୁଣାଣି ପରେ ସିବିଆଇ ତଦନ୍ତ ଦାବିକୁ ଅଗ୍ରାହ୍ୟ କରିଛନ୍ତି।

ଏଥିସହ ଦେଶର ସୁରକ୍ଷା ପାଇଁ କୌଣସି ସ୍ଥିତିରେ ମଧ୍ୟ ରାଫେଲ୍‌ ଯୁଦ୍ଧ ବିମାନର ଦର ସାର୍ବଜନୀନ ହୋଇପାରିବ ନାହିଁ ବୋଲି କହିଛନ୍ତି। ଜଷ୍ଟିସ୍‌ ଗୋଗୋଇଙ୍କ ବ୍ୟତୀତ ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ଏସ୍‌କେ କୌଲ ଓ ଜଷ୍ଟିସ୍‌ କେଏମ୍‌ ଯୋଜେଫ୍‌ ରହିଥିଲେ।

ଫ୍ରାନ୍ସଠାରୁ ଭାରତ ସରକାର ୩୬ଟି ଯୁଦ୍ଧ ବିମାନ କିଣିବା ପାଇଁ ଯେଉଁ ଡିଲ୍‌ କରିଛନ୍ତି, ସେଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ବରିଷ୍ଠ ଆଇନ୍‌ଜୀବୀ ପ୍ରଶାନ୍ତ ଭୂଷଣ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ସୌରୀ ଏବଂ ଯଶବନ୍ତ ସିହ୍ନା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ସୋମବାର ଏକ ବନ୍ଦ ଲଫାଫାରେ ୧୪ ପୃଷ୍ଠା ସମ୍ବଳିତ ଦସ୍ତାବିଜ୍‌ରେ ରାଫେଲ୍‌ ଯୁଦ୍ଧ ବିମାନ ଡିଲ୍‌ର ଦର ଓ ବିସ୍ତୃତ ତଥ୍ୟ ଦେଇଥିଲେ। ଆଜି ଏହା ଉପରେ ମାରାଥନ ଶୁଣାଣି ହୋଇଥିଲା।

ଶୁଣାଣି ଆରମ୍ଭରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ନାନା ପ୍ରକାରର ଅଭିଯୋଗ କେନ୍ଦ୍ର ସରକାରଙ୍କ ଉପରେ ଲଗାଇଥିଲେ। ପୂର୍ବ ସରକାର କରିଥିବା ରାଫେଲ୍‌ ଡିଲ୍‌ ତୁଳନାରେ ବର୍ତ୍ତମାନର ଏନ୍‌ଡିଏ ସରକାର ୪୦% ଅଧିକ ଦାମରେ ବିମାନ କିଣିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଏହାକୁ କାହିଁକି ସାର୍ବଜନୀନ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଥିଲେ।

କେନ୍ଦ୍ର ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଟର୍ଣ୍ଣି ଜେନେରାଲ୍‌ କେକେ ଭେନୁଗୋପାଲ୍‌ ଏହାକୁ ନେଇ ଶ୍ରୀ ଭୁଷଣଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ। ଯଦି ଏଭଳି ତଥ୍ୟ ଶ୍ରୀ ଭୂଷଣଙ୍କ ପାଖରେ ରହିଛି, ତା’ହେଲେ ଏହାକୁ ସେ ସାର୍ବଜନୀନ କରନ୍ତୁ ବୋଲି କହିଥିଲେ। ଦେଶର ସୁରକ୍ଷା ଦୃଷ୍ଟିରୁ ଏହାର ଦର ଏବଂ ନିର୍ମାଣ ଶୈଳୀ ସାର୍ବଜନୀନ ହୋଇପାରିବ ନାହିଁ ବୋଲି ସେ କହିଥିଲେ।

ଏହି ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଶ୍ରୀ ଭୂଷଣ ଦେଇଥିବା ଦସ୍ତାବିଜ୍‌ରେ କିଛି ତ୍ରୁଟି ଥିବା ଅନୁଭବ କରିଥିଲେ। ସେ କହିଥିଲେ, “ ଭୂଷଣ ମହାଶୟ ଆପଣ ଆଦୌ ତରତର ହୁଅନ୍ତୁ ନାହିଁ। ଯାହା କହୁଛନ୍ତି ଏବଂ କରୁଛନ୍ତି ସେସବୁ ଭାବିଚିନ୍ତି କରନ୍ତୁ।” ଏହା ଶୁଣିବା ପରେ ଶ୍ରୀ ଭୂଷଣ ନିଜର ତ୍ରୁଟି ସ୍ୱୀକାର କରିବା ସହ କ୍ଷମା ମଧ୍ୟ ମାଗିଥିଲେ।

ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ପଚାରିଥିଲେ, ୨୦୧୫ରେ କ’ଣ ପାଇଁ ଅଫସେଟ୍‌ ପାର୍ଟନର ନିୟମକୁ ବଦଳାଗଲା? ଏଥିରେ ଦେଶ ସ୍ୱାର୍ଥ କ’ଣ ସାଧିତ ହେଲା? ଯଦି ଅଫ୍‌ଶେଟ୍‌ ପାର୍ଟନର ଫେରାର ହୋଇଗଲେ? ଏହାର ଉତ୍ତରରେ ଭେନୁଗୋପାଲ କହିଥିଲେ, ଫ୍ରାନ୍ସର ଡାସଲ୍ଟ ଏଭିଏସନ୍‌ କମ୍ପାନୀ ଏଯାଏ ଅଫ୍‌ସେଟ୍‌ ପାର୍ଟନର ସମ୍ପର୍କରେ ବିସ୍ତୃତ ତଥ୍ୟ ଭାରତ ସରକାରଙ୍କୁ ଦେଇନାହିଁ।

ଆଜି ଶୁଣାଣି ଆରମ୍ଭ ହେବା କ୍ଷଣି ବରିଷ୍ଠ ଆଇନ୍‌ଜୀବୀ ଏମ୍‌ଏଲ୍‌ ଶର୍ମା ସିବିଆଇ ତଦନ୍ତ ଦାବି କରିଥିଲେ। ସେ କହିଥିଲେ, କେନ୍ଦ୍ର ସରକାର ରାଫେଲ୍‌ ଡିଲ୍‌ ସମ୍ପର୍କରେ ଯେଉଁ ତଥ୍ୟ ଦେଇଛନ୍ତି, ସେଥିରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇପଡ଼ୁଛି। ଏଥିସହ ଏହାର ଶୁଣାଣି ୫ ଜଣିଆ ଖଣ୍ତପୀଠକୁ ମଧ୍ୟ ପଠାଯାଉ ବୋଲି ସେ ଦାବି କରିଥିଲେ।

ଆପ୍‌ ନେତା ସଞ୍ଜୟ ସିଂହ କରିଥିବା ଆବେଦନକୁ ପରିଚାଳନା କରୁଥିବା ବରିଷ୍ଠ ଆଇନ୍‌ଜୀବୀ କହିଥିଲେ, ୩୬ ରାଫେଲ ଯୁଦ୍ଧ ବିମାନର ଦର ସଂସଦରେ ଦୁଇଥର ସରକାର ସାର୍ବଜନୀନ କରିଛନ୍ତି। କିନ୍ତୁ ସାଧାରଣ ଲୋକଙ୍କୁ ଏହା ନ ଜଣାଇବା ଆଦୌ ଗ୍ରହଣୀୟ ନୁହେଁ।

ଅରୁଣ ସୌରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନ୍‌ଜୀବୀ ପ୍ରଶାନ୍ତ ଭୂଷଣ କହିଥିଲେ, ରାଫେଲ୍‌ ଯୁଦ୍ଧ ବିମାନର ଦରକୁ ନେଇ କୌଣସି ଗୁପ୍ତ ବୁଝାମଣା କେବେ ହୋଇନଥିବ। ସରକାର କେବଳ ମିଥ୍ୟା ଦସ୍ତାବିଜ ଦାଖଲ କରି ଦରକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ପୂର୍ବ ସରକାର ଯେତିକି ଟଙ୍କାର ଡିଲ୍‌ କରିଥିଲେ, ତା’ଠାରୁ ଅଧିକ ୪୦% ଦରରେ ବର୍ତ୍ତମାନର ସରକାର ରାଫେଲ୍‌ ଯୁଦ୍ଧ ବିମାନ କିଣୁଛନ୍ତି।

ଏଥିରେ କିଛି ତ୍ରୁଟି ଥିବା ଅନୁଭବ କରି ଜଷ୍ଟିସ୍‌ ଗୋଗୋଇ ଶ୍ରୀ ଭୂଷଣଙ୍କୁ ତାଗିଦ୍‌ କରିଥିଲେ। ଏଥିସହ ଭେନୁଗୋପାଲ୍‌ ମଧ୍ୟ ଶ୍ରୀ ଭୂଷଣଙ୍କୁ ଏ ତଥ୍ୟ କେଉଁଠୁ ପାଇଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ।

