
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଫେବୃୟାରୀ ମାସ ଶେଷ ସୁଦ୍ଧା ଦଳୀୟ ଇସ୍ତାହାର ପ୍ରକାଶ କରାଯିବ ବୋଲି ଜଣାପଡ଼ିଛି। ଦଳର ଇସ୍ତାହାରକୁ ଫେବୃୟାରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଚୂଡ଼ାନ୍ତ କରିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।
ପିସିସି କାର୍ଯ୍ୟାଳୟରେ ଅନୁଷ୍ଠିତ ଇସ୍ତାହାର କମିଟିର ଦ୍ୱିତୀୟ ବୈଠକରେ ଶ୍ରୀ ପଟ୍ଟନାୟକ ଏହି ସମୟସୀମା ଧାର୍ଯ୍ୟ କରିଛନ୍ତି । ପିସିସି ଇସ୍ତାହାର କମିଟି ମୁଖ୍ୟ ପଦବୀରୁ ଶ୍ରୀକାନ୍ତ ଜେନାଙ୍କୁ ହଟାଇ ଗଣେଶ୍ୱର ବେହେରାଙ୍କୁ ଦାୟିତ୍ୱ ଦିଆଯିବା ପରେ ଗତକାଲି ଇସ୍ତାହାର କମିଟିର ଦ୍ୱିତୀୟ ବୈଠକ ବସିଥିଲା। ଇସ୍ତାହାରରେ ମୁଖ୍ୟତଃ ସାଧାରଣ ଲୋକଙ୍କ ସମସ୍ୟା ଓ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦିଆଯିବ। ସୋଶାଲ ମିଡିଆ ଓ ଅନଲାଇନରେ ମଧ୍ୟ ଲୋକଙ୍କ ମତାମତ ସଂଗ୍ରହ କରାଯିବ। ଇସ୍ତାହାର ପ୍ରସ୍ତୁତି ସମୟରେ ବିଶେଷଜ୍ଞମାନଙ୍କ ମତାମତ ନେବା ଓ ସ୍ଥାନୀୟ ସମସ୍ୟାକୁ ଅଧିକ ପ୍ରାଥମିକତା ଦେବାପାଇଁ ମଧ୍ୟ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।
କୃଷି ଋଣ ଛାଡ଼, ଚାଷୀଙ୍କୁ ୫ବର୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଆଦି ପ୍ରସଙ୍ଗ ଦଳୀୟ ଇସ୍ତାହାରରେ ସ୍ଥାନ ପାଇବ ବୋଲି କଂଗ୍ରେସ ଘୋଷଣା କରିସାରିଛି। ଅପରପକ୍ଷରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଥମ ପର୍ଯ୍ୟାୟ ତାଲିକା ମଧ୍ୟ ଅନୁରୂପ ଭାବେ ଫେବୃୟାରୀ ମାସ ଶେଷ ସୁଦ୍ଧା ଘୋଷଣା ହେବ ବୋଲି ଜଣାପଡ଼ିଛି।
୨୦୧୮ ଅଗଷ୍ଟ ଶେଷ ସୁଦ୍ଧା କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ, ମାତ୍ର ଡିସେମ୍ବର ଶେଷ ହେବାକୁ ବସିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା ସମ୍ଭବପର ହୋଇନି।
from Odisha Reporter http://bit.ly/2CB4IyR
No comments:
Post a Comment