ଦ୍ୱିତୀୟ ଟି-ଟ୍ୱେଣ୍ଟି: ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ‘ଟିମ୍ କଙ୍ଗାରୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

ଦ୍ୱିତୀୟ ଟି-ଟ୍ୱେଣ୍ଟି: ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ‘ଟିମ୍ କଙ୍ଗାରୁ’

ମେଲବୋର୍ଣ୍ଣ: ‘ଗାବା’ରେ ଭାରତ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ବହୁ ପ୍ରତୀକ୍ଷିତ ବିଜୟ ଘରୋଇ ଅଷ୍ଟ୍ରେଲିଆର ଡ୍ରେସିଂ ରୁମ୍‌ରେ ନୂଆ ଜୋସ୍‌ ଅବଶ୍ୟ ଭରିଛି। ଏହି ଆତ୍ମବିଶ୍ୱାସକୁ ପୁଞ୍ଜି କରି ଆରୋନ୍ ଫିଞ୍ଚ୍‌ଙ୍କ ନେତୃତ୍ୱାଧୀନ ‘ଟିମ୍‌ କଙ୍ଗାରୁ’ ୩ଟିକିଆ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ କବ୍‌ଜା କରିବା ପାଇଁ ମେଲବର୍ଣ୍ଣରେ ଶୁକ୍ରବାର ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

ତେବେ ବର୍ଷା କାରଣରୁ ଡିଏଲ୍‌ ନିୟମ ଅନୁସାରେ ଅଷ୍ଟ୍ରେଲିଆ ସ୍କୋର୍‌ ତୁଳନାରେ ଅଧିକ ରନ୍‌ର ବିଜୟ ଟାର୍ଗେଟକୁ ଛୁଇଁ ପାରି ନ ଥିବା କ୍ୟାପ୍‌ଟେନ୍‌ କୋହଲିଙ୍କ ‘ଟିମ୍ ଇଣ୍ଡିଆ’ ସିରିଜ୍‌ ବରାବର୍ କରିବାର ସୁଯୋଗକୁ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ହାତଛଡ଼ା କରିବାକୁ ଚାହିଁବ ନାହିଁ। ତେବେ ଏଥିପାଇଁ ଭ୍ରମଣକାରୀ ଦଳ ନିଜ ରଣନୀତି ପରିବର୍ତ୍ତନ କରିପାରେ।

ବଲ୍‌ ଟ୍ୟାମ୍ପରିଂ ବିବାଦରେ ବାସନ୍ଦ ହୋଇଥିବା ନିୟମିତ ଅଧିନାୟକ ଷ୍ଟିଭ୍ ସ୍ମିଥ୍‌ ଓ ଡେପୁଟୀ ଡେଭିଡ୍‌ ୱାର୍ଣ୍ଣର୍‌ଙ୍କ ବିନା କ୍ରିକେଟ୍‌ର ସବୁ ଫର୍ମାଟ୍‌ରେ ଦୟନୀୟ ପ୍ରଦର୍ଶନ କରିଥିବା କଙ୍ଗାରୁ ଦଳ ବ୍ରିସ୍‌ବେନ୍‌ରେ ଭାରତ ବିପକ୍ଷ ମୁକାବିଲା ଜିତି ଗତ୨୩ ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ମାତ୍ର ଷଷ୍ଠ ବିଜୟ ପାଇଛି। ଏଥିରୁ ପୁଣି ଦୁଇଟି ଅପେକ୍ଷାକୃତ ଦୁର୍ବଳ ଜିମ୍ବାୱେ ଓ ୟୁଏଇ ଟିମ ବିପକ୍ଷରେ ରହିଛି।

