ଗଣମାଧ୍ୟମ ଓ ଗଣ ସଂଗଠନର କଣ୍ଠରୋଧ କରି ନବୀନ ପଟ୍ଟନାୟକ ସରକାର ନିଜର ସମାଧି ଖୋଳୁଛି : ଡାକ୍ତର ରାଉତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

ଗଣମାଧ୍ୟମ ଓ ଗଣ ସଂଗଠନର କଣ୍ଠରୋଧ କରି ନବୀନ ପଟ୍ଟନାୟକ ସରକାର ନିଜର ସମାଧି ଖୋଳୁଛି : ଡାକ୍ତର ରାଉତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚାଷୀ,ଶିକ୍ଷକଙ୍କଠୁ ଓକିଲ ଯାଏ ଆନ୍ଦୋଳନ କରୁଛନ୍ତି। ଆଉ ସରକାର ତାକୁ ଭଣ୍ଡୁର କରିବାରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର ଏବେ ଗଣମାଧ୍ୟମ ଓ ବିଭିନ୍ନ ଗଣ ସଂଗଠନର କଣ୍ଠରୋଧ କରିବାର ଯେଉଁ କୁତ୍ସିତ ପନ୍ଥା ଆପଣେଇଛନ୍ତି ସେଥିରେ ଶାସକ ଦଳ ଓ ରାଜ୍ୟ ସରକାର ନିଜର ସମାଧି ଖୋଳୁଛି ବୋଲି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ କହିଛନ୍ତି।

ଆଜି ଏକ ପ୍ରେସ୍ ରିଲିଜରେ ଡାକ୍ତର ରାଉତ କହିଛନ୍ତି, “ଚାଷୀ ହସିଲେ ରାଜ୍ୟ ହସିବ ବୋଲି ସରକାର କେବଳ ପ୍ରଚାର କରି ଚାଲିଛନ୍ତି। ନବନିର୍ମାଣ କୃଷକ ସଂଗଠନ ସୌଭାଗ୍ୟବଶତଃ ଅବହେଳିତ, ନିର୍ଯାତିତ, ଅଭାବଗ୍ରସ୍ତ ଓ ନାନା ଭାବରେ ଶୋଷିତ ଚାଷୀଙ୍କୁ ସଂଗଠିତ କରିପାରିଛନ୍ତି। କିନ୍ତୁ ହଜାର ହଜାର ଚାଷୀ ନିଜର ଦୁଃଖ ସରକାରଙ୍କ ନିକଟରେ ଜଣାଇବାକୁ ରାଜଧାନୀ ଆସିବାବେଳେ ସେମାନଙ୍କ ବାଟ ବନ୍ଦ କରିଦିଆଯାଉଛି। ପ୍ରତିବାଦର ସ୍ୱର ଯେଭଳି ଶୁଣାନଯିବ ସେଥିପାଇଁ ସେମାନଙ୍କର କଣ୍ଠରୋଧ କରାଯାଉଛି। ଚାଷୀ ଆନ୍ଦୋଳନକୁ ସରକାର ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

“ରାଜ୍ୟର ଶାସନ ମୁଖ୍ୟ ନବୀନ ପଟ୍ଟନାୟକ ଓଡ଼ିଆ ଭାଷା ଜାଣନ୍ତି ନାର୍ହି। ଭାଷା ଜାଣିନଥିବାରୁ ସେ ଲୋକଙ୍କ ଭାବ ବୁଝନ୍ତି ନାହିଁ। କେତେଜଣ ଅଣଓଡ଼ିଆ ପଦାଧିକାରୀ ଓ ସମ୍ପତ୍ତି ପାଇଁ ରାଜନୀତି କରୁଥିବା ହାତଗଣତି ଯୁବ ବିଧାୟକଙ୍କ ପରାମର୍ଶରେ ନବୀନ ପଟ୍ଟନାୟକ ଶାସନ କରୁଛନ୍ତି। ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରୁଥିବା କୃଷକ ଏ ଜାତିକୁ ଖାଦ୍ୟ ଯୋଗାଉଥିବାବେଳେ ସେମାନଙ୍କ ପାଇଁ ସ୍ୱୀକୃତି ନାହିଁ, ସମ୍ମାନ ନାହିଁ କିମ୍ବା ସେମାନେ କଠିନ ପରିଶ୍ରମ କରି ଉତ୍ପାଦନ କରୁଥିବା କୃଷିଜାତ ଦ୍ରବ୍ୟକୁ ଲାଭଜନକ ମୂଲ୍ୟ ମିଳେ ନାର୍ହି। ରାଜନେତା, ସରକାରୀ କର୍ମଚାରୀ, ନିର୍ମାଣ ଶ୍ରମିକ ପେନସନ୍ ପାଉଥିବାବେଳେ ବୟସ୍କ ଚାଷୀ ଅର୍ଦ୍ଧାହାର, ଅନାହାର ଓ ରୋଗ ବ୍ୟାଧିରେ ଶଢ଼ୁଛି । କିନ୍ତୁ ସେମାନଙ୍କ ପାଇଁ ପେନସନ୍ ନାହିଁ।