ଏହି ସମୟରେ ଜଷ୍ଟିସ୍‌ ଗୋଗୋଇ କହିଥିଲେ, ଆମେ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଥିବା ରାଫେଲ୍‌ ସମ୍ପର୍କରେ ଶୁଣାଣି କରୁଛୁ। ତେଣୁ ବାୟୁସେନାର ବିଶେଷଜ୍ଞଙ୍କୁ ଏଠାରେ ନିଜର ପକ୍ଷ ରଖିବାକୁ ପଡ଼ିବ।

ଏ ସମୟରେ ଗୋଗୋଇ କହିଥିଲେ, ରାଫେଲ୍‌ ଡିଲ୍‌ର ଦାମ କୌଣସି ପ୍ରକାରର ସାର୍ବଜନୀନ ହୋଇପାରିବ ନାହିଁ। ଆମେ ଯେତେବେଳେ କହିବୁ, ସେତେବେଳେ ହିଁ ଏହାର ଦର ସାର୍ବଜନୀନ ହେବ।

ଏହି ସମୟରେ ଲଞ୍ଚ ବ୍ରେକ୍‌ ହୋଇଥିଲା। ଲଞ୍ଚ ବ୍ରେକ୍‌ ପରେ ବାୟୁସେନାର ମାର୍ଶାଲ ଓ ଭାଇସ୍‌ ମାର୍ଶାଲ ଉପସ୍ଥିତ ରହି ନିଜର ପକ୍ଷ ରଖିଥିଲେ। ସେମାନେ କହିଥିଲେ, ଭାରତୀୟ ସେନାକୁ ରାଫେଲ୍‌ ଭଳି ଯୁଦ୍ଧ ବିମାନ ଦରକାର।

୧୯୮୫ ଠାରୁ ବାୟୁସେନାରେ କୌଣସି ପ୍ରକାରର ନୂଆ ଯୁଦ୍ଧ ବିମାନ ସାମିଲ ହୋଇନାହିଁ। କିଛି ବର୍ଷ ତଳେ ସୁଖୋଇ-୩୦ ବାୟୁସେନାରେ ସାମିଲ ହୋଇଥିଲା। ଏବେ ୪ ପ୍ଲସ୍‌ ଜେନେରେସନ୍‌ର ବିମାନ ଦରକାର। ତେଣୁ ରାଫେଲ ଏହାର ଆବଶ୍ୟକତା ପୂରଣ କରିପାରିବ।

ଜଷ୍ଟିସ୍‌ ଗୋଗୋଇ କହିଥିଲେ, ଆପଣମାନେ ଏବେ ଯାଇପାରନ୍ତି। କୋର୍ଟ ରୁମ୍‌ରେ କିଛି ଅଲଗା ପ୍ରକାରର ଯୁଦ୍ଧ ଚାଲିଛି। ଆପଣ ପ୍ରକୃତ ଯୁଦ୍ଧ ରୁମ୍‌କୁ ଯାଆନ୍ତୁ।

ଏହାପରେ କେନ୍ଦ୍ର ସରକାର କହିଥିଲେ, ଫ୍ରାନ୍ସ ସରକାର ୩୬ଟି ଯୁଦ୍ଧ ରାଫେଲ୍‌ ବିମାନ କେମିତି କାମ କରିବ, ତା’ର ଗ୍ୟାରେଣ୍ଟି ଦେଇନାହାନ୍ତି ବୋଲି ସ୍ୱୀକାର କରିଥିଲେ। ଆଟର୍ଣ୍ଣି ଜେନରେଲା କହିଥିଲେ, ଡାସଲଟ୍‌ ତା’ର ଅଫସେଟ୍‌ ପାର୍ଟନର ସମ୍ପର୍କରେ କୌଣସି ସୂଚନା ଦେଇନାହିଁ। ଡାସଲଟ୍‌ ତା’ର ଅଫସେଟ୍‌ ପାର୍ଟନର ନିଜେ ଚୟନ କରିଛି।

ଏହାପରେ ସୁପ୍ରିମକୋର୍ଟ ନିଜର ରାୟ ସଂରକ୍ଷିତ ରଖିଥିଲେ।



from Odisha Reporter https://ift.tt/2B7uom1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages