
ସମ୍ୱଲପୁର (ସଞ୍ଜୟ କୁମାର ଜେନା): ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଓକିଲଙ୍କ ଆନ୍ଦୋଳନ। ଦୀର୍ଘ ୭୮ ଦିନ ବିତିଯାଇଥିଲେ ମଧ୍ୟ ସରକାର ସମାଧାନର ରାସ୍ତା ବାହାର କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଛନ୍ତି। ଏବେ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ସମ୍ବଲପୁର ଓ ବଲାଙ୍ଗିର ଓକିଲ ସଂଘ ନିଷ୍ପତ୍ତି ନେଇଛି। ଓକିଲଙ୍କ ଆନ୍ଦୋଲନ ଯୋଗୁ ପଶ୍ଚିମ ଓଡ଼ିଶାରେ କୋର୍ଟ କାର୍ଯ୍ୟ ଠପ୍ ହୋଇଯାଇଛି। ବିଚାର ପ୍ରକ୍ରିୟା ବନ୍ଦ ଥିବାରୁ ଛୋଟମୋଟ ମାମଲାରେ ଅଭିଯୁକ୍ତ ବ୍ୟକ୍ତି ଜେଲ୍ରେ ପଡ଼ି ରହିଛନ୍ତି।
ସୋନପୁର ଜିଲ୍ଲାର ମାଖନୀ ମେହେରଙ୍କ ଜ୍ୱାଇଁ ଚୋରି ଅଭିଯୋଗରେ ଗିରଫ ହୋଇଥିଲେ। ଦୀର୍ଘ ୩ ମାସରୁ ଅଧିକ ସମୟ ଧରି ସେ ଜେଲ୍ରେ ଅଛନ୍ତି। ଓକିଲଙ୍କ ଆନ୍ଦୋଳନ ଯୋଗୁ ତାଙ୍କୁ ଜାମିନ ମିଳିପାରୁ ନାହିଁ। ଫଳରେ ଝିଅକୁ ଧରି ବାରମ୍ବାର ଜେଲ୍କୁ ଧାଉଁଛନ୍ତି ମାଖନୀ।
ଆଉ ଏପଟେ ଜେଲ୍ ଗୁଡ଼ିକ ଉଛୁଳିବାରେ ଲାଗିଲାଣି। ସମ୍ବଲପୁର ମଣ୍ଡଳ କାରାଗାରରେ ୫୧୯ ଜଣଙ୍କ ସ୍ଥାନରେ ବର୍ତ୍ତମାନ ପ୍ରାୟ ଏକ ହଜାର ଅନ୍ତେବାସୀ ରହୁଛନ୍ତି। ଫଳରେ ଜେଲ୍ ପରିଚାଳନାରେ ଗୁରୁତର ସମସ୍ୟା ଉପୁଜୁଥିବା କହିଛନ୍ତି ଜେଲର୍ ସୌଭାଗ୍ୟ ବଳ।
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଗତ ସେପ୍ଟେମ୍ବର ୫ରୁ କୋର୍ଟ କଚେରୀ ସହ ସରକାରୀ ଅଫିସ ଗୁଡ଼ିକୁ ବନ୍ଦ ରଖିଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ। ହେଲେ ରାଜ୍ୟ ସରକାର ନିରବ ରହୁଥିବାରୁ ଓକିଲ ସଂଘ ଆନ୍ଦୋଳନକୁ ତୀବ୍ର କରିଛି। ଯାହାକୁ ବିଭିନ୍ନ ବର୍ଗର ଲୋକେ ସମର୍ଥନ କରିବା ସହ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଆସନ୍ତା ୨୯ ତାରିଖରେ ୪୮ ଘଣ୍ଟିଆ ମହାବନ୍ଦର ଡାକରା ଦେଇଛି ସମ୍ବଲପୁର ଓକିଲ ସଂଘ। ଅପରପକ୍ଷରେ ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି କରି ଆସନ୍ତା ୩ ତାରିଖରେ ବଲାଙ୍ଗିର ବନ୍ଦ ଡାକରା ଦେଇଛି ବଲାଙ୍ଗିର ଜିଲ୍ଲା ଓକିଲ ସଂଘ।
ସେପଟେ ଦଳ ମତ ନିର୍ବିଶେଷରେ ଗୃହ ଭିତରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ଉଠାଇ ଉଦ୍ବେଗ ପ୍ରକାଶ କରିଛନ୍ତି ଉଭୟ ଶାସକ ଓ ବିରୋଧୀ ବିଧାୟକ। ବିଜେପି ବିଧାୟକ ଦଳ ନେତା କେ.ଭି. ସିଂହଦେଓ ୟଶଓ୍ୱନ୍ତ ସିଂହ କମିଟି ରିପୋର୍ଟ ଉପସ୍ଥାପନ କରାଯାଉ ବୋଲି ଦାବି କରିଥିବା ବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି କହିଛନ୍ତି। ସେହିପରି ବିଜେଡି ବିଧାୟକ ଯୋଗେନ୍ଦ୍ର ବେହେରା ମଧ୍ୟ ଗୃହ ଭିତରେ ସମାନ ସ୍ୱର ଉଠାଇଛନ୍ତି।
from Odisha Reporter https://ift.tt/2OVeEGl
No comments:
Post a Comment