
ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଶିଳ୍ପ ପ୍ରତିଷ୍ଠା ପାଇଁ ଆଜିଠାରୁ ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ ଆରମ୍ଭ ହୋଇଛି। ଶିଳ୍ପର ଏହି ମହାକୁମ୍ଭ ଏହି କଥା କହୁଛି ଯେ, ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ଦେଉଛନ୍ତି। ବିଦେଶୀ ଶିଳ୍ପସଂସ୍ଥାକୁ ଏଠାରେ ପୁଞ୍ଜି ନିବେଶ ପାଇଁ ନିମନ୍ତ୍ରଣ କରୁଛନ୍ତି। ହେଲେ ରାଜ୍ୟ ଭିତରେ ଏବେ ଶିଳ୍ପାୟନକୁ ବିରୋଧ କରାଯିବା ଭଳି ସ୍ଥିତି ସାମ୍ନାକୁ ଆସିଛି।
ଢେଙ୍କାନାଳରେ ଶିଳ୍ପ ପ୍ରତିଷ୍ଠାକୁ ଖୋଲାଖୋଲି ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ। ଶିଳ୍ପ ହେଲେ ଜଙ୍ଗଲ ଉଜୁଡ଼ିବ। ମହିଳାମାନେ ଅଭିନବ ଶୈଳୀରେ ଗଛକୁ ଜାବୁଡ଼ି ଧରି ପ୍ରତିବାଦ ଜଣାଇଛନ୍ତି। ମରିବୁ ପଛେ ଫ୍ୟାକ୍ଟ୍ରି କରାଇଦେବୁ ନାହିଁ ବୋଲି ସଦର ବ୍ଲକ ବଳରାମପୁର ଗାଁର ଲୋକେ ଚେତାବନୀ ଦେଇଛନ୍ତି। ଯାହା ଏବେ ଜିଲ୍ଲା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ସାଜିଛି।
‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମରେ ଗତ ୩ ତାରିଖରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ବଳରାମପୁର ଗାଁରେ ଏକ ମଦ ଫ୍ୟାକ୍ଟ୍ରିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଗତ ୮ ତାରିଖରେ ଜିଲ୍ଲା ପ୍ରଶାସନ ସେଠାକୁ ଯାଇ କାମ ଆରମ୍ଭ କରିବାର ଥିଲା। କିନ୍ତୁ ଲୋକଙ୍କ ବିରୋଧ ଯୋଗୁ ଏହା ହୋଇ ପାରି ନଥିଲା।
ବଳରାମପୁର ଗ୍ରାମ୍ୟ ଜଙ୍ଗଲରେ ବହୁ ପୁରୁଣା ଗଛ ରହିଛି। ମଦ ଫ୍ୟାକ୍ଟ୍ରି ହେଲେ ଏହି ସବୁ ଗଛ କାଟିବାକୁ ପଡ଼ିବ। ଯାହାଫଳରେ ଭୂତଳ ଜଳସ୍ତର କମିଯିବ। ଫେବ୍ରୁଆରୀରୁ ପାନୀୟ ଜଳ ସଙ୍କଟ ଦେଖାଦେବ ବୋଲି ଅଭିଯୋଗ ହୋଇଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ସ୍ଥାନୀୟ ଲୋକେ ଗଛକୁ ଜାବୁଡ଼ି ଧରି ଅଭିନବ ଶୈଳୀରେ ପ୍ରତିବାଦ କରି ଆସୁଛନ୍ତି। ମଦ କାରଖାନା ପ୍ରତିଷ୍ଠା ଓ ଗଛ କାଟିବା, ଉଭୟକୁ ସେମାନେ ବିରୋଧ କରୁଛନ୍ତି।
ଅବନ୍ତୀ ରାଉତ କହିଛନ୍ତି-“ବାପା ଓ ଜେଜେବାପାମାନେ ଜଗି ଏସବୁ ଗଛଗୁଡ଼ିକୁ ବଡ଼ କରାଇଛନ୍ତି। ଆମ ଆଗରେ ଗଛ ଗୁଡ଼ିକୁ କାଟି ମଦ କମ୍ପାନୀ ପ୍ରତିଷ୍ଠା କରିବାକୁ ଦେବୁ ନାହିଁ। ଯଦି ମଦ କମ୍ପାନୀ କରିବ, ତା’ ପୂର୍ବରୁ ବରଂ ଆମକୁ କାଟି ଦିଆଯାଉ।”
ସରୋଜିନୀ ପାତ୍ର କହିଛନ୍ତି-“ବହୁ କଷ୍ଟରେ ଜଙ୍ଗଲ ବଞ୍ଚାଇ ରଖିଛୁ। ଆମ ଆଗରେ ଜଙ୍ଗଲ କାଟିବାକୁ ଦେବୁ ନାହିଁ। ଏପରିକି ମଦ କମ୍ପାନୀ ପ୍ରତିଷ୍ଠା କରିବାକୁ ଦିଆଯିବ ନାହିଁ।”
from Odisha Reporter https://ift.tt/2JVmej8
No comments:
Post a Comment