‘ପାଣ୍ଡିଆନ୍‌ଙ୍କ ପାଇଁ ଅଟକିଛି ଭାଗଚାଷୀ ଆଇନ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

‘ପାଣ୍ଡିଆନ୍‌ଙ୍କ ପାଇଁ ଅଟକିଛି ଭାଗଚାଷୀ ଆଇନ୍‌’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ପାଇଁ ଭାଗଚାଷୀଙ୍କ ପାଇଁ ଆସିବାକୁ ଥିବା ଆଇନ୍‌ ଅଧାରେ ଅଟକି ରହିଥିଲା। ଆଜି ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇପାରିଲା ନାହିଁ। ଦିନକୁ ଦିନ ରାଜ୍ୟରେ ଚାଷୀଙ୍କ ସତ୍ୟାଗ୍ରହ ବିସ୍ଫୋରକ ରୂପ ନେଉଛି। ତଥାପି ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନାହିଁ। ରାଜଧାନୀ ମୁହାଁ ଚାଷୀଙ୍କ ସତ୍ୟାଗ୍ରହକୁ ଦେଖି ରାଜ୍ୟ ସରକାର କେବଳ ଲୋକ ଦେଖାଣିଆ ଭାବେ ମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି, କିନ୍ତୁ ଏହି ମନ୍ତ୍ରିସ୍ତରୀୟ କମିଟିର କିଛି ଅର୍ଥ ନାହିଁ ବୋଲି ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ କହିଛନ୍ତି।

ଡାକ୍ତର ରାଉତ କହିଛନ୍ତି- “ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ଗତ ୨୫ ତାରିଖରୁ ନବ ନିର୍ମାଣ କୃଷକ ସଙ୍ଗଠନ ସତ୍ୟାଗ୍ରହ ଆରମ୍ଭ କଲାଣି। ବିଭିନ୍ନ ସ୍ଥାନରୁ ଚାଷୀମାନେ ଚାଲିଚାଲି ରାଜଧାନୀକୁ ଆସୁଛନ୍ତି। ଏ ସମ୍ପର୍କରେ ରାଜ୍ୟ ସରକାର ପୂର୍ବରୁ ସୂଚନା ପାଇଥିଲେ। ଏହାସତ୍ତ୍ୱେ ସରକାର ଚାହିଁଥିଲେ, ଚାଷୀ ପ୍ରତିନିଧିଙ୍କୁ ଡାକି ଆଲୋଚନା କରିପାରିଥା’ନ୍ତେ। କିନ୍ତୁ ସେପରି କଲେନାହିଁ। ସତ୍ୟାଗ୍ରହୀ ଚାଷୀମାନେ ରାଜଧାନୀ ଭିତରକୁ ପ୍ରବେଶ କରିବା ପୂର୍ବରୁ ସରକାର ୧୪୪ ଧାରା ଜାରି କଲେ। ଆଉ ଏହାକୁ ନ ମାନି ଚାଷୀମାନେ ଯେତେବେଳେ ଧସେଇ ପଶିବାକୁ ଉଦ୍ୟମ କଲେ, ସେତେବେଳେ ପୁଲିସ ଲଗାଇ ସେମାନଙ୍କୁ ନାନା ହଇରାଣ କରାଗଲା, ଯାହା ହୃଦୟ ବିଦାରକ ଥିଲା।”

ବିଧାୟକ ରାଉତ ଆହୁରି କହିଛନ୍ତି- “ଚାଷ ହେଉଛି ଓଡ଼ିଆ ଜାତିର ବୃତ୍ତି ଓ ଜଗନ୍ନାଥ ସଂସ୍କୃତି ହେଉଛି ଆମର ସଂସ୍କୃତି। ଖାସ୍‌ ଚାଷକୁ ନେଇ ୧୨ ମାସରେ ୧୩ ପର୍ବ ପାଳନ କରାଯାଉଛି। ଅଥଚ ନିର୍ବୋଧ ରାଜ୍ୟ ସରକାର ଚାଷୀମାନଙ୍କ ସମସ୍ୟା ପ୍ରତି କର୍ଣ୍ଣପାତ କରୁନାହାନ୍ତି। ଯାହାଫଳରେ ରାଜ୍ୟର ଚାଷୀଙ୍କ ଅବସ୍ଥା ଦିନକୁ ଦିନ ଦୟନୀୟ ହେବାକୁ ଯାଉଛି।”