ତେବେ ‘ଗାବା’ରେ ଚଳିତ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଉଭୟ ଦଳ ମଧ୍ୟରେ ବୃହତ୍‌ ଫରକର ଝଲକ ଦେଇଥିଲେ କଙ୍ଗାରୁ ଅଲ୍‌ରାଉଣ୍ଡର୍‌ ମାର୍କସ୍‌ ଷ୍ଟଇନିସ୍‌। ପାରମ୍ପରିକ ଅଷ୍ଟ୍ରେଲୀୟ ବୋଲର୍‌ଙ୍କ ଭଳି ଲମ୍ବା ଓ ବଳିଷ୍ଠ ଶରୀର ଧାରୀ ଷ୍ଟଇନିସ୍‌ ପ୍ରଥମ ଇନିଂସ୍‌ରେ ମାତ୍ର ୧୯ଟି ବଲ୍‌ରୁ ୩ ଚୌକା ଓ ଗୋଟିଏ ଛକା ସହ ବିସ୍ଫୋରକ ୩୩ ରନ୍‌ର ପାଳି ଖେଳି ଘରୋଇ ଦଳକୁ ବୃହତ୍‌ ସ୍କୋର୍‌ ଦେବାରେ ସକ୍ଷମ ହୋଇଥିଲେ, ଯାହା ପ୍ରତିପକ୍ଷଙ୍କ ପାଇଁ ପରେ ଘାତକ ସାବ୍ୟସ୍ତ ହୋଇଥିଲା।

ଖାଲି ଏତିକି ନୁହେଁ, ନିଜ କୋଟା (୧୭ ଓଭର୍‌ ବିଶିଷ୍ଟ ମ୍ୟାଚ୍‌ରେ ୩ ଓଭର୍‌) ସାରିବା ସହ ଡେଥ୍ ଓଭର୍‌ ବୋଲିଂ ସମ୍ଭାଳି ସେ ପ୍ରତିପକ୍ଷଙ୍କ ବିଜୟକୁ ରୋକିବାରେ ସଫଳ ମଧ୍ୟ ହୋଇଥିଲେ।

ଅଷ୍ଟ୍ରେଲିଆ ଦଳରେ ଶେନ୍‌ ୱାଟ୍‌ସନ୍‌ଙ୍କ ପରେ ଷ୍ଟଇନିସ୍‌ଙ୍କ ଭଳି ଜଣେ ମ୍ୟାଚ୍‌ ବିଜୟୀ ଅଲ୍‌ରାଉଣ୍ଡର୍‌ର ଅଭାବ ଏବର ଭାରତୀୟ ଟିମ୍‌ରେ ନିଶ୍ଚୟ ଅନୁଭୂତ ହେଉଛି। ସାନଭାଇ ହାର୍ଦ୍ଦିକ୍‌ଙ୍କ ବଦଳରେ ଏହି ଶୂନ୍ୟତା ପୂରଣ କରିବାର ସୁଯୋଗ ପାଇଥିବା ବାମହାତୀ କୃନାଲ୍‌ ପାଣ୍ଡ୍ୟା ପ୍ରଥମ ମ୍ୟାଚ୍‌ରେ ବିଫଳ ହୋଇ ଭାରତର ଚିନ୍ତା ବଢ଼ାଇ ଦେଇଛନ୍ତି।

ତେବେ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ କୃନାଲ୍‌ଙ୍କୁ ପୁଣି ଏକ ସୁଯୋଗ ଦେବାକୁ ଟିମ୍ ମ୍ୟାନେଜ୍‌ମେଣ୍ଟ ଚାହିଁଲେ, ପୂର୍ବରୁ ‘ମ୍ୟାଚ୍‌ ବିଜୟୀ’ ପ୍ରମାଣ ଦେଇଥିବା ରିଷ୍ଟ୍‌ ସ୍ପିନର୍‌ ୟଜୁବେନ୍ଦ୍ର ଚହଲ୍‌ଙ୍କୁ ବାମହାତୀ ଦ୍ରୁତ ବୋଲର୍ ଖଲିଲ୍‌ ଅହମ୍ମଦଙ୍କ ସ୍ଥାନରେ ଆଣି ନିଜ ପାରମ୍ପରିକ ସ୍ପିନ୍ ଅସ୍ତ୍ରରେ ବିରାଟ ବାହିନୀ ଘରୋଇ ଦଳକୁ ଘାଇଲା କରିବାର ଯୋଜନା କରିପାରେ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ‘ଗାବା’ରେ ଲୋକେଶ ରାହୁଲ୍‌ଙ୍କ ପାଇଁ ନିଜ ପ୍ରିୟ ୩ ନମ୍ବର ସ୍ଥାନ ତ୍ୟାଗ କରିଥିବା ଅଧିନାୟକ ବିରାଟ୍‌ ଦଳୀୟ ସ୍କୋର୍‌କୁ ଗତିଶୀଳ କରିବା ସହ ସ୍ଥିରତା ଦେବା ପାଇଁ ନିଜ ପୂର୍ବ ସ୍ଥାନକୁ ଫେରିବା ଜରୁରୀ। ଆଉ ରାହୁଲ୍‌ଙ୍କୁ ପୁଣି ସୁଯୋଗ ଦେବାକୁ ନ ଚାହିଁଲେ ଶ୍ରେୟସ୍‌ ଆୟର୍‌ ମିଡିଲ୍ ଅର୍ଡର୍‌ ପାଇଁ ପ୍ରମୁଖ ଦାବିଦାର୍‌ ରହିବେ।