“ଓଡ଼ିଶା ହେଉଛି ଏକ କୃଷି ପ୍ରଧାନ ରାଜ୍ୟ। କୃଷି ହେଉଛି ଆମର ବୃତ୍ତି। କୃଷି କ୍ଷେତ୍ରରେ ନିଯୁକ୍ତ ଚାଷୀ ପରିବାରଙ୍କ ମଧ୍ୟରୁ ୮୨% ହେଉଛନ୍ତି କ୍ଷୁଦ୍ର ବା ନାମମାତ୍ର ଚାଷୀ। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭାଗଚାଷୀ। ଓଡ଼ିଶାରେ ଭାଗଚାଷୀଙ୍କ ସମସ୍ୟା ଅତ୍ୟନ୍ତ ଦୟନୀୟ। ଆଜି ବି ଶହଶହ ଏକର ଚାଷ ଜମିର ମାଲିକମାନେ ଭାଗଚାଷୀଙ୍କୁ ଶୋଷଣ କରୁଛନ୍ତି। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି କୃଷକଙ୍କୁ ନେଇ ବାରମାସରେ ତେରପର୍ବ ପାଳିତ ହୋଇଥାଏ। ହଜାର ହଜାର ବର୍ଷଧରି ଆମର କୃଷିକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସାଙ୍ଗରେ ଯୋଡ଼ି ଦିଆଯାଇଛି। ଆମ ରାଜ୍ୟରେ ସାଧାରଣ ଲୋକଙ୍କ ବୃତ୍ତି ହେଉଛି କୃଷି ଓ ଜଗନ୍ନାଥ ସଂସ୍କୃତି। କିନ୍ତୁ ରାଜ୍ୟ ଶାସନର ମୁଖ୍ୟ ନବୀନ ପଟ୍ଟନାୟକ ଏକଥା ଜାଣନ୍ତି ନାହିଁ।

“ଏଇ ସରକାର ଶିକ୍ଷକମାନଙ୍କର ନ୍ୟାୟଭିତ୍ତିକ ଦାବିପ୍ରତି ସମ୍ବେଦନଶୀଳତା ପରିହାର କରି ରାଜରାସ୍ତାରେ ବିକ୍ଷୋଭକାରୀ ଶିକ୍ଷକଙ୍କୁ ଲାଠି ମାଡ଼ରେ ଜବାବ ଦେଲେ। ସେହିଭଳି ସମ୍ପ୍ରତି ଶହ ଶହ ମାଇଲ ଅତିକ୍ରମ କରି ରାଜଧାନୀକୁ ଆସୁଥିବା ନବନିର୍ମାଣ କୃଷକ ସଂଗଠନର ହଜାର ହଜାର ଚାଷୀଙ୍କୁ ଜାତୀୟ ରାଜପଥ ଦେଇ ରାଜଧାନୀର ପ୍ରବେଶ ପଥକୁ ନିଷେଧ କରି ରାଜପଥରେ ୧୪୪ ଧାରା ଜାରି କରିଛନ୍ତି। ଏପରି ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ। କେବଳ ଏଠାରେ ହିଁ ଘଟୁଛି।

