
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ମଦ ବିରୋଧରେ ଆନ୍ଦୋଲନ ଚାଲିଛି। କେଉଁଠି ମଦ ଦୋକାନକୁ ବିରୋଧ ତ ଆଉ କେଉଁଠି ନିଶା ନିବାରଣ ପାଇଁ ଶୋଭାଯାତ୍ରା। ଢେଙ୍କାନାଳ ବଳରାମପୁରରେ ପ୍ରସ୍ତାବିତ ବିୟର୍ ବଟ୍ଲିଂ ପ୍ଲାଣ୍ଟ ପାଇଁ ବଳି ପଡ଼ିଲା ଶହ ଶହ ଗଛ। ଏହାକୁ ନେଇ ସରକାର ହରଡ଼ଘଣାରେ ମଧ୍ୟ ପଡ଼ିଲେ। ବିଭିନ୍ନ ମହଲରୁ ସମାଲୋଚନା ପରେ ବଟଲିଂ ପ୍ଲାଣ୍ଟ ପ୍ରତିଷ୍ଠା ହେବ ନାହିଁ ବୋଲି ଘୋଷଣା କଲେ। ଏତେ ସବୁ ପରେ ମଧ୍ୟ ରାଜ୍ୟ ସରକାରଙ୍କ ମଦ ରାଜସ୍ୱ ପ୍ରୀତି କମୁନାହିଁ। ଏହାର ପ୍ରମାଣ ହେଉଛି ମଦ ବିକ୍ରି ପାଇଁ ପୂର୍ବରୁ ଥିବା ବନ୍ଦ ସମୟକୁ ବଢ଼ାଇଛି ଅବକାରୀ ବିଭାଗ।
ସୟମ ବଢ଼ାଇବା ପାଇଁ ଓଡିଶା ଅବକାରୀ ନିୟମାବଳୀରେ ସଂଶୋଧନ କରାଯାଇଛି। ସଂଶୋଧିତ ନିୟମ ଅନୁସାରେ ଏଣିକି ଜାତୀୟ କିମ୍ବା ଅନ୍ତର୍ଜାତୀୟସ୍ତରର ମେଗା ଇଭେଣ୍ଟ ହେଲେ ସେହି ସମୟରେ ମଦ ଦୋକାନ ଖୋଲା ରହିବା ସମୟକୁ ବଢାଯିବ। ଅନ୍ ଶପ୍, ବାର୍ ଆଦି ସ୍ଥାନରେ ଦିନ ୧୨ଟାରୁ ରାତି ୧.୩୦ ପର୍ଯ୍ୟନ୍ତ ମଦ ବିକ୍ରି ହୋଇପାରିବ। ପୂର୍ବରୁ ରାତି ୧୨ଟା ଯାଏ ମଦ ବିକ୍ରି ବ୍ୟବସ୍ଥା ଥିଲା।।
ହକି ବିଶ୍ୱକପ୍ ଦୃଷ୍ଟିରୁ ବର୍ତ୍ତମାନ ଏହା କେବଳ ଭୁବନେଶ୍ୱରରେ ଲାଗୁ ହୋଇଛି। ୨୦ ନଭେମ୍ବରରୁ ୨୦ ଡିସେମ୍ବର ପର୍ଯ୍ୟନ୍ତ ଅନ୍ ଶପ୍ ଓ ବାର୍ ରାତି ଦେଢ଼ଟା ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ଅବକାରୀ ବିଭାଗ, ଅବକାରୀ କମିଶନରଙ୍କୁ ଚିଠି ଲେଖିଛି। ରାଜ୍ୟର ୫ ମହାନଗର ସମେତ ପୁରୀ ସହରରେ କୌଣସି ମେଗା ଇଭେଣ୍ଟ ହେଲେ ସେଠାରେ ବି ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି।
ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, “କେବଳ ହକି ଖେଳ ପାଇଁ ଏହି ନିୟମ କରାଯାଇଛି। ମେଗା ଇଭେଣ୍ଟର ଆବଶ୍ୟକତା ପାଇଁ ଏପରି କରାଯାଇଛି।”
ସରକାରଙ୍କ ଏହି କୋହଳ ନିୟମକୁ ନିଶା ନିବାରଣ ସଂଘ ବିରୋଧ କରିଛି। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ସଭାପତି ପଦ୍ମଚରଣ ନାୟକ କହିଛନ୍ତି, “ଏ ନିଷ୍ପତ୍ତି ଠିକ୍ ନୁହେଁ। ଲୋକମତରେ ସରକାର ଚାଲିନାହିଁ। କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ହାତରେ ସରକାର ଚାଲିଛି। ସେମାନେ ଯାହା ଇଚ୍ଛା ତାହା କରୁଛନ୍ତି। ଏହା ଫଳରେ ଖରାପ ଦୃଷ୍ଟାନ୍ତ ସୃଷ୍ଟି ହେଉଛି।”
କେବଳ ମଦ ବିରୋଧୀ ଅଭିଯାନ ସଂଗଠନ ନୁହଁନ୍ତି ବିରୋଧୀ ଦଳମାନେ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଛନ୍ତି।
ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, “ଖେଳ ସରିବା ପରେ ସେମାନେ (ଖେଳାଳି ଓ ମ୍ୟାନେଜିଂ ଅଧିକାରୀ) ଯେଉଁ ସ୍ଥାନରେ ରହିବେ ସେଠି ବି ମନୋରଞ୍ଜନ ହୋଇପାରିବ। ସେମାନେ ରେଷ୍ଟୁରାଣ୍ଟରେ ବସି ପାରିବେ। ସାମୂହିକ ଭାବେ ଏକଥା କରିବାର ମାନେ କ’ଣ ? ଗୋଟିଏ ପଟେ ବିୟର ଫ୍ୟାକ୍ଟ୍ରି ବନ୍ଦ କରିବାର ନାଟକ କରୁଛନ୍ତି, ଆଉ ଗୋଟେ ରାତିରେ ମଦ ପିଇ ଲୋକେ କେମିତି ମାତାଲ ହୋଇ ବୁଲିବେ ତା’ର ଯୋଜନା କରୁଛନ୍ତି।”
ପିସିସି ଏସ୍ସି ସେଲ୍ ଅଧ୍ୟକ୍ଷ ବିଭୂପ୍ରସାଦ ତରାଇ କହିଛନ୍ତି, “ହକି ବିଶ୍ୱକପ୍ ଆଳରେ ମଦ ଦୋକାନୀଙ୍କ ଅଧିକ ମଦ ବିକ୍ରି ହେବ। ପରେ ମଦ ମାଫିଆଙ୍କଠାରୁ ଅର୍ଥ ନେଇ ନିର୍ବାଚନୀ ପାଣ୍ଠି ଯୋଗାଡ଼ କରିବା ହେଉଛି ବିଜେଡିର ଆଭିମୁଖ୍ୟ।”
ସୂଚନାଯୋଗ୍ୟ, ମଦ କାରବାରରୁ ରାଜ୍ୟ ସରକାର ବର୍ଷକୁ ପାଖାପାଖି ୩ହଜାର କୋଟି ଟଙ୍କାରୁ ଅଧିକ ରାଜସ୍ୱ ପାଉଛନ୍ତି। ଏବେ ମେଗା ଇଭେଣ୍ଟ ନାଁରେ ମଦ କାରବାରକୁ ପ୍ରୋତ୍ସାହନ ଦେଇଥିବା ଅଭିଯୋଗ ଉଠିବା ପରେ ମଦ ବିରୋଧୀ ଆନ୍ଦୋଳନ ତେଜିବାର ଆଶଙ୍କା ଦେଖାଦେଇଛି।
from Odisha Reporter https://ift.tt/2FO1RX5
No comments:
Post a Comment