
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପ୍ର ଏକ ମ୍ୟାଚ୍ରେ ୟୁରୋପିଆନ୍ ହେଭିୱେଟ୍ ନେଦରଲ୍ୟାଣ୍ଡସ୍କୁ ଜର୍ମାନୀ ୪-୧ ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହ ଜର୍ମାନୀ କ୍ରମାଗତ ୨ଟି ମ୍ୟାଚ୍ ଜିତି କ୍ୱାର୍ଟର ଫାଇନାଲ୍ ଖେଳିବାକୁ ପ୍ରବଳ ଦାବିଦାର ବନିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତୃତୀୟ କ୍ୱାର୍ଟର ପର୍ଯ୍ୟନ୍ତ ସ୍କୋର ୧-୧ରେ ରହିଥିଲା। କିନ୍ତୁ ଜର୍ମାନୀ ଶେଷ କ୍ୱାର୍ଟରେ ଜବରଦସ୍ତ ପ୍ରଦର୍ଶନ କରି ୩ଟି ଗୋଲ୍ ସ୍କୋର କରିବା ସହ ନେଦରଲ୍ୟାଣ୍ଡସ୍କୁ ମାତ ଦେଇଥିଲା।
କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ଆଜିର ମ୍ୟାଚ୍ର ଆରମ୍ଭରୁ ଦୁଇ ଦେଶ ବେଶ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। କିନ୍ତୁ ନେଦରଲ୍ୟାଣ୍ଡସ୍ ମ୍ୟାଚ୍ର ୧୩ତମ ମିନିଟ୍ରେ ଗୋଲ କରିବାର ସୁଯୋଗ ପାଇଥିଲା। ଦଳର ପକ୍ଷରୁ ମିରକୋ ପ୍ରୁଇଜସେର ଗୋଲ କରି ନେଦରଲ୍ୟାଣ୍ଡସ୍କୁ ୧-୦ରେ ଆଗୁଆ କରି ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଜର୍ମାନୀ ଏହାକୁ ପରିଶୋଧ କରିବାକୁ ଯଥେଷ୍ଟ ଚେଷ୍ଟା କରିଥିଲା। କିନ୍ତୁ କ୍ୱାର୍ଟରର ଶେଷ ମିନିଟ୍ରେ ହିଁ ଦଳକୁ ଗୋଲର କରିବାର ସ୍ୱାଦ ମିଳିଥିଲା। ଦଳ ପକ୍ଷରୁ ମାଥିଆସ୍ ମୁଲେର ଗୋଲ ସ୍କୋର କରି ସ୍ଥିତି ୧-୧କୁ ଆଣିଥିଲେ।

ତୃତୀୟ କ୍ୱାର୍ଟରରେ ନେଦରଲ୍ୟାଣ୍ଡସ୍କୁ କ୍ରମାଗତ ୩ଟି ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ ଏହାକୁ ଗୋଲରେ ପରିଣତ କରିପାରି ନଥିଲା। ଦଳର ସବୁ ଉଦ୍ୟମକୁ ଜର୍ମାନୀ ଗୋଲକିପର ଭଣ୍ଡୁର କରିଦେଇଥିଲେ।
୪ର୍ଥ କ୍ୱାର୍ଟର ଆରମ୍ଭରୁ ମଧ୍ୟ ନେଦରଲ୍ୟାଣ୍ଡସ୍ର ଦବଦବା ଦେଖିବାକୁ ମିଳିଥିଲା। କିନ୍ତୁ ମ୍ୟାଚ୍ର ୫୨ ତମ ମିନିଟ୍ରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା। ଜର୍ମାନୀ ଅଧିକ ଆଟାକ୍ କରିବା ଆରମ୍ଭ କରିଥିଲା। ଜର୍ମାନୀ ପକ୍ଷରୁ ଲୁକାସ ୱିଣ୍ଡଫେଡର୍ ଏକ ଫିଲ୍ଡ ଗୋଲ କରି ମ୍ୟାଚ୍ରେ ଦଳକୁ ୨-୧ରେ ଆଗୁଆ କରିଦେଇଥିଲେ।
୫୪ତମ ମିନିଟ୍ରେ ମାରକୋ ମିଲଟ୍କଉ ଗୋଲ୍ ଦେଇ ଗୋଲ ବ୍ୟବଧାନକୁ ୩-୧ କରିଦେଇଥିଲେ। ସେହିପରି ୫୮ତମ ମିନିଟ୍ରେ ଜର୍ମାନୀକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଖ୍ରୀଷ୍ଟପୋର ରୁହର ଗୋଲରେ ପରିଣତ କରି ଗୋଲ ବ୍ୟବଧାନକୁ ୪-୧ କରିଦେଇଥିଲେ। ନେଦରଲ୍ୟାଣ୍ଡସ୍ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଗୋଲ୍ ବ୍ୟବଧାନକୁ ହ୍ରାସ କରିବାକୁ ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇ ପାରି ନଥିଲା।

from Odisha Reporter https://ift.tt/2RCjF8I
No comments:
Post a Comment