ଭୋଟ୍ ପାଇବ କିଏ? ବିଜୁ ଜନତା ଦଳ ନା ‘ବ୍ୟୁରୋକ୍ରାଟ୍ସ ଜୁମଲା ଦଳ’ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

ଭୋଟ୍ ପାଇବ କିଏ? ବିଜୁ ଜନତା ଦଳ ନା ‘ବ୍ୟୁରୋକ୍ରାଟ୍ସ ଜୁମଲା ଦଳ’ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ବିଜେଡିର ଭାଗ୍ୟ ଏବେ କିଏ ନିର୍ଦ୍ଧାରଣ କରୁଛି? ରାଜନେତା ନା ବ୍ୟୁରୋକ୍ରାଟ୍? ଦଳରେ ନେତାମାନଙ୍କ ଇଜ୍ଜତ ଓ ସ୍ଥିତି ଯାହା, ସେଥିରେ ଆଉଥରେ ବିଜେଡିକୁ ଭୋଟ ଦେଇ ଜିତାଇଲେ କେବଳ ଦଳେ ବ୍ୟୁରୋକ୍ରାଟ ବା ଅଫିସରଙ୍କୁ ପୁଣିଥରେ ରାଜ୍ୟର ଭାଗ୍ୟବିଧାତା କରିବା ସାର ହେବ ନାହିଁ କି ? ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟବାସୀଙ୍କ ମନରେ ଏଭଳି ପ୍ରଶ୍ନ ଓ ଦ୍ୱନ୍ଦ୍ୱ ଉଙ୍କି ମାରିବାରେ ଲାଗିଛି।

ସାଧାରଣ ଲୋକଙ୍କ ମଧ୍ୟରେ ଚାଲିଥିବା ଚର୍ଚ୍ଚାକୁ ଆଧାର କରି ‘ଓଡ଼ିଶା ରିପୋର୍ଟର’ ପକ୍ଷରୁ ହୋଇଥିବା ଖୋଳତାଡ଼ରୁ ଜଣାପଡ଼ିଛି ଯେ, ଉଭୟ ବିଜେଡି ଓ ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମାତ୍ରାଧିକ ହସ୍ତକ୍ଷେପ ହିଁ ରାଜ୍ୟରେ ଏକ ନୂଆ ପରମ୍ପରାକୁ ଜନ୍ମ ଦେଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦଳୀୟ ନେତାଙ୍କ ପ୍ରତି ଅବିଶ୍ୱାସ ଓ ଅଣଓଡ଼ିଆ ବ୍ୟୁରୋକ୍ରାଟଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳତା ହିଁ କିଛି ହାତଗଣତି ବ୍ୟୁରୋକ୍ରାଟଙ୍କୁ ଉଭୟ ବିଜେଡି ଓ ଓଡ଼ିଶା ଶାସନରେ ନିଜର ହାକିମାତି ଦେଖାଇବାର ସୁଯୋଗ ଆଣି ଦେଇଛି।

‘ବ୍ୟୁରୋକ୍ରାଟ୍ସ ଜୁମଲା ଦଳ’

ଯଦିଓ ଶାସନ ବ୍ୟବସ୍ଥା ଓ ଶାସକ ଦଳରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପୂର୍ବରୁ ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲା, ତଥାପି ଏବେ ଯେଭଳି କର୍ପୋରେଟ ଶୈଳୀରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ କାମ କରୁଛି ତାହା ବିଜେଡି ବିଧାୟକ ଓ ମନ୍ତ୍ରୀମାନଙ୍କ କ୍ଷମତାକୁ ସଙ୍କୁଚିତ କରିବା ସହ ସରକାରରେ ଅଣଓଡ଼ିଆ ଅଫିସରଙ୍କ ପ୍ରଭାବ ବୃଦ୍ଧି କରିବାରେ ଲାଗିଛି। ଏହି କାରଣରୁ ବିଜେଡିକୁ ଏବେ ‘ବିଜୁ ଜନତା ଦଳ’ ପରିବର୍ତ୍ତେ ‘ବ୍ୟୁରୋକ୍ରାଟ୍ସ ଜୁମଲା ଦଳ’ ( Bureaucrats’ Jumla Dal ) ପାଲଟିଛି ବୋଲି ବିରୋଧୀମାନେ ଅଭିଯୋଗ କରିବାକୁ ପଛାଉ ନାହାନ୍ତି।

