
ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ବିହାରର ମୁଜାଫରପୁରସ୍ଥିତ ସେଲ୍ଟର୍ ହୋମ୍ର ନୃଶଂସ କାଣ୍ଡ ଭଳି ଢେଙ୍କାନାଳରେ ସାମ୍ନାକୁ ଆସିଛି ଯୌନ ଶୋଷଣର ସେହିଭଳି ଏକ ସାଂଘାତିକ ଅଭିଯୋଗ। ଅତି ଲଜ୍ଜାଜନକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାର ବେଲଟିକିରିସ୍ଥିତ ବେଆଇନ୍ ସେଲ୍ଟର୍ ହୋମ୍ ‘ଡ୍ରିମ୍ ସେଣ୍ଟର’ରେ। ସେଠାରେ ରହୁଥିବା ନାବାଳିକାମାନଙ୍କୁ ଦିଆଯାଉଥିଲା ଯୌନ ନିର୍ଯାତନା। ଜଣେ କି ଦୁଇ ଜଣ ନୁହେଁ, ଏକାଧିକ ନାବାଳିକା ଅନ୍ତେବାସୀଙ୍କୁ ଶୋଷଣ କରାଯାଉଥିଲା। ଏହି ଜଘନ୍ୟ କାଣ୍ଡର ମୁଖ୍ୟ ଖଳନାୟକ ପୁଣି ଆଉ କେହି ନୁହେଁ, ନିଜେ ସେଲ୍ଟର ହୋମ୍ର ଇନ୍ଚାର୍ଜ।
ପୀଡ଼ିତା ଅନ୍ତେବାସିନୀଙ୍କ ଅଭିଯୋଗ ହେଲା, ଦୀର୍ଘ ୨ ବର୍ଷ ଧରି ସେଲ୍ଟର ହୋମ୍ର ଇନ୍ଚାର୍ଜ ସୀମାଞ୍ଚଳ ନାୟକ ଏଭଳି ଶୋଷଣ କରିଆସୁଥିଲା। କିନ୍ତୁ ଭୟ ଆଉ ଲଜ୍ଜାରେ ଘଟଣା ସମ୍ପର୍କରେ ମୁହଁ ଖୋଲୁନଥିଲେ ବୋଲି କହିଛନ୍ତି ଏହି ସେଲ୍ଟର ହୋମ୍ରେ ଥିବା କିଶୋରୀମାନେ।
ଜଣେ ଅନ୍ତେବାସିନୀ କହିଛନ୍ତି- “୨୦୦୮ ମହିସହାରୁ ମୁଁ ଏଠାରେ ରହି ଆସୁଛି। ବର୍ତ୍ତମାନ ଯୁକ୍ତ ଦୁଇରେ ପଢ଼ୁଛି। ଆଗରୁ ଯେଉଁ ସାର୍ ଥିଲେ ସେ ବହୁତ ଭଲ ଥିଲେ। ସିଏ ଗଲା ପରେ ଆସିଥିବା ଆଉ ଜଣେ ସାର୍ ଆମକୁ ଦୁର୍ବ୍ୟବହାର କରୁଛନ୍ତି। ଗାଳି ଦେଉଛନ୍ତି ଓ କଦର୍ଯ୍ୟ ବ୍ୟବହାର କରୁଛନ୍ତି।”
ଆଉଜଣେ ଅନ୍ତେବାସିନୀ ଅଭିଯୋଗ କରିଛନ୍ତି-“୧୧ ବର୍ଷ ହେଲା ମୁଁ ଏଠାରେ ରହି ପାଠ ପଢ଼ୁଛି। ସାର୍ ଆମଙ୍କୁ ମାଡ଼ ମାରିବା ସହିତ କଦର୍ଯ୍ୟ ବ୍ୟବହାର ଦେଖାଉଛନ୍ତି। ଏ ସମ୍ପର୍କରେ ଆମେ ସାର୍ଙ୍କ ମାଡ଼ାମଙ୍କୁ କହିଥିଲୁ। ମାତ୍ର ମାଡ଼ାମ ଆମ କଥା ଶୁଣିଲେ ନାହିଁ। ସେଥିପାଇଁ ଦୁଇଟି ଝିଅ ବାହାରିଗଲେ। ଏବେ ଏଠାରେ ଆମକୁ ନ୍ୟାୟ ଦରକାର।”
‘ଡ୍ରିମ୍ ସେଣ୍ଟର’ ମୁଖ୍ୟ ହେଉଛନ୍ତି ‘ଫୟାଜ୍ ରେହମାନ’ ନାମକ ଜଣେ ବ୍ୟକ୍ତି। ସେ କୁଆଡ଼େ ବିଦେଶରେ ରହୁଛନ୍ତି। ଯାହାଙ୍କୁ ‘ଡାଡି’ ବୋଲି ସମ୍ବୋଧନ କରନ୍ତି ଏହି ସେଲ୍ଟର ହୋମର ନୀରିହ ଅନ୍ତେବାସୀମାନେ। ୨୦୧୨ ମସିହାରେ ଏହି ସେଲ୍ଟର ହୋମ୍ ଢେଙ୍କାନାଳ ସହରରେ ଚାଲିଥିଲା। ତେବେ ଜିଲ୍ଲା ପ୍ରଶାସନ ଏହାକୁ ବେଆଇନ ଘୋଷଣା କରି ୨୦୧୫ରେ ବନ୍ଦ କରିଦେଇଥିଲା। ଏନେଇ ହାଇକୋର୍ଟରେ ମଧ୍ୟ ମାମଲା ବିଚାରାଧୀନ ରହିଛି। ଏହାସତ୍ତ୍ୱେ ୨୦୧୬ରେ ଢେଙ୍କାନାଳ ନିକଟ ବେଲଟିକିରି ନାମକ ସ୍ଥାନର ଏକ ନିର୍ଜନ ଅଞ୍ଚଳରେ ଗଢ଼ି ଉଠିଥିଲା ଏହି ସେଲ୍ଟରର୍ ହୋମ୍। ଯେଉଁଥିରେ ରହୁଛନ୍ତି ୫୪ ଜଣ ନାବାଳିକା ଓ ୪୦ ଜଣ ନାବାଳକ। ତେବେ ଗତ ପ୍ରାୟ ୨ ବର୍ଷ ଧରି ସମସ୍ତଙ୍କୁ ଶୋଷଣ ଓ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ବର୍ତ୍ତମାନ ସାମ୍ନାକୁ ଆସିଛି। ଏହି ଘଟଣା ପରେ ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଶିଶୁ ମଙ୍ଗଳ କମିଟି ମିଳିତ ଭାବେ ଚଢ଼ଉ କରିଛି। ତା’ସହ ସଦର ଥାନାରେ ଏତଲା ଦେଇଛନ୍ତି ଶିଶୁ ସୁରକ୍ଷା ଅଧିକାରୀ।
ତେବେ କିଏ ସେହି ସେଲ୍ଟର୍ ହୋମ୍ର ମୁଖ୍ୟ ଫୟାଜ୍ ରେହମାନ୍? ଗତ ୨ ବର୍ଷ ଧରି ଏଭଳି ନିର୍ଯାତନା ଦିଆଯାଉଥିଲେ ବି କାହିଁକି ସେ ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ନେଇନାହାନ୍ତି? ନା ଜାଣିଶୁଣି ଘଟଣାକୁ ଘଣ୍ଟ ଘୋଡ଼ା ଯାଇଛି ? ସଂପୃକ୍ତ ସଂସ୍ଥାକୁ ବେଆଇନ୍ ଘୋଷଣା କରିଥିବା ଜିଲ୍ଲା ପ୍ରଶାସନ କେମିତି ଏ ସମ୍ପର୍କରେ ସୂଚନା ପାଇପାରି ନଥିଲା?
from Odisha Reporter https://ift.tt/2E2DjHS
No comments:
Post a Comment