
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରିବେଶ ସନ୍ତୁଳନ ପାଇଁ ବନ୍ୟପ୍ରାଣୀ ସୁରକ୍ଷା ଅତ୍ୟନ୍ତ ଜରୁରୀ। ହେଲେ ମାନୁଛି କିଏ ? ଗତ ପାଞ୍ଚ ବର୍ଷରେ ଅଢ଼େଇ ହଜାରରୁ ଅଧିକ ବନ୍ୟଜନ୍ତୁଙ୍କ ଜୀବନ ଯିବା ଫଳରେ ପରିବେଶ ପାଇଁ ସାଂଘାତିକ ବିପଦ ସୃଷ୍ଟି ହୋଇଛି। କେବେ ଦୈବୀ ଦୁର୍ଘଟଣାରେ ତ ଆଉ କେବେ ମନୁଷ୍ୟକୃତ କାରଣ ଯୋଗୁ ମରଣ ମୁହଁରେ ପଡୁଛନ୍ତି ବାଘ, ହାତୀ, ଭାଲୁ, ହରିଣ, ମୟୂର ସମେତ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ। ଏପରି ସ୍ଥିତିରେ ସେମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଯୋଜନା ଆଣିବାକୁ ପରାମର୍ଶ ଦେଉଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।
ଅକ୍ଟୋବର ୨୭ ତାରିଖରେ ଢେଙ୍କାନାଳ କମଳାଙ୍ଗରେ ବିଜୁଳି ଆଘାତରେ ୭ ହାତୀଙ୍କ ଜୀବନ ଚାଲିଗଲା। ସେପ୍ଟେମ୍ବର ୨୯ ଓ ୩୦ରେ ଆଠଗଡ଼ ବନଖଣ୍ଡରେ ୩ ହାତୀଙ୍କ ମୃତ୍ୟୁ ଘଟିଲା। ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଓ ନଭେମ୍ବର ୧୪ରେ ସାତକୋଶିଆରେ ମହାବଳ ବାଘର ମୃତ୍ୟୁ ହେଲା।
କେବଳ ହାତୀ କି ବାଘ ନୁହେଁ, ୨୦୧୫ ଡିସେମ୍ବର ୮ ତାରିଖରେ ଖୋର୍ଦ୍ଧା ମଧୁପୁର ଗ୍ରାମ୍ୟ ଜଙ୍ଗଲରେ ୨୦ ମୟୂରଙ୍କ ମୃତ୍ୟୁ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଗତ ଜୁଲାଇରେ ଗଞ୍ଜାମ ଭଞ୍ଜନଗରରେ ବନ୍ୟାପାଣିରେ ଭାସିଯାଇଥିଲେ ଶତାଧିକ କୃଷ୍ଣସାର ମୃଗ।
ବନ ବିଭାଗର ତଥ୍ୟ କହୁଛି, ଗତ ପାଞ୍ଚ ବର୍ଷରେ ରାଜ୍ୟରେ ୨ ହଜାର ୫୪୯ଟି ବନ୍ୟଜନ୍ତୁ ଆଖି ବୁଜିସାରିଲେଣି। ସର୍ବାଧିକ ମୃତ୍ୟୁ ହୋଇଛି ଗଜରାଜଙ୍କର। ଗତ ପାଞ୍ଚ ବର୍ଷରେ ୩୬୩ ହାତୀଙ୍କ ଜୀବନ ଯାଇଥିବାବେଳେ ୩୩୩ ଚିତ୍ରା ହରିଣ ଓ ୧୮୧ଟି ଭାଲୁଙ୍କ ଜୀବନ ବି ଯାଇଛି। ଏଭଳି କ୍ରମାଗତ ଭାବେ ବନ୍ୟପ୍ରାଣୀଙ୍କ ମୃତ୍ୟୁ ବର୍ତ୍ତମାନ ଉଦ୍ବେଗ ସୃଷ୍ଟି କରିଛି।
ଅଧିକାଂଶ କ୍ଷେତ୍ରରେ ମନୁଷ୍ୟକୃତ କାରଣ ଏହି ଜଙ୍ଗଲୀ ଜନ୍ତୁଙ୍କ ପାଇଁ କାଳ ସାଜିଛି। ବିଦ୍ୟୁତ୍ ତାର ବିଛାଇବା ହେଉ କି ରେଳ ଲାଇନ୍, ଦ୍ରୁତ ସହରୀକରଣ ହେଉ କିମ୍ବା ପଶୁ-ମଣିଷ ଲଢ଼େଇ ଏସବୁ ଭିତରେ ବନ୍ୟଜନ୍ତୁ ବଳି ପଡୁଛନ୍ତି। ବିଭିନ୍ନ କାରଣରୁ ଜଙ୍ଗଲ କ୍ଷୟ ଆଉ ଏକ ବିପଦ ଛିଡ଼ା ହୋଇଛି। ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଓ ବନ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ବି ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରୁନାହିଁ। ଏଭଳି ସ୍ଥିତିରେ ନିର୍ଦ୍ଦିଷ୍ଟ ଯୋଜନା ପ୍ରଣୟନ କରାଯାଇ ବନ୍ୟପ୍ରାଣୀ ମୃତ୍ୟୁହାରକୁ ରୋକିବାର ଆବଶ୍ୟକତା ଥିବା ମତ ରଖିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ଲାଲା ଅଶ୍ୱିନୀ କୁମାର ସିଂହ ଏବଂ ବିଶ୍ୱଜିତ ମହାନ୍ତି।
ସେହିପରି କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ ମଧ୍ୟ ରାଜ୍ୟରେ ଉଦବେଗଜନକ ଭାବେ ବଢ଼ୁଥିବା ହାତୀ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ମାନେକା।
ବିପଦରେ ବନ୍ୟପ୍ରାଣୀ ଥିବା ବେଳେ ରାଜ୍ୟରେ ଜଙ୍ଗଲ ବୃଦ୍ଧି ନେଇ ବାହାଦୂରୀ ମାରୁଥିବା ରାଜ୍ୟ ସରକାର ସେମାନଙ୍କୁ ସୁରକ୍ଷା କ୍ଷେତ୍ରରେ ଆଖିଦୃଶିଆ ପଦକ୍ଷେପ ନେବା ବି ଜରୁରୀ ହୋଇପଡ଼ିଛି।
from Odisha Reporter https://ift.tt/2FoIdR0
No comments:
Post a Comment