
ବର୍ମିଂହାମ୍: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ଥାନ ପାଇବ ପୃଥିବୀର ଅନ୍ୟତମ ଲୋକପ୍ରିୟ ଖେଳ କ୍ରିକେଟ୍। ଯଦିଓ ଏହା ପ୍ରଥମ ଥର ପାଇଁ ହେବାକୁ ଯାଉନି, ଦୀର୍ଘ ୨୪ ପରେ ଘଟିବାକୁ ଯାଉଛି ଏପରି ଘଟଣା। ୨୦୨୨ ମସିହାରେ ଆୟୋଜିତ ହେବାକୁ ଥିବା ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏପରି ଘଟିବାକୁ ଯାଉଛି।
ଆଇସିସି, ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ପକ୍ଷରୁ ମିଳିତ ଭାବରେ ଏକ ପ୍ରସ୍ତାବ ପ୍ରସ୍ତୁତି କରାଯାଇଛି ଏବଂ ଆସନ୍ତା ସୋମବାର ଅୟୋଜକଙ୍କ ନିକଟରେ ଉପସ୍ଥାପିତ ହେବ। ଏହାପରେ ପ୍ରସ୍ତାବ ବିଚାର ହୋଇ ଆସନ୍ତା ବର୍ଷ ସେପ୍ଟେମ୍ବର ସୁଦ୍ଧା ଏହି ନିଷ୍ପତ୍ତି ଚୂଡ଼ାନ୍ତ ହୋଇଯିବ। ପୂର୍ବଥର ପୁରୁଷ କ୍ରିକେଟ୍ ଦଳ ଭାଗ ନେଉଥିବାବେଳେ ଏଥର କେବଳ ମହିଳା ଦଳ ପାଇଁ ପ୍ରସ୍ତାବ ରହିଛି।
ପୂର୍ବରୁ ୧୯୯୮ ମସିହାରେ ମ୍ୟାଲେସିଆରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରିକ୍ରେଟ୍ ସ୍ଥାନ ପାଇଥିଲା। ଏଥିରେ ୫୦ ଓଭରର ମ୍ୟାଚ୍ ଖେଳାଯାଇଥିଲା। ନ୍ୟୁଜିଲ୍ୟାଣ୍ଡ କାଂସ୍ୟ ପଦକ, ଅଷ୍ଟ୍ରେଲିଆ ରୌପ୍ୟ ଏବଂ ସାଉଥ୍ଆଫ୍ରିକା ସ୍ୱର୍ଣ୍ଣ ବିଜେତା ହୋଇଥିଲା।

ଏହି ଅବସରରେ ଅଦ୍ଭୁତ ଘଟଣା ସବୁ ଘଟିଥିଲା। ଏହି ସମୟରେ ହିଁ କ୍ୟାନାଡ଼ାର ଟରଣ୍ଟୋରେ ସାହାରା କପ୍ ଚାଲୁଥିବାରୁ ପାକିସ୍ତାନ ନିଜର ‘ଏ’ ଦଳକୁ ପଠାଇଥିଲା ଏବଂ ଭାରତ ଦୁଇଟି ଦଳ ପଠାଇଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରେ ସଚିନ୍ ତେନ୍ଦୁଲକର, ଅନୀଲ କୁମ୍ବଲେ, ଭିଭିଏସ୍ ଲକ୍ଷ୍ମନ୍ ଏବଂ ହରଭଜନ୍ ସିଂହ ପ୍ରମୁଖ ସ୍ଥାନ ପାଇଥିଲେ।
ୱେଷ୍ଟଇଣ୍ଡିଜ୍ ବଦଳରେ ଆଣ୍ଟିଗୁଆ ଏବଂ ବର୍ବୁଡା ସେଥର ସାମିଲ ହୋଇଥିଲା। ଏହି ଦଳ ପାଇଁ କିମ୍ବଦନ୍ତୀ ସାର୍ ରିଚି ରିଚାର୍ଡସନ୍ ଏବଂ କର୍ଟଲୀ ଆମ୍ବ୍ରୋସ୍ ପ୍ରମୁଖ ଖେଳୁଥିଲେ।
ତେବେ ୨୦୨୨ ରାଜ୍ୟଗୋଷ୍ଠୀରେ ମହିଳା ଟି୨୦ ଦଳଙ୍କୁ ସାମିଲ କରିବା ବାବଦରେ ଇଂଲଣ୍ଡ ମହିଳା କ୍ରିକେଟ୍ର ନିର୍ଦ୍ଦେଶକ କ୍ଲେୟାର କର୍ଣ୍ଣର କହିଛନ୍ତି, “ଏଜ୍ବଷ୍ଟନ୍ ପ୍ରାଇମେରୀ ଭେନ୍ୟୁ ହେବ ଏବଂ ଏଥିରେ ୮ଟି ଦଳ ଭାଗ ନେବେ। ପ୍ରତିଟି ମ୍ୟାଚ୍ ବିବିସିରେ ପ୍ରସାରିତ ହେବ। ଚିରାଚରିତ କ୍ରିକେଟ୍ ମ୍ୟାଚ୍ ଅପେକ୍ଷା ଅଲମ୍ପିକ୍ ଏବଂ ରାଜ୍ୟଗୋଷ୍ଠୀର ସ୍ୱତନ୍ତ୍ର ଦର୍ଶକ ଥିବାରୁ ଏହା ମହିଳା କ୍ରିକେଟ୍ ପାଇଁ ଖୁବ୍ ସହାୟକ ହେବ।”
from Odisha Reporter https://ift.tt/2TMLDAi
No comments:
Post a Comment