ଅନ୍ୟପକ୍ଷରେ ବିଜୟ ଧାରାକୁ କାଏମ୍‌ ରଖିବାକୁ ଚାହୁଁଥିବା ଘରୋଇ ଦଳ ପ୍ଲେଇଂ ଇଲେଭେନ୍‌ରେ ସେପରି ପରିବର୍ତ୍ତନ କରିବାକୁ ଚାହିଁବ ନାହିଁ। ଆଉ ଯଦି ବି କରିବ, ତେବେ ଏକମାତ୍ର ବଦଳ ଭାବେ ଦ୍ରୁତ ବୋଲର୍‌ କୁଟର ନାଇଲ୍‌, ଆଣ୍ଟ୍ର୍ୟୁ ଟାଇ ବା ଜେସନ୍‌ ବେହରନ୍‌ଡଫ୍‌ଙ୍କ ସ୍ଥାନରେ ସାମିଲ୍ ହୋଇପାରନ୍ତି।

ଶୁକ୍ରବାର ଏହି ମ୍ୟାଚ୍‌ ମେଲବୋର୍ଣ୍ଣରେ ଭାରତୀୟ ସମୟ ଅପରାହ୍ନ ସାଢ଼େ ଗୋଟାଏରୁ ଆରମ୍ଭ ହେବ।

୨୫ ତାରିଖରେ ସିରିଜ୍‌ର ଅନ୍ତିମ ଟି-ଟ୍ୱେଣ୍ଟି ମ୍ୟାଚ୍‌ ସିଡ୍‌ନୀରେ ହେବ।

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ୍ ଶର୍ମା, ଶିଖର ଧୱନ୍‌, ବିରାଟ୍ କୋହଲି(ଅ), ଲୋକେଶ୍ ରାହୁଲ୍‌/ଶ୍ରେୟସ୍ ଆୟର୍‌,ରିଷଭ ପନ୍ତ(ୱି), ଦିନେଶ କାର୍ତ୍ତିକ, କୃନାଲ୍‌ ପାଣ୍ଡ୍ୟା, ଭୁବନେଶ୍ୱର କୁମାର୍‌, କୁଲ୍‌ଦୀପ ଯାଦବ୍‌, ଯଶ୍‌ପ୍ରୀତ୍‌ ବୁମ୍ରା, ୟଜୁବେନ୍ଦ୍ର ଚହଲ୍‌/ଖଲିଲ୍ ଅହମ୍ମଦ।

ସମ୍ଭାବ୍ୟ ଅଷ୍ଟ୍ରେଲିଆ ଦଳ: ଆରୋନ୍ ଫିଞ୍ଚ୍‌(ଅ), କ୍ରିସ୍‌ ଲିନ୍‌, ଡି.ଅର୍ସି ସର୍ଟ, ଗ୍ଲେନ୍‌ ମ୍ୟାକ୍ସୱେଲ୍‌, ବେନ୍ ମ୍ୟାକଡର୍‌ମଟ୍ଟ, ଆଲେକ୍ସ କ୍ୟାରୀ(ୱି), ମାର୍କସ୍‌ ଷ୍ଟଇନିସ୍‌, ଆଦାମ୍ ଜାମ୍ପା, ନାଥାନ୍ କୁଟର-ନାଇଲ୍‌/ଆଣ୍ଡ୍ର୍ୟୁ ଟାଇ, ଜାସନ୍‌ ବେହରନ୍‌ଡ୍ରଫ୍‌, ବିଲି ଷ୍ଟାନ୍‌ଲେକ୍‌।



from Odisha Reporter https://ift.tt/2TFZuIG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages