
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ଵକପ ହକି ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ଟିକେଟର ଖୁଲମଖୁଲା କଳାବଜାରୀ। ବାଟଘାଟରେ କିମ୍ବା ଲୁଚାଛପାରେ ନୁହେଁ, ସିଧା ଅନ୍ଲାଇନ୍ରେ ଚଢ଼ା ରେଟରେ ବିକ୍ରି ହେଉଛି ଟିକେଟ। ଆସନ୍ତାକାଲି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ମେଗା ଉଦଘାଟନୀ ଉତ୍ସବ ଥିବା ବେଳେ ତା’ପୂର୍ବରୁ ଟିକେଟ କଳାବଜାରୀ କାରବାର ସାମ୍ନାକୁ ଆସିଛି। ଯାହାର ଅସଲ ମୂଲ୍ୟ ୫୦୦ ଟଙ୍କା ଥିଲା ତାହା ଏବେ ୪,୫୦୦ ଟଙ୍କା ଠାରୁ ଆରମ୍ଭ କରି ସର୍ବାଧିକ ୧୩,୫୦୦ ଟଙ୍କାରେ ବିକ୍ରି ହେଉଛି। ଅନଲାଇନ୍ ସଂସ୍ଥା ଓଏଲଏକ୍ସରେ ଏମିତି ଟିକେଟ ବିକ୍ରି ହେଉଥିବା ନଜରକୁ ଆସିଛି। ଓଡ଼ିଶାରେ ପ୍ରଥମଥର ପାଇଁ ହକି ବିଶ୍ୱ କପ୍ ଆୟୋଜନ ହେବାକୁ ଯାଉଥିବା ବେଳେ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ବିଭ୍ରାଟ ସାମ୍ନାକୁ ଆସୁଥିବା ବେଳେ ଏବେ ଟିକେଟ କଳାବଜାରା ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି।
ମ୍ୟାଚ୍ ଟିକେଟ ଗୁଡ଼ିକ ଅନ୍ଲାଇନ୍ରେ ଉପଲବ୍ଧ ଥିବା ବେଳେ ବିଶ୍ଵ କପ ଉଦ୍ଘାଟନୀ ଉତ୍ସବର ଟିକେଟ ଅଫ୍ଲାଇନ୍ରେ ତଥା ଗତ ନଭେମ୍ବର ୧୫ ତାରିଖରେ ଉପଲବ୍ଧ ହେବ ବୋଲି ପ୍ରଥମେ ଖୋଦ୍ କ୍ରୀଡ଼ା ସଚିବ ବିଶାଲ ଦେବ କହିଥିଲେ। ଖାସ୍ କରି କିଙ୍ଗ୍ ଖାନ୍ ଶାହାରୁଖ ଏବଂ ବିଶିଷ୍ଟ ସଙ୍ଗୀତକାର ଏ.ଆର. ରେହେମାନଙ୍କୁ ଦେଖିବା ପାଇଁ ରାଜ୍ୟର ଦୂରଦୂରାନ୍ତରୁ ଦର୍ଶକମାନେ ଆସି ରାତିରୁ କାଉଣ୍ଟର ଆଗରେ ଭିଡ଼ ଜମାଇଥିଲେ। ହେଲେ ଦୀର୍ଘ ସମୟ ଅପେକ୍ଷା କରି କାଉଣ୍ଟରରେ ଟିକେଟ ବିକ୍ରି ନହେବାରୁ ଦର୍ଶକ ନିରାଶ ହୋଇଥିଲେ। ଫଳରେ ହକିପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି କିଛି ଲୋକ ଉତ୍ତ୍ୟକ୍ତ ହୋଇ କାଉଣ୍ଟର ସାମ୍ନାରେ ଥିବା ପୋଷ୍ଟର୍ ଓ ବ୍ୟାରିକେଡ୍ ଭଙ୍ଗାରୁଜା କରିଥିଲେ।
