
କୋଟ୍ଟୟମ୍: ସୋମବାର ପୁଣି ଥରେ ଖୋଲିବ ସାବରୀମାଲାର ଭଗବାନ ଆୟାପ୍ପାଙ୍କ ମନ୍ଦିର। ଏହାକୁ ନେଇ କେରଳର ବିଭିନ୍ନ ସଂଗଠନ ପୁଣି ସକ୍ରିୟ ହେବାକୁ ଆରମ୍ଭ କରିଥିବାବେଳେ ସୁରକ୍ଷା ମଧ୍ୟ କଡ଼ାକଡ଼ି କରାଯାଇଛି। ତେବେ ମାସିକ ଋତୁସ୍ରାବଯୋଗ୍ୟା ମହିଳାଙ୍କ ମନ୍ଦିର ପ୍ରବେଶକୁ ବିରୋଧ କରୁଥିବା ସଂଗଠନମାନେ ମନ୍ଦିର ଖୋଲିବାର ଖବର ସଂଗ୍ରହ ପାଇଁ ମହିଳା ସାମ୍ବାଦିକଙ୍କୁ ନପଠାଇବାକୁ ବିଭିନ୍ନ ଗଣମାଧ୍ୟମ ଅନୁଷ୍ଠାନକୁ ଆହ୍ୱାନ କରିଛନ୍ତି। ସାବରୀମାଲା କର୍ମା ସମିତି, ବିଶ୍ୱ ହିନ୍ଦୁ ପରିଷଦ ଏବଂ ହିନ୍ଦୁ ଐକ୍ୟବେଦୀ ପକ୍ଷରୁ ଏହି ଆହ୍ୱାନ ଦିଆଯାଇଛି। ୧୦-୫୦ ବୟସର ମହିଳାଙ୍କ ମନ୍ଦିର ପ୍ରବେଶ ଅଧିକାର ନେଇ ସୁପ୍ରିମ୍କୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ ପରେ କାଲି ଦ୍ୱିତୀୟ ଥର ପାଇଁ ମନ୍ଦିର ଖୋଲିବ।
ଏହି ରାୟ ପରେ ପ୍ରଥମ ଥର ପାଇଁ ଯେତେବେଳେ ମନ୍ଦିର ଖୋଲିଥିଲା, ମହିଳା ସାମ୍ବାଦିକଙ୍କୁ ରାସ୍ତାରେ ଆକ୍ରମଣ ହୋଇଥିଲା ଏବଂ ବିକ୍ଷୋଭକାରୀମାନେ ସେମାନଙ୍କ ଗାଡ଼ି ମଧ୍ୟ ଭିତରକୁ ଛାଡ଼ିନଥିଲେ। ଏବେ ସମିତି ପକ୍ଷରୁ ଜାରି କରାଯାଇଥିବା ଏକ ଚିଠିରେ କୁହାଯାଇଛି, ଆପଣ ଏହି ପ୍ରସଙ୍ଗକୁ ସମର୍ଥନ କରନ୍ତୁ କି ବିରୋଧ କରନ୍ତୁ, ତାହା ଅଲଗା କଥା। କିନ୍ତୁ ଏହି ବୟସର ମହିଳା କେବଳ ଖବର ସଂଗ୍ରହ ପାଇଁ ଯାଉଥିଲେ ମଧ୍ୟ ତାହା ସମସ୍ୟା ବଢ଼ାଇବ।
ଆସନ୍ତାକାଲି ସନ୍ଧ୍ୟାରେ ‘ଚିଥିରା ଆତ୍ତାବିଶେଷମ୍’ ଉପଲକ୍ଷେ ସ୍ୱତନ୍ତ୍ର ପୂଜା ପାଇଁ ମନ୍ଦିର ଦ୍ୱାର ଖୋଲିବ। ମଙ୍ଗଳବାରଦିନ ରାତି ୧୦ଟା ସମୟରେ ଏହାକୁ ବନ୍ଦ କରାଯିବ। ଅନ୍ୟପକ୍ଷରେ ନଭେମ୍ବର ୧୭ଠାରୁ ୩ ମାସଯାଏ ତୀର୍ଥ ଋତୁ ଚାଲୁ ରହିବ। ଏହି ସମୟରେ ସାବରୀମାଲାରେ ସର୍ବାଧିକ ଭିଡ଼ ଜମିଥାଏ।
from Odisha Reporter https://ift.tt/2AMh9H4
No comments:
Post a Comment