
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ସରକାରୀ ଅଫିସରଙ୍କୁ ଏକ ନିର୍ଦ୍ଦିଷ୍ଟ ଦଳର ରାଜନେତାଙ୍କ ‘ବାବୁ’ ସମ୍ବୋଧନ ଉପରେ ଏବେ ଅଘୋଷିତ ରୋକ୍ ଲାଗିଛି ବୋଲି ପାୱାର କରିଡରରେ ଚର୍ଚ୍ଚା। ଶୁଣିବାକୁ ମିଳୁଛି, ତୃତୀୟ ମହଲାର କିଛି ନିର୍ଦ୍ଦିଷ୍ଟ ସରକାରୀ ଅଫିସର କୁଆଡ଼େ ଏବେ ‘ବାବୁ’ ସମ୍ବୋଧନକୁ ପସନ୍ଦ କରୁନାହାନ୍ତି। ଉଭୟ ଦଳୀୟ ଓ ପ୍ରଶାସନିକ କାର୍ଯ୍ୟ ପାଇଁ ସେମାନଙ୍କ ପାଖକୁ ଯାଉଥିବା ବିଜେଡି ନେତାମାନଙ୍କୁ କୁଆଡ଼େ ‘ବାବୁ’ ବଦଳରେ ‘ସାର୍’ ଡାକିବା ଓ ହାକିମାତି ପରିବର୍ତ୍ତେ ଅନୁରୋଧ କରିବା ଶୈଳୀ ଆପଣାଇବା ନିମନ୍ତେ ବାଧ୍ୟ କରାଯାଉଛି।
ସେହି କିଛି ନିର୍ଦ୍ଧିଷ୍ଟ ଅଫିସରଙ୍କ ପାଖରେ ଗୋଡ଼ଭାଙ୍ଗି ଛିଡ଼ା ହୋଇ ‘ସାର୍ ସାର୍’ ଭଳି ଅନୁନୟ ବିନୟ ହେଲେ କୁଆଡ଼େ କାମ ଶୀଘ୍ର ହୋଇଯାଉଛି। ଆଉ ଯେଉଁ ନେତାମାନେ ନିଜର ସ୍ୱାଭିମାନକୁ ବଜାୟ ରଖି ସେହି ନିର୍ଦ୍ଦିଷ୍ଟ ଅଫିସରଙ୍କୁ ‘ବାବୁ’ ଡାକି ଦଳୀୟ ଓ ପ୍ରଶାସନିକ କାର୍ଯ୍ୟ ନିମନ୍ତେ ଅନୁରୋଧ କରୁଛନ୍ତି,ସେମାନଙ୍କ କାମ କୁଆଡ଼େ ସେତେଦିନ ଧରି ଅଟକି ରହୁଛି, ଯେପର୍ଯ୍ୟନ୍ତ ଦ୍ୱିତୀୟ କ୍ଷମତାକେନ୍ଦ୍ର ସେଥିରେ ହସ୍ତକ୍ଷେପ ନକରିଛନ୍ତି। ଅବଶ୍ୟ ତୃତୀୟ ମହଲାର ଏହି ଅଫିସରମାନଙ୍କ ଏଭଳି ରାଜକୀୟ ଶୈଳୀ ଓ ଆଚରଣ ସମ୍ପର୍କରେ କୁଆଡ଼େ କ୍ଷମତାକେନ୍ଦ୍ରଙ୍କୁ ଅନ୍ଧାରରେ ରଖାଯାଇଛି।
ଚର୍ଚ୍ଚା ହେଉଛି, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ କୁଆଡ଼େ ଏବେ ଦଳର ନେତାମାନଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ଦୁର୍ଲଭ ହୋଇପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ନଚାହିଁବା ପର୍ଯ୍ୟନ୍ତ କୁଆଡ଼େ କୌଣସି ଜଣେ ବି ନେତା ନିଜଆଡ଼ୁ ତାଙ୍କୁ ଭେଟିବା ସମ୍ଭବପର ହେଉନାହିଁ। ଉଭୟ ଦଳୀୟ ଓ ପ୍ରଶାସନିକ କାର୍ଯ୍ୟ ପାଇଁ କୁଆଡ଼େ ତୃତୀୟ ମହଲାରେ ନିର୍ଦ୍ଧିଷ୍ଟ ଦାୟିତ୍ୱରେ ଥିବା ଅଫିସରମାନଙ୍କୁ ଭେଟିବାକୁ ଅଘୋଷିତ ନିର୍ଦ୍ଦେଶ ଦିଆଯାଇଛି।