ଏହି ଘଟଣା ପରେ କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ବିଶାଲ ଦେବ କହିଥିଲେ ଯେ, ଉଦଘାଟନୀ ଉତ୍ସବ ପାଇଁ ଅନ୍ଲାଇନ୍ରେ ଟିକେଟ୍ ବିକ୍ରି ହେବ। ତେବେ ନଭେମ୍ବର ୨୦ରେ ଦିନ ୧୨ଟା ବେଳକୁ ticketgenie.in ୱେବ୍ସାଇଟ୍ରେ ଅନ୍ଲାଇନ୍ ଟିକେଟ୍ ବିକ୍ରି ହେବାର ଖବର ହକିପ୍ରେମୀଙ୍କ ମନରେ ଉତ୍ସାହ ଭରିଦେଇଥିଲା। କିନ୍ତୁ ଠିକ୍ ୧୨ଟା ବେଳକୁ ହୋମ ସ୍କ୍ରିନ୍ରେ ଟିକେଟ୍ ବିକ୍ରି ସମ୍ବନ୍ଧରେ ସୂଚନା ଦିଆଯାଇଥିଲେ ମଧ୍ୟ ସାଇଟ୍ ଓପନ୍ ହେଉ ନ ଥିଲା। ଲୋକେ ଉତ୍ସାହର ସହ ଅପେକ୍ଷା କରିଥିଲେ ମଧ୍ୟ ବାରମ୍ବାର ଗୋଟିଏ ଉତ୍ତର ଆସୁଥିଲା ‘This site can’t be reached .ticketgenie.in took too long to respond.’। କିଛି ହକି ପ୍ରେମୀ ଅଭିଯୋଗ କରିଥିଲେ ଯେ, ଟଙ୍କା ପେ’ କରିବା ପରେ ମଧ୍ୟ ସମାନ ନୋଟିସ ସ୍କ୍ରିନ୍ରେ ଦେଖିବାକୁ ମିଳିଥିଲା।
ତେବେ ଟିକେଟି ବିକ୍ରି ଆରମ୍ଭର ଗୋଟିଏ ଘଣ୍ଟା ମଧ୍ୟରେ ଯେଉଁ ଦୁଃସମ୍ବାଦଟି ଆସିଲା ତାହା ହକି କ୍ରୀଡ଼ାପ୍ରେମୀଙ୍କୁ ପ୍ରବଳ ହତାଶ କରିଥିଲା। ତାହା ହେଉଛି ‘ଟିକେଟ ଆର ସୋଲ୍ଡ ଆଉଟ୍’ ଅର୍ଥାତ ସବୁ ଟିକେଟ ବିକ୍ରି ହୋଇଯାଇଥିବାର ସୂଚନା। କେବଳ ବିଶ୍ୱ ହକି ପାଇଁ କଳିଙ୍ଗ ଷ୍ଟାଡିୟମରେ ୧୫,୦୦୦ସିଟ୍ କ୍ଷମତାକୁ ୨୨,୫୦୦କୁ ବୃଦ୍ଧି କରାଯାଇଛି। ହେଲେ ପ୍ରଥମରୁ ସାଇଟ୍ ଓପନ୍ ହେଉ ନଥିବା ବେଳେ ଗୋଟିଏ ଘଣ୍ଟା ମଧ୍ୟରେ ଏତେ ଟିକେଟ କେମିତି ବିକ୍ରି ହୋଇଗଲା ତାକୁ ନେଇ ସେତେବେଳେ ଧୁମ୍ ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠିବାରୁ ସରକାର ହାତ ଝାଡ଼ିଦେଇ କହିଥିଲେ, ଟିକେଟ ବିକ୍ରିର କାମ ଅନ୍ଲାଇନ୍ ସଂସ୍ଥାର।
ଯଦି ଟିକେଟ ସବୁ ବିକ୍ରି ହୋଇଥିଲା ଏବେ କେମିତି କଳାବଜାରୀ ହେଉଛି ତାକୁ ନେଇ ଉଠିଛି ପ୍ରଶ୍ନ। ଏହାକୁ ନେଇ ସୋଶାଲ ମିଡିଆରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ହକି ଉଦ୍ଘାଟନୀ ଉତ୍ସବର ଟିକେଟ ନ ପାଇ ଅନେକ ଲୋକେ ହତାଶ ହୋଇଥିବା ବେଳେ ହଠାତ୍ ଉତ୍ସବର ଗୋଟିଏ ଦିନ ପୂର୍ବରୁ ଏମିତି ବ୍ଲାକରେ ଟିକେଟ ବିକ୍ରି ହେବା ଘଟଣାକୁ ନେଇ ଉଭୟ ଟିକେଟ ବିକ୍ରି ସଂସ୍ଥା ଏବଂ ଓଡ଼ିଶା କ୍ରୀଡ଼ା ବିଭାଗର ଭୂମିକାକୁ ନେଇ ସନ୍ଦେହ ଜାଗ୍ରତ ହେବା ସ୍ଵାଭାବିକ।
from Odisha Reporter https://ift.tt/2ztB3FG
No comments:
Post a Comment