ଆପଣଙ୍କ ମନ୍ତ୍ରିତ୍ୱ ଅମଳରେ ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ ଉଦ୍ୟମ କରିଥିଲେ କି ପ୍ରଶ୍ନରେ ଡାକ୍ତର ରାଉତ କହିଛନ୍ତି- “୨୦୧୦ମସିହାରେ ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ ପଡ଼ିବ ବୋଲି କହିଥିଲି। ସେଥିପାଇଁ କୃଷି କମିଶନ ବସିଥିଲା। କିନ୍ତୁ ଯେତେବେଳେ କମିଶନ ରିପୋର୍ଟ ଦେଲା, ମୁଁ ସେତେବେଳକୁ ମନ୍ତ୍ରୀ ନଥିଲି। ତେଣୁ ସେହି ରିପୋର୍ଟ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ।”

ଡାକ୍ତର ରାଉତ କହିଛନ୍ତି- “ଭାଗଚାଷୀଙ୍କ ସମସ୍ୟା ନେଇ ୨୦୧୦ ମସିହାରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି। ଆଉ ଏହାପରେ ମୁଖ୍ୟମନ୍ତ୍ରୀ ୩ ଜଣ ଆଇଏଏସ୍‌ ଅଫିସରଙ୍କୁ ନେଇ ଏକ କମିଟି ଗଢ଼ିଥିଲେ। ଏହି କମିଟି ବିଭିନ୍ନ ରାଜ୍ୟ ବୁଲି ମୁଖ୍ୟମନ୍ତ୍ରୀଙ୍କୁ ଏକ ରିପୋର୍ଟ ଦେଇଥିଲେ। ସେହି ରିପୋର୍ଟକୁ ତର୍ଜମା କରିବା ପାଇଁ ମନ୍ତ୍ରିସ୍ତରୀୟ କମିଟି ହୋଇଥିଲା। ଏହି କମିଟିରେ ରାଜସ୍ୱମନ୍ତ୍ରୀ ଅଧ୍ୟକ୍ଷ ଏବଂ କୃଷି ଓ ସମବାୟ ମନ୍ତ୍ରୀ ସଦସ୍ୟ ରହିଥିଲେ। ତେବେ ପ୍ରଦତ୍ତ ରିପୋର୍ଟର ତର୍ଜମାରୁ ଜଣାପଡ଼ିଥିଲା ଯେ ଏହି ରିପୋର୍ଟକୁ କାର୍ଯ୍ୟକାରୀ କଲେ ଆମକୁ ୧୯୫୩ ମସିହାର ସ୍ଥିତିକୁ ଫେରିବାକୁ ପଡ଼ିବ। ଯେଉଁଥିପାଇଁ ସେ ରିପୋର୍ଟରେ ମୁଁ ରାଜି ହୋଇନଥିଲି। ବିଜୟଶ୍ରୀ ରାଉତରାୟଙ୍କ ପରେ ମହେଶ୍ୱର ମହାନ୍ତି ଏହି କମିଟିର ଅଧ୍ୟକ୍ଷ ହେଲେ। ଏହାପରେ ବାରମ୍ୱାର କମିଟି ବୈଠକ ବସିଲା ଓ ଆଲୋଚନା ବି ହୋଇଥିଲା। ସେତେବେଳେ ୧୯୬୫ ମସିହାର ଭୂ-ସଂସ୍କାର ଆଇନ୍‌ରେ ସଂଶୋଧନ ଆଣିଲେ, ରାଜ୍ୟର ଭାଗ ଚାଷୀଙ୍କ ସମସ୍ୟା ସମାଧାନ ହୋଇଯିବ ବୋଲି ମୁଁ ଯୁକ୍ତି କରିଥିଲି। ପରେ ସେଥିରେ ସେମାନେ ରାଜି ହୋଇଥିଲେ। ଏହି ନିଷ୍ପତ୍ତି ପରବର୍ତ୍ତୀ ବୈଠକରେ ଚୂଡ଼ାନ୍ତ ହେବାର ଥିଲା। ମାତ୍ର ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ସେହି ବୈଠକ ଆଉ ଡାକିଲେ ନାହିଁ। ଏ ସମ୍ପର୍କରେ ମୁଁ ତାଙ୍କୁ ପଚାରିବାରୁ ସେ ମୋ’ କାନ ପାଖରେ ଚୁପ୍‌ କରି କହିଲେ, ଦାମଭାଇ କାହିଁକି ସେଥିରେ ଲାଗିବା, ପାଣ୍ଡିଆନ୍‌ ମନା କରୁଛି। ପାଣ୍ଡିଆନ୍‌ ମନା କଲା ବୋଲି ଚାଷୀଙ୍କ ସମସ୍ୟା ସେହିଠାରେ ପଡ଼ି ରହିଲା। ଯାହାର ଆଜିପର୍ଯ୍ୟନ୍ତ ସମାଧାନ ହୋଇପାରୁ ନାହିଁ।”

ଦାମୋଦର କହିଛନ୍ତି, “ରାଜ୍ୟରେ ଚାଷୀଙ୍କ ଅବସ୍ଥା ଦିନକୁ ଦିନ ତଳିତଳାନ୍ତ ହେବାକୁ ଯାଉଛି। କାରଣ ଆମ ରାଜ୍ୟରେ ଯେତେ ଲୋକ ଚାଷ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ମଧ୍ୟରୁ ୮୨ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଚାଷୀ। ସେମାନେ ଯାହା ଉପାର୍ଜନ କରୁଛନ୍ତି, ସେଥିରେ ପରିବାର ଚଳାଇବା ସେମାନଙ୍କ ପକ୍ଷରେ କଷ୍ଟକର ହେଉଛି। ସେମାନଙ୍କୁ କୃଷି ଋଣ ଦିଆଯାଉନି ଓ ସବ୍‌ସିଡିରେ ସାର ଯୋଗାଇ ଦିଆଯାଉନାହିଁ। ଫଳରେ ଚଷୀଙ୍କ ଅବସ୍ଥାରେ ସୁଧାର ଆସି ପାରୁନାହିଁ।”

ଚାଷୀଙ୍କୁ ପେନ୍‌ସନ୍‌ ନେଇ ଦାମ କହିଛନ୍ତି- “ସରକାରୀ କର୍ମଚାରୀ ୩୦ରୁ ୪୦ ବର୍ଷ ଚାକିରି କରି ଅବସର ନେଉଛନ୍ତି। ପରେ ସେମାନଙ୍କୁ ପୁନଃନିଯୁକ୍ତି ମଧ୍ୟ ଦିଆଯାଉଛି। ଜଣେ ବିଧାୟକ ଥରେ ନିର୍ବାଚିତ ହୋଇଗଲେ, ଜୀବନ ସାରା ପେନ୍‌ସନ୍‌ ପାଉଛି। ଅଥଚ ଚାଷୀ, ଯିଏ ମୁଣ୍ଡର ଝାଳ ତୁଣ୍ଡରେ ମାରି ସାରା ଓଡ଼ିଆ ଜାତିର ମୁହଁରେ ଦାନା ଦେଉଛି, ସେମାନଙ୍କୁ ବାର୍ଦ୍ଧକ୍ୟରେ କାହିଁକି ପେନ୍‌ସନ୍‌ ଯୋଗାଇ ଦିଆନଯିବ ? ଚାଷୀଙ୍କୁ ପେନ୍‌ସନ୍‌ ମିଳିବା କଥା।”



from Odisha Reporter https://ift.tt/2RDd9hH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages