
ହାଇଦ୍ରାବାଦ: କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାଓବାଦୀ)ର ସାଧାରଣ ସମ୍ପାଦକ ତଥା ପ୍ରମୁଖ ନକ୍ସଲ ନେତା ମୁପ୍ପାଲା ଲକ୍ଷ୍ମଣ ରାଓ ଓରଫ ଗଣପତି ସ୍ୱାସ୍ଥ୍ୟଗତ ଏବଂ ବୟସାଧିକ ଜନିତ ସମସ୍ୟା କାରଣରୁ ଦାୟିତ୍ୱରୁ ଅବ୍ୟାହତି ନେଇଛନ୍ତି। ବର୍ତ୍ତମାନ ସେଣ୍ଟ୍ରାଲ ମିଲିଟାରୀ କମିଶନ୍ ମୁଖ୍ୟ ଦାୟିତ୍ୱରେ ଥିବା ଅନ୍ୟତମ ମୋଷ୍ଟ ୱାଣ୍ଟେଡ୍ ନାମ୍ବାଲା କେଶବ ରାଓ ଓରଫ ବାସଭା ରାଜୁ ଓରଫ ଗଗନ ଏହି ଦାୟିତ୍ୱ ତୁଲାଇବେ।
ସିପିଆଇ (ମାଓବାଦୀ) କେନ୍ଦ୍ରୀୟ କମିଟିର ମୁଖପାତ୍ର ଅଭୟଙ୍କ ସ୍ୱାକ୍ଷରିତ ୨ ପୃଷ୍ଠାର ଏକ ବିବୃତିରେ କୁହାଯାଇଛି, “ସ୍ୱସ୍ଥ୍ୟଗତ ସମସ୍ୟା ଭୋଗୁଥିବାରୁ ସାଧାରଣ ସମ୍ପାଦକ ନିଜଆଡୁ ଅବ୍ୟାହତି ନେବାକୁ ଘୋଷଣା କରିଛନ୍ତି। କମିଟିର ପଞ୍ଚମ ବୈଠକରେ ଏହି ନିଷ୍ପତ୍ତିକୁ ଅନୁମୋଦନ ଦିଆଯାଇଛି। ଏହି ପଦବୀ ପାଇଁ ବାସଭା ରାଜୁ ନିର୍ବାଚିତ ହୋଇଛନ୍ତି।”
ଗଣପତିଙ୍କୁ ବର୍ତ୍ତମାନ ୭୦ ବର୍ଷ ଏବଂ ବାସଭା ରାଜୁ ବର୍ତ୍ତମାନ ୬୦ ବର୍ଷରେ ପହଞ୍ଚି ସାରିଲେଣି। ପୂର୍ବତନ ସ୍କୁଲ ଶିକ୍ଷକ ଗଣପତି ୧୯୭୦ ମସିହାରେ ନକ୍ସଲ ଆନ୍ଦୋଳନରେ ଯୋଗ ଦେଇଥିଲେ। ୧୯୯୨ ମସିହାରେ ସେ ଆନ୍ଧ୍ରପ୍ରଦେଶ ଭିତ୍ତିକ ସପିଆଇ (ଏମ୍-ଏଲ)(ପିପୁଲ୍ସ ୱାର)ର ମୁଖ୍ୟ ଦାୟିତ୍ୱ ନେଇଥିଲେ। ୧୯୯୮ରେ ବିହାର ଭିତ୍ତିକ ସିପିଆଇ (ଏମ୍-ଏଲ୍) ସହିତ ଏବଂ ପରେ ୨୦୦୪ ମସିହାରେ ମାଓଇଷ୍ଟ କମ୍ୟୁନିଷ୍ଟ ସେଣ୍ଟର ଅଫ୍ ଇଣ୍ଡିଆ (ଏମ୍ସିସିଆଇ) ସହିତ ଏହାର ମିଶ୍ରଣ ଘଟି ସିପିଆଇ (ମାଓବାଦୀ) ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
୨୦୧୭ ମସିହାରେ ସ୍ୱାସ୍ଥ୍ୟଗତ ଏବଂ ବୟସାଧିକ୍ୟ ଜନିତ ସମସ୍ୟା ଭୋଗ କରୁଥିବା କମ୍ରେଡ୍ ମାନଙ୍କୁ ଦାୟିତ୍ୱରୁ ଅବ୍ୟାହତି ନେବାକୁ ଆହ୍ୱାନ କରାଯାଇଥିଲା। ସେମାନେ ନିଜ ଆଡ଼ୁ ଏଥିରୁ ଓହରି ନିଜ ସାଧ୍ୟମତେ ଦାୟିତ୍ୱ ନେବାକୁ ଏଥିରେ କୁହାଯାଇଥିଲା। ଏହାକୁ ପାଥେୟ କରି ଗଣପତିଙ୍କଠାରୁ ଏହି ପ୍ରଥା ଆରମ୍ଭ ହୋଇଛି।
ତେବେ ବସ୍ତରରେ ନିଯୁକ୍ତ ଜଣେ ଆଇପିଏସ୍ଙ୍କ କହିବା ଅନୁଯାୟୀ, ଏହା ଦ୍ୱାରା ପିପୁଲ୍ସ ଲିବରେସନ୍ ଗରିଲା ଆର୍ମିର କାର୍ଯ୍ୟକଳାପ ବୃଦ୍ଧି ପାଇବ। କାରଣ ବାସଭା ରାଜୁ ନକ୍ସଲଙ୍କ ବୌଦ୍ଧିକ ଗୋଷ୍ଠୀରୁ ନୁହେଁ, ସେ ସିଧା ମିଲିଟାରୀ ୟୁନିଟ୍ରୁ ଆସିଛନ୍ତି। ତେଣୁ ସେ ଗଣପତିଙ୍କଠାରୁ ଅଧିକ ଉଗ୍ର ବୋଲି ଚର୍ଚ୍ଚା ହେଉଛି। ସେ ଗତ ୬ ମାସ ହେଲା ଏହି ଦାୟିତ୍ୱ ନେଇ ସାରିଲେଣି ଏବଂ ବର୍ତ୍ତମାନର ଘୋଷଣା କେବଳ ଔପଚାରିକ ବୋଲି ଜଣାଯାଇଛି।
from Odisha Reporter https://ift.tt/2Q0YdNS
No comments:
Post a Comment