
ନୂଆଦିଲ୍ଲୀ: କେତେକ ସାଧାରଣ ମଣିଷଙ୍କ ପାଖରେ ଏପରି କିଛି ଅସାଧାରଣ ଦକ୍ଷତା ଓ ନିଷ୍ଠା ଥାଏ, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥାଏ। ଏହିପରି ଜଣେ ପ୍ରେରଣାଦାୟୀ ସାଧାରଣ ବ୍ୟକ୍ତିତ୍ୱ ହେଉଛନ୍ତି ରାଜସ୍ଥାନ ସିକର ଜିଲ୍ଲାର ୭୦ ବର୍ଷର ଚାଷୀ ଜଗଦୀଶ୍ ପ୍ରସାଦ ପାରିକ୍। ୧୯୭୦ ମସିହାରୁ ଚାଷ କରି ଆସୁଥିବା ଜଗଦୀଶ୍ଙ୍କ ନାଁ ଏବେ ଲିମ୍କା ବୁକ୍ସ୍ ଅଫ୍ ରେକର୍ଡସ୍ରେ ସାମିଲ୍ ହୋଇଛି।
ଜଗଦୀଶ୍ ପାରମ୍ପରିକ ଚାଷ ବ୍ୟତୀତ ନିଜ ୨ ହେକ୍ଟର କ୍ଷେତରେ ଡାଳିମ୍ବ, ଲେମ୍ବୁ, ବେଲ ଓ ଗୋଲାପ ସହ କୋବି ମଧ୍ୟ ଚାଷ କରନ୍ତି।
ତେବେ ‘ଲିମ୍କା ବୁକ୍ ଅଫ୍ ରେକର୍ଡସ୍’ରେ ଜଗଦୀଶ୍ଙ୍କୁ ତାଙ୍କ ନିଆରା କୋବି ଚାଷରେ ସଫଳତା ଯୋଗୁ ସ୍ଥାନ ମିଳିଛି। ଜଗଦୀଶ୍ଙ୍କ କ୍ଷେତରେ ଚାଷ ହେଉଥିବା କୋବିର ଆକାର ଦେଶରେ ବିଭିନ୍ନ ସ୍ଥାନରେ ମିଳୁଥିବା କୋବି ଠାରୁ ବହୁତ ବଡ଼। ତେଣୁ ତାଙ୍କ କୋବି ହୋଟେଲମାନଙ୍କୁ ଅଧିକ ବିକ୍ରି ହୁଏ।
ଜଗଦୀଶ୍ ଏହି ଫୁଲ କୋବିର ନାଁ ନିଜ ଗାଁ ‘ଅଜିତଗଡ଼’ ନାଁରେ ‘ଅଜିତଗଡ଼ କଲେକ୍ସନ୍’ ରଖିଛନ୍ତି। ଏହି କୋବିର ବିଷେଷତ୍ୱ କେବଳ ଏହାର ଆକାର ନୁହେଁ, ବରଂ ଏହାକୁ ଗରମ ତାପମାତ୍ରାରେ ମଧ୍ୟ ଚାଷ କରିହେବ। ଏଥିସହ ଏହି କୋବିରେ ରୋଗ ଓ ପୋକ ପ୍ରତିରୋଧ କ୍ଷମତା ମଧ୍ୟ ଅଛି। ତେଣୁ ଏହା ବଜାରରେ ମିଳୁଥିବା କୋବି ଠାରୁ ସ୍ୱତନ୍ତ୍ର।
ଜଗ୍ଦୀଶଙ୍କ କହିବା ମୁତାବକ, ଗିନିଜ୍ ବୁକ୍ ରେକର୍ଡ଼ସ୍ରେ ଏବେ ଯାଏ ୨୭.୫ କେଜିର କୋବିର ରେକର୍ଡ଼ ରହିଛି। ସେ ଏଯାଏ ୨୫.୫ କେଜିର କୋବି ଉତ୍ପାଦନ କରିଛନ୍ତି।
ଜଗଦୀଶ୍ ୧୯୯୦ରୁ ଏହି ସ୍ୱତନ୍ତ୍ର ଧରଣର କୋବି ଚାଷ କରି ଆସୁଛନ୍ତି। ସେ ନିଜେ ଏହି ନିଆରା କୋବିର ମଞ୍ଜି ପ୍ରସ୍ତୁତ କରିଛନ୍ତି। ୨୦୦୧ରେ ତାଙ୍କୁ ଏଥିପାଇଁ ‘ଗ୍ରାସ୍ ରୁଟ୍ ଇନୋଭେସନ୍’ ସମ୍ମାନ ମିଳିଥିଲା।
ଗତବର୍ଷ ଜଗଦୀଶ ଏହି ନିଆରା କୋବିର ୧ କ୍ୱିଣ୍ଟାଲ ମଞ୍ଜି ମଧ୍ୟ ବିକିଛନ୍ତି। ଏହି ଫୁଲକୋବି ମଞ୍ଜି ରାଜସ୍ଥାନ ବ୍ୟତୀତ ଗୁଜରାଟ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ମଧ୍ୟ ଭଲ ଚାହିଦା ରହିଛି । ନିକଟରେ ଜୟପୁରସ୍ଥିତ କୃଷି ଅନୁସନ୍ଧାନ କେନ୍ଦ୍ର, ଏହି ମଞ୍ଜିକୁ ଅନ୍ୟ ୮ଟି ମଞ୍ଜି ତୁଳନାରେ ସବୁଠୁ ଭଲ ମଞ୍ଜିର ଆଖ୍ୟା ଦେଇଛି।
ପାରିକ୍ ନିଜ କ୍ଷେତ୍ରୁ ଉତ୍ପାଦିତ ବୃହତ୍ କୋବି ପୂର୍ବତନ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମା, ଏପିଜେ ଅବଦୁଲ୍ କଲାମ ଏବଂ ପ୍ରଣବ ମୁଖର୍ଜୀଙ୍କ ସମେତ ରାଜସ୍ଥାନର ପୂର୍ବ ମୁଖ୍ୟମନ୍ତ୍ରୀ ଓ ଏବରର ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ରାଜ୍ୟପାଳଙ୍କୁ ଉପହାର ଆକାରରେ ଦେଇଛନ୍ତି।
ଏବେ ଜଗଦୀଶଙ୍କ ଲକ୍ଷ୍ୟ ରହିଛି, ଗିନିଜ୍ ବୁକ୍ ଅଫ୍ ରେକର୍ଡ଼ସ୍ରେ ସାମିଲ୍ ହେବେ।
from Odisha Reporter https://ift.tt/2FgKg9C
No comments:
Post a Comment