ଶୁଣିବାକୁ ମିଳୁଛି, ଯେଉଁ ପ୍ରଭାବଶାଳୀ ଓ ବରିଷ୍ଠ ରାଜନେତାମାନେ ତୃତୀୟ ମହଲାର କ୍ଷମତାକେନ୍ଦ୍ରଙ୍କୁ ଗତ ସାଧାରଣ ନିର୍ବାଚନବେଳେ ‘ବାବୁ’ ବୋଲି ସମ୍ବୋଧନ କରୁଥିଲେ ଏବେ ସେହିମାନେ ହିଁ ‘ସାର୍’ ଡାକିବାକୁ ବାଧ୍ୟ ହେଉଛନ୍ତି। ୨୦୧୨ ମେ’ ୨୯ ଘଟଣାରେ ପ୍ୟାରୀ ମହାପାତ୍ର ଏପିସୋଡରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ କିଛିବର୍ଷ ପାଇଁ ଦଳରେ କେବଳ ସୁପ୍ରିମୋଙ୍କୁ ହିଁ ‘ସାର୍’ ସମ୍ବୋଧନ କରୁଥିବା ବିଜେଡିର ମନ୍ତ୍ରୀ-ବିଧାୟକ ଓ ଦଳୀୟ ନେତାମାନେ ଏବେ କୁଆଡ଼େ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କୁ ‘ସାର୍ ’ ଡାକିବାକୁ ବିବଶ ହେଉଛନ୍ତି।
ତୃତୀୟ ମହଲା ବାବୁ ଏତେ ଶୀଘ୍ର ସୁପ୍ରିମୋଙ୍କ ଆସ୍ଥାଭାଜନ ହୋଇ ଅତ୍ୟନ୍ତ ପାୱାରଫୁଲ୍ ହେବାକୁ ନେଇ ଏବେ ଏକ ରୋଚକ ତଥ୍ୟ ବିଜେଡି ମହଲରେ ଚର୍ଚ୍ଚାର କାରଣ ପାଲଟିଛି।
ଶୁଣିବାକୁ ମିଳୁଛି, ସୁପ୍ରିମୋଙ୍କ ନାଁ ଓ ସାଙ୍ଗିଆକୁ ମିଶାଇଲେ ଯେଉଁ ଶବ୍ଦ ସୃଷ୍ଟି ହେଉଛି ତାହା କୁଆଡ଼େ କ୍ଷମତାକେନ୍ଦ୍ରଙ୍କ ପୈତୃକ ଗାଁ ଅର୍ଥାତ ଜନ୍ମସ୍ଥାନର ନାଁ।ଆଉ ବିଜେଡି ଇତିହାସରେ ପ୍ୟାରୀ ମହାପାତ୍ର ଯେଉଁ ଦିନ(ମେ’ ୨୯) କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିଲେ ସେଦିନ କୁଆଡ଼େ ବର୍ତ୍ତମାନର କ୍ଷମତାକେନ୍ଦ୍ରଙ୍କ ଜନ୍ମଦିନ ଥିଲା। ତେଣୁ ସୁପ୍ରିମୋ ଓ ଦଳ ସହ ଏହି ସଂଯୋଗ କୁଆଡ଼େ ତୃତୀୟ ମହଲା ବାବୁଙ୍କୁ ଦ୍ୱିତୀୟ କ୍ଷମତାକେନ୍ଦ୍ର କରାଇଛି ବୋଲି ଚର୍ଚ୍ଚା।
from Odisha Reporter https://ift.tt/2F62daS
No comments:
Post a Comment