୨୦୧୯ ସାଧାରଣ ନିର୍ବାଚନରେ ବିଜେଡି କାହାକୁ ପ୍ରାର୍ଥୀ କରିବ? କିଏ ଶାସନ ଦାୟିତ୍ୱରେ ରହିବେ? କେଉଁ ଜିଲ୍ଲାରେ କେଉଁ ରାଜନେତାଙ୍କୁ ସ୍ଥାନୀୟ ପ୍ରଶାସନ ଗୁରୁତ୍ୱ ଦେବ, ତାହା ଏବେ ତୃତୀୟ ମହଲା ସ୍ଥିର କରିବାରେ ଲାଗିଛି। ଶାସନ କଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଥିବା କିଛି ନିର୍ଦ୍ଦିଷ୍ଟ ଅଫିସରଙ୍କ ଇଙ୍ଗିତରେ ପରିଚାଳିତ ହେଉଛି। ଯେଉଁମାନେ ବିଭିନ୍ନ ବିଭାଗର ନୋଡାଲ ଅଫିସର ହୋଇ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ବସିଥିଲେ ମଧ୍ୟ ଏମାନେ ବାସ୍ତବ କ୍ଷେତ୍ରରେ ‘ସୁପର ମିନିଷ୍ଟର’ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି।

ଜଣେ ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ ଅଫିସର ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ଗଣତନ୍ତ୍ରରେ କ୍ଷମତାର ବିକେନ୍ଦ୍ରୀକରଣ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଓଡ଼ିଶାରେ ସମସ୍ତ କ୍ଷମତା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଠୁଳ ହୋଇ ରହିଛି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରଠୁ ତୃତୀୟ ମହଲାରେ ପ୍ରତ୍ୟେକ ସମୟରେ କିଛି ନିର୍ଦ୍ଦିଷ୍ଟ ଅଫିସରଙ୍କ ମାଧ୍ୟମରେ ପାୱାର ଏକ୍ସରସାଇଜ୍ ହୋଇଥାଏ। ପ୍ୟାରୀ ମହାପାତ୍ର ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଥିବାବେଳେ ମଧ୍ୟ ବ୍ୟୁରୋକ୍ରାଟଙ୍କ ଉପରେ ନବୀନ ନିର୍ଭରଶୀଳ ଥିଲେ। ମାତ୍ର ସେତେବେଳେ ପ୍ୟାରୀଙ୍କ ପ୍ରଭାବ ଓ ରାଜନେତାଙ୍କ ମତାମତ ବିଜେଡିକୁ ରାଜନେତାଙ୍କ ଦଳ କରି ରଖିଥିଲା।