“ଶହ ଶହ କୋଟି ଟଙ୍କା ବ୍ୟୟରେ କେବଳ ପରିସଂଖ୍ୟାନର ଯାଦୁ, ସୋଶାଲ ମିଡିଆରେ ମନଲୋଭା ପ୍ରଚାର କରି ଅସତ୍ୟ ତଥ୍ୟକୁ ସତ୍ୟ ଭାବେ ପ୍ରତିପାଦିତ କରି ବିଜ୍ଞାପନ ପ୍ରଚାରରେ ସରକାର ଆତ୍ମସନ୍ତୋଷ ଲାଭ କରୁଛନ୍ତି। ଚାଷ ଜମିକୁ ପାଣି ଦେବା ଆଳରେ ହଜାର ହଜାର କୋଟି ଟଙ୍କା ବ୍ୟୟ କରାଯାଉଥିବାବେଳେ ଦିନକୁ ଦିନ ଜଳସେଚିତ ଜମିର ପରିମାଣ କମିବାରେ ଲାଗିଛି। ଅଥଚ ପ୍ରତିବର୍ଷ ୨୫% ଜଳସେଚନ ବୃଦ୍ଧି କରୁଛନ୍ତି ବୋଲି ସରକାର ଘୋଷଣା କରୁଛନ୍ତି।

“ଏବେ ରାଜ୍ୟରେ ଶିକ୍ଷିତ, ଉଚ୍ଚଶିକ୍ଷିତ, ବେକାର ଯୁବକଯୁବତୀଙ୍କ ସଂଖ୍ୟା ୬୦ଲକ୍ଷରୁ ଅଧିକ। ସେମାନଙ୍କର ନିଯୁକ୍ତି ନାହିଁ। ବିଜୁ ଯୁବ ବାହିନୀ, ‘ମୁଁ ହିରୋ ମୁଁ ଓଡ଼ିଶା’ ଭଳି ଅବାସ୍ତବ ଯୋଜନାରେ ସେମାନଙ୍କୁ ଖତମ କରି ଦିଆଯାଉଛି। ଅବକାରୀ ରାଜସ୍ୱ ବୃଦ୍ଧି ବାହାନାରେ ସାରା ରାଜ୍ୟରେ ମଦର ସମ୍ପ୍ରସାରଣ କରାଯାଉଛି। ୨୦୦୦ ମସିହାରେ ରାଜ୍ୟରେ ଅବକାରୀ ରାଜସ୍ୱ ୧୩୫କୋଟି ଟଙ୍କା ଥିବାବେଳେ ଚଳିତବର୍ଷ ଏହା ୩ହଜାର ୩ଶହ କୋଟିରେ ପହଞ୍ଚିଛି। ଏଭଳି ଅବାସ୍ତବ, ଅସତ୍ୟ, ପ୍ରଚାରସର୍ବସ୍ୱ ରାଜ୍ୟ ସରକାର ସବୁ ବର୍ଗର ସଂଗଠିତ, ଅଣସଂଗଠିତ ସଂଗଠନର ପଥରୋଧ ଓ କଣ୍ଠରୋଧ କରୁଛନ୍ତି। ତା’ର ନଗ୍ନ ଉଦାହରଣ ହେଉଛି ଆଜିର ନବନିର୍ମାଣ କୃଷକ ସଂଗଠନର ପଥରୋଧ ଓ କଣ୍ଠରୋଧ। ଏଥିପ୍ରତି ରାଜ୍ୟରେ ଜନଜାଗରଣ ଜରୁରୀ ହୋଇପଡ଼ିଛି।”

ସେହି ଦୃଷ୍ଟିରୁ ଯେଉଁ ପ୍ରୟାସ ହୋଇଛି ସେଥିପାଇଁ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାଙ୍କୁ ସେ ସାଧୁବାଦ ଜଣାଉଛନ୍ତି ବୋଲି ଡାକ୍ତର ରାଉତ ତାଙ୍କ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।



from Odisha Reporter https://ift.tt/2DmX8tk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages