
ଆଣ୍ଟିଗୁଆ: ମହିଳା ବିଶ୍ୱକପ୍ ସେମିଫାଇନାଲ୍ ମାତ୍ର ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ। ୱେଷ୍ଟଇଣ୍ଡିଜ୍ର ଆଣ୍ଟିଗୁଆର ସାର୍ ଭିଭିଆନ ରିଚାର୍ଡସ୍ ଷ୍ଟାଡିୟମରେ ସ୍ଥାନୀୟ ସମୟ ୪ଟାରୁ ମହିଳାଙ୍କ ସେମିଫାଇନାଲ୍ ଆରମ୍ଭ ହେବ।
ପ୍ରଥମେ ଅଷ୍ଟ୍ରେଲିଆ ଓ ଘରୋଇ ଇଣ୍ଡିଜ୍ ଟିମ୍ ଫାଇନାଲ୍ ପାଇଁ ଲଢ଼େଇ କରିବେ। ଏହାପରେ ସ୍ଥାନୀୟ ସମୟ ୮ଟାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ହେବ। ତେବେ ଭାରତୀୟ ସମୟ ଶୁକ୍ରବାର ଭୋର୍ ୫.୩୦ରେ ଏହା ଷ୍ଟାରସ୍ପୋର୍ଟସ ନେଟୱର୍କରେ ସିଧା ପ୍ରସାରଣ ହେବ।
ତେଣୁ ଏହି ମ୍ୟାଚ୍ ଦେଖିବା ସହ ଭାରତୀୟ ମହିଳା ଦଳକୁ ଚିୟର କରିବା ପାଇଁ ହେଲେ କ୍ରିକେଟପ୍ରେମୀଙ୍କୁ ଭୋର୍ରୁ ଉଠିବାକୁ ପଡ଼ିବ।

ହରମନପ୍ରୀତ କୌରଙ୍କ ଭାରତୀୟ ଦଳ ଗ୍ରୁପ୍ ପର୍ଯ୍ୟାୟରେ ଅପରାଜେୟ ରହିଛି। ଦଳ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ଭଳି ଦଳକୁ ହରାଇ ସେମି ଫାଇନାଲ୍ରେ ପ୍ରବେଶ କରିଛି। ତେଣୁ ଦଳ ସେମିଫାଇନାଲ୍ରେ ନିଶ୍ଚିତ ଭଲ କରିବ ବୋଲି ଫ୍ୟାନ୍ମାନେ ଆଶା କରିଛନ୍ତି।
ଦଳ ୨୦୧୭ ଦିନିକିଆ ବିଶ୍ୱକପ୍ ଫାଇନାଲ୍ରେ ମଧ୍ୟ ପ୍ରବେଶ କରିଥିଲା। ହେଲେ ଏଠାରେ ଦଳକୁ ଇଂଲଣ୍ଡ ମାତ୍ ଦେଇ ବିଶ୍ୱ ବିଜେତା ହୋଇଥିଲା। ତେଣୁ ଏହାର ପ୍ରତିଶୋଧ ନେବାକୁ ଟିମ୍ ଇଣ୍ଡିଆ ପାଖରେ ସୁଯୋଗ ରହିଛି।
ଦଳରେ ମିତାଲି ରାଜ, ସ୍ମୃତି ମନ୍ଧାନା ଓ ହରମନପ୍ରୀତ କୌରଙ୍କ ଭଳି ବ୍ୟାଟସ୍ମ୍ୟାନ୍ ରହିଛନ୍ତି। ବର୍ତ୍ତମାନ ହରମନପ୍ରୀତ ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଅଧିକ ରନ୍ ହାସଲକାରୀ ଖେଳାଳିର ମାନ୍ୟତା ପାଇଛନ୍ତି। ସେ ୧୭୭ ହାରରେ ୧୬୭ ରନ୍ କରିଛନ୍ତି। ସ୍ମୃତି ମନ୍ଧାନା ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ୮୩ ରନ୍ର ଇନିଂସ୍ ଖେଳିଥିଲେ।

ସେହିପରି ବୋଲିଂ ଲାଇନ୍ ଅପ୍ରେ ପୁନମ ଯାଦବ, ରାଧା ଯାଦବ, ଦୀପ୍ତି ଶର୍ମା ଓ ହେମଲତା ରହିଛନ୍ତି। ପୁନମ ୮ଟି ୱିକେଟ୍ ନେଇଥିବା ବେଳେ ରାଧା ୭ଟି ୱିକେଟ୍ ନେଇ ଟୁର୍ଣ୍ଣାମେଣ୍ଟରେ ନିଜର ଦବଦବା ପ୍ରଦର୍ଶନ କରିଛନ୍ତି।
ଅନ୍ୟପକ୍ଷରେ ଇଂଲଣ୍ଡ ମଧ୍ୟ କୌଣସି ଗୁଣରେ କମ୍ ନାହିଁ। ବିଶେଷ କରି ଇଂଲଣ୍ଡର ବୋଲିଂ ଟୁର୍ଣ୍ଣାମେଣ୍ଟରେ ବେଶ ପ୍ରଭାବୀ ରହିଛି। ତେଣୁ ସେମିଫାଇନାଲ୍ରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଅପ୍ ଓ ଇଂଲଣ୍ଡର ବୋଲିଂ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।
from Odisha Reporter https://ift.tt/2zollf5
No comments:
Post a Comment