
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ଆସନ୍ତା ୨୮ ତାରିଖରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ହକି ବିଶ୍ୱକପ୍ ଆରମ୍ଭ ହେବ। ଉଦ୍ଘାଟନୀ ମ୍ୟାଚ୍ରେ ଭାରତ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ ଭେଟିବ। ତେବେ ଏହି ମହାମୁକାବିଲା ପୂର୍ବରୁ ଭାରତୀୟ ହକି ଟିମ୍ ଅଭ୍ୟାସ ମ୍ୟାଚ୍ରେ ନିଜର ଜଲୱା ଦେଖାଇଛି।
ଶୁକ୍ରବାର ଆର୍ଜେଣ୍ଟିନା ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ମନପ୍ରୀତ୍ ସିଂହଙ୍କ ଟିମ୍ ଇଣ୍ଡିଆ ୫:୦ରେ ବିଜୟୀ ହୋଇଛି। ଆର୍ଜେଣ୍ଟିନା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ହେଲେ ଭାରତୀୟ ଟିମ୍ ତା’ର ପ୍ରଥମ ଅଭ୍ୟାସ ମ୍ୟାଚ୍ରେ ଆର୍ଜେଣ୍ଟିନାକୁ ସଂପୂର୍ଣ୍ଣ ରୂପେ ଧରାଶାୟୀ କରିଛି।
ମ୍ୟାଚ୍ ଆରମ୍ଭରୁ ହିଁ ଟିମ୍ ଇଣ୍ଡିଆ ଆର୍ଜେଣ୍ଟିନା ଉପରେ ଚାପ ସୃଷ୍ଟି କରିଥିଲା। ଭାରତ ପକ୍ଷରୁ ହରମନ୍ପ୍ରୀତ ସିଂହ, ଲଳିତ ଉପାଧ୍ୟାୟ, ଦୀଲପ୍ରୀତ ସିଂହ, ନୀଳକଣ୍ଠ ଶର୍ମା ଓ ହାର୍ଦ୍ଦିକ ସିଂହ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ପ୍ରଥମ ଓ ତୃତୀୟ ଗୋଲ ପେନାଲ୍ଟି କର୍ଣ୍ଣରରୁ ମିଳିଥିବା ବେଳେ ବାକି ୩ଟି ଫିଲ୍ଡ୍ ଗୋଲ ହୋଇଥିଲା।
ପୂର୍ବରୁ ଏସିଆନ୍ ଗେମ୍ସ ଓ ଏସିଆନ୍ ଚାମ୍ପିୟନଶିପ୍ ଟ୍ରଫିରେ ଦଳ ପେନାଲ୍ଟି କର୍ଣ୍ଣରକୁ ଠିକ୍ ଭାବେ ଗୋଲରେ ପରିଣତ କରିପାରୁ ନଥିଲା। କିନ୍ତୁ ଅଭ୍ୟାସ ମ୍ୟାଚ୍ରେ ପେନାଲ୍ଟି କର୍ଣ୍ଣରରୁ ଗୋଲ ମିଳିଥିବାରୁ ଦଳର ମୁଖ୍ୟ କୋଚ ହରେନ୍ଦ୍ର ସିଂହ ଖୁସି ବ୍ୟକ୍ତ କରିଛନ୍ତି।
ଭାରତ ଆସନ୍ତାକାଲି ସ୍ପେନ୍ ବିପକ୍ଷରେ ତା’ର ଦ୍ୱିତୀୟ ତଥା ଅନ୍ତିମ ଅଭ୍ୟାସ ମ୍ୟାଚ୍ ଖେଳିବ।
from Odisha Reporter https://ift.tt/2KudqRU
No comments:
Post a Comment