
ହାଇଦ୍ରାବାଦ: ଏଣିକି ସରକାରୀ କାମରେ ଆନ୍ଧ୍ର ପ୍ରଦେଶରେ ପ୍ରବେଶ କରିବା ପାଇଁ ସିବିଆଇ ଅଧିକାରୀମାନଙ୍କୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ହେବ। କାରଣ ଏଥିପାଇଁ ଦିଆଯାଇଥିବା ‘ଜେନେରାଲ୍ କନ୍ସେଣ୍ଟ୍’ ବା ‘ସାଧାରଣ ସହମତି’କୁ ଆନ୍ଧ୍ର ପ୍ରଦେଶ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଏହି ସହମତି ବଳରେ ସିବିଆଇ ଅଧିକାରୀମାନେ ସରକାରଙ୍କ ଅନୁମତି ବିନା ଯେକୌଣସି ସମୟରେ ରାଜ୍ୟକୁ ଆସି ଖୋଜାଖୋଜି ଓ ଅପରେସନ୍ କରିପାରୁଥିଲେ।
ଆନ୍ଧ୍ର ପ୍ରଦେଶ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ପୁଣି ଥରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଏ ସପ୍ତାହରେ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ସିବିଆଇ ଉପରେ ଆଉ ଭରସା ନାହିଁ। ଏହାର ଉଚ୍ଚ ଅଧିକାରୀମାନେ ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗ ଆସିବା ପରେ ‘ଜେନେରାଲ୍ କନ୍ସେଣ୍ଟ୍’କୁ ପ୍ରତ୍ୟାହାର କରି ନିଆଯାଇଛି।
ଅନ୍ୟପକ୍ଷରେ ସିବିଆଇ ପକ୍ଷରୁ କୁହାଯାଇଛି ଯେ ସେମାନେ ଏଯାଏ ଆନ୍ଧ୍ର ପ୍ରଦେଶରୁ ଏଭଳି କୌଣସି ବିଜ୍ଞପ୍ତି ପାଇନାହାନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆବଶ୍ୟକ ହେଲେ ସିବିଆଇ ଏହି ପ୍ରସଙ୍ଗରେ ଆଇନର ସହାୟତା ନେବ। ତେବେ ଆନ୍ଧ୍ର ସରକାରଙ୍କ ଦ୍ୱାରା ଜାରି ବିଜ୍ଞପ୍ତିକୁ ବିଶ୍ଳେଷଣ କରି ସାରିବା ପରେ ନିଷ୍ପତ୍ତି ନିଆଯିବ।
ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ଟିଡିପି କେନ୍ଦ୍ରରେ କ୍ଷମତାସୀନ ଏନ୍ଡିଏରୁ ବାହାରି ଆସି ବିଜେପି ବିରୋଧୀ ମେଣ୍ଟ ଗଢ଼ିବାର ପ୍ରଚେଷ୍ଟା ଚଳାଇଥିବା ବେଳେ ଆନ୍ଧ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଚନ୍ଦ୍ରବାବୁ ନାଉଡୁ ବିରୋଧୀଙ୍କୁ ଏକାଠି କରିବାକୁ ଉଦ୍ୟମ କରୁଛନ୍ତି। ବିଜେପି ଓ ୱାଇଏସ୍ଆର୍ କଂଗ୍ରେସ ରାଜ୍ୟ ସରକାରଙ୍କୁ ଅସ୍ଥିର କରିବାକୁ ଷଡ଼ଯନ୍ତ୍ର କରୁଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି।
from Odisha Reporter https://ift.tt/2RXDxmK
No comments:
Post a Comment