ଅଫିସରମାନଙ୍କ ମାତ୍ରାଧିକ କ୍ଷମତା ଉପଯୋଗ

କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଫିସରମାନଙ୍କ ଦ୍ୱାରା ମାତ୍ରାଧିକ କ୍ଷମତା ଉପଯୋଗ ହେଉଥିବାରୁ ବାସ୍ତବରେ କିଏ ଏ ରାଜ୍ୟକୁ ଶାସନ କରୁଛି ସେ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଛି।ନବୀନଙ୍କ ନାଁରେ ତୃତୀୟ ମହଲାର ନୋଡାଲ୍ ଅଫିସରମାନେ ଉଭୟ ବିଜେଡି ଓ ଶାସନ କାର୍ଯ୍ୟର ଚୂଡ଼ାନ୍ତ ନିଷ୍ପତ୍ତି ନେବାରେ ଲାଗିଛନ୍ତି। ଅଫିସରମାନଙ୍କ ଉପରେ ନବୀନଙ୍କ ମାତ୍ରାଧିକ ନିର୍ଭରଶୀଳତା ଓ ଦଳୀୟ ନେତାଙ୍କଠୁ ଦୂରେଇ ରହିବାର ଫାଇଦା ନେଇ ନୋଡାଲ ଅଫିସରମାନେ ରାଜ୍ୟ ଶାସନ ଓ ଶାସକ ଦଳକୁ ନିୟନ୍ତ୍ରଣ କରୁଥିବା ବିଜେଡି ମହଲରୁ ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ନିର୍ଦ୍ଦେଶରେ ସମଗ୍ର ଶାସନ ବ୍ୟବସ୍ଥା ନିୟନ୍ତ୍ରିତ ହେଉଥିବାରୁ ଶାସକ ବିଜେଡି ଦଳରେ ତାଙ୍କ ବିନା ଇସାରାରେ ପତ୍ର ହଲିବା ସମ୍ଭବପର ହେଉନି। ଯେଉଁଥିପାଇଁ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ବିନା ସମ୍ମତିରେ ଦଳୀୟ ଟିକେଟ୍ ନେବା କୌଣସି ଜଣେ ବି ବିଜେଡି ନେତା ପକ୍ଷେ ସହଜ ହେବନି।

ଲୋକେ ଭୋଟ ଦେବେ କାହାକୁ?

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ମାନସିକ ଚାପ ଓ କାର୍ଯ୍ୟବୋଝ ଲଦି ନଦେଇ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ଅଧୀନରେ ଥିବା ନୋଡାଲ ଅଫିସର ଟିମ୍ କାର୍ଯ୍ୟ କରୁଥିବାରୁ ରାଜ୍ୟରେ ବ୍ୟୁରୋକ୍ରାଟଙ୍କ ଶାସନ ଚାଲିଛି ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି। ବ୍ୟକ୍ତିଗତ ସଚିବଙ୍କ ଉପରେ ନବୀନଙ୍କ ମାତ୍ରାଧିକ ନିର୍ଭରଶୀଳତାକୁ ଦେଖି ବିଜେଡି ନେତାମାନେ ନିଜର ଟିକେଟ୍ କଟିବା ଭୟ ହେଉ ଅବା କ୍ଷମତା ପ୍ରତି ଲୋଭ ଯୋଗୁ ହେଉ ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି।

ଏଭଳି ସ୍ଥିତିରେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଯେଉଁମାନଙ୍କୁ ଦଳୀୟ ପ୍ରାର୍ଥୀ କରିବ, ସେମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନୋଡାଲ ଅଫିସରମାନଙ୍କୁ ନିଜର ‘ବସ୍’ ବୋଲି ଭାବିବା ସ୍ୱାଭାବିକ। ସେମାନେ ଉପରକୁ ବିଜେଡିର ନେତା ଭାବେ ବିଧାନସଭା କିମ୍ବା ଲୋକସଭା ନିର୍ବାଚନ ଲଢ଼ି ଜିତିଲେ ମଧ୍ୟ ବାସ୍ତବ ନିୟନ୍ତ୍ରଣ ଏହି ନୋଡାଲ ଅଫିସରମାନଙ୍କ ହାତରେ ରହିବ। ନବୀନଙ୍କ ଦୁର୍ବଳତାର ସୁଯୋଗ ନେଇ ଏହି ଅଫିସର ଗୋଷ୍ଠୀ ହିଁ ପ୍ରକୃତ ଶାସନ କରିବେ। ଯାହା ପରୋକ୍ଷରେ ବିଜେଡିର ନାଁକୁ ବିଜୁ ଜନତା ଦଳ ପରିବର୍ତେ ବୁରୋକ୍ରାଟ୍ ଜୁମଲା ଦଳ ଭାବେ ଚିହ୍ନିତ କରାଇବ।

 



from Odisha Reporter https://ift.tt/2DJ5VVF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages