
କରାଚି: ପିଲା ବେଳେ ପାଠ ପଢ଼ିବା ପାଇଁ ଏକ ଘରୋଇ ସ୍କୁଲରେ ନାଁ ଲେଖାଇବାରୁ ଗାଁ ଲୋକେ ଓ ସମ୍ପର୍କୀୟମାନେ ତାଙ୍କୁ ଏକଘରକିଆ କରିଦେଇଥିଲେ। ଆଜି ସେ ପାଠ ପଢ଼ି ପୁଲିସ୍ ଚାକିରି କରିବା ସହ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଇଛନ୍ତି।
ଆଜି ୩ ଜଣ ଆତ୍ମଘାତୀ ଆତଙ୍କବାଦୀ କରାଚୀ ସ୍ଥିତ ଚୀନ୍ ଦୂତାବାସ ଅଫିସ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ହେଲେ ସାହସୀ ମହିଳା ପୁଲିସ୍ ଅଧିକାରୀ ସୁହାଇ ଅଜିଜ୍ ତାଲପୁରଙ୍କ ଲଢ଼ୁଆପଣ ଆଗରେ ଆତଙ୍କବାଦୀମାନେ ହାର ମାନିଥିଲେ। ଏହି ବୀରାଙ୍ଗନା ସୁହାଇଙ୍କ ପାଇଁ ଚୀନ୍ ଦୂତାବାସର ସମସ୍ତ କର୍ମଚାରୀଙ୍କ ଜୀବନ ବଞ୍ଚି ଯାଇଛି।
ସୁହାଇ କରାଚି ପୁଲିସ୍ର ଏସ୍ପି ଭାବେ କାର୍ଯ୍ୟ କରୁଛନ୍ତି। ଆଜି ଆତଙ୍କବାଦୀ ହମ୍ଲା ହେବା ପରେ ତାଙ୍କ ନେତୃତ୍ୱରେ ଏକ ଟିମ୍ ଏହାକୁ ପ୍ରତିରୋଧ କରିବାକୁ ବାହାରିଥିଲା। ସୁହାଇ ନିଜେ ହାତରେ ବନ୍ଧୁକ ଧରି ଆଗରେ ରହି ନିଜ ଟିମ୍କୁ ବାଟ ଦେଖାଇଥିଲେ। ଶେଷରେ ସୁହାଇ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିଲା ଗୁଳି ବିନିମୟ। ଏଥିରେ ସୁହାଇ ଜିତିବା ସହ ୩ ଜଣ ଯାକ ଆତ୍ମଘାତୀ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।

ଆତଙ୍କବାଦୀଙ୍କ ପାଖରେ ହ୍ୟାଣ୍ଡ ଗ୍ରେନେଡ୍, ଆସଲଟ୍ ରାଇଫଲ୍, ରକେଟ୍ ଲଞ୍ଚର ଓ ଅନ୍ୟାନ୍ୟ ବିସ୍ଫୋରକ ରହିଥିଲେ ହେଁ ଏହାକୁ ସୁହାଇ ଖାତିର ନ କରି ଲଢ଼େଇ କରିବାକୁ ଆଗେଇ ଆସିଥିଲେ। ଶେଷରେ ତାଙ୍କ ସାହାସିକତା ଆଗରେ ଆତଙ୍କବାଦୀମାନେ ମୁଣ୍ଡ ନୁଆଇଁଥିଲେ।
ସୁହାଇଙ୍କ ଘର ପାକିସ୍ତାନ ସିନ୍ଧ ପ୍ରଦେଶର ଟଣ୍ଡୋ ମହମ୍ମଦ ଖାନ୍ ଜିଲ୍ଲା ଅନ୍ତର୍ଗତ ଭାଇ ଖାନ୍ ତାଲପୁର ଗାଁରେ। ୨୦୧୩ରେ ସେ ସେ ସେଣ୍ଟ୍ରାଲ ସୁପିରିୟର ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ସେ ପୁଲିସ୍ ଚାକିରି କରିଥିଲେ। ସେବଠାରୁ ସେ ଅନେକ ବଡ଼ ବଡ଼ ସାହାସିକତାପୂର୍ଣ୍ଣ କାର୍ଯ୍ୟ କରି ସାଧାରଣରେ ପ୍ରଶଂସାଭାଜନ ହୋଇ ପାରିଛନ୍ତି।
from Odisha Reporter https://ift.tt/2OZwmZc
No comments:
Post a Comment