
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବୁଲନ୍ଦଶହରରେ ୨୫ଟି ଗାଈଙ୍କ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଥିବା ଦଙ୍ଗା ଏବଂ ଏଥିରେ ଜଣେ ପୁଲିସ୍ ଇନ୍ସପେକ୍ଟରଙ୍କୁ ହତ୍ୟା କରାଯିବା ପଛରେ ସାଂଘାତିକ ଷଡ଼ଯନ୍ତ୍ର ରହିଛି ବୋଲି ଆଜି ରାଜ୍ୟର ପୁଲିସ୍ ମୁଖ୍ୟ କହିଛନ୍ତି। ଡିଜିପି ଓପି ସିଂହ କହିଛନ୍ତି,“ ବୁଲନ୍ଦଶହର ଦଙ୍ଗା ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି। ଏହା କେବଳ ଏକ ଆଇନ୍ ଶୃଙ୍ଖଳା ପରିସ୍ଥିତି ନୁହେଁ। ଏହି ଗାଁ ନିକଟ ଜଙ୍ଗଲକୁ ଗାଈଙ୍କ ମୃତଦେହ ଆସିଲା କେମିତି? କିଏ ଏଠାକୁ ମୃତଦେହ ଆଣିଥିଲା?”
ଆଗକୁ ସାଧାରଣ ନିର୍ବାଚନ ଥିବାରୁ କେହି ଉତ୍ତର ପ୍ରଦେଶରେ ସାଂପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ଏଭଳି କରିଥାଇ ପାରେ ବୋଲି ସନ୍ଦେହ କରି ପୁଲିସ୍ ତଦନ୍ତ ଆରମ୍ଭ କରିଛି।
ଅନ୍ୟପକ୍ଷରେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ଯୋଗେଶ ଗାଈ ଗୁଡ଼ିକର ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏଥିସହ ସେ ପୁଲିସ୍ ନିକଟରେ ଏକ ଏଫ୍ଆଇଆର୍ ମଧ୍ୟ ରୁଜୁ କରିଛନ୍ତି। ସେ ନିଜର ଅଭିଯୋଗରେ ଜଣେ ୧୧ ବର୍ଷୀୟ ଓ ଜଣେ ୧୨ ବର୍ଷୀୟ ନାବାଳକଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛନ୍ତି। ଏଥିସହ ସହ ଗାଁରେ କେହି ଚିହ୍ନି ନଥିବା ୩ ଜଣ ବ୍ୟକ୍ତିଙ୍କ ନାଁ ମଧ୍ୟ ଏଥିରେ ରହିଛି। କିନ୍ତୁ ଏହି ଦୁଇ ନାବାଳକ ଗାଁରେ ଘଟଣା ଦିନ ନଥିଲେ ବୋଲି ତାଙ୍କ ବାପା କହିଛନ୍ତି। ପୁଲିସ୍ ମଧ୍ୟ ଏହାକୁ ବିଶ୍ୱାସ କରିଛି। ଏତେ ଛୋଟ ପିଲା କେମିତି ଗୋ-ହତ୍ୟା କରିବେ, ସେକଥା ପୁଲିସ୍ ଭାବି ଆଶ୍ଚର୍ଯ୍ୟ ହୋଇଛି। ତେଣୁ ସେମାନଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଘଟଣାର ମୁଖ୍ୟ ଖଳନାୟକ ଯୋଗେଶ ରାଜ ଏକ ଭିଡିଓ ବାର୍ତ୍ତା ଜରିଆରେ ନିଜକୁ ନିରୀହ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି। ସେ ଭିଡିଓରେ କହିଛନ୍ତି, “ ଯେଉଁ ଘଟଣା ମୁଁ ଆଦୌ ଜାଣି ନାହିଁ, ସେଥିପାଇଁ ମୋତେ ଦାୟୀ କରାଯାଉଛି। ପୁଲିସ୍ ମୋତେ ଅପରାଧୀ ଭାବେ ସଜାଇବାକୁ ଚେଷ୍ଟା କରୁଛି। ସେଦିନ ଦୁଇଟି ଘଟଣା ଘଟିଥିଲା। ପ୍ରଥମେ ଗୋଟି ସ୍ଥାନରେ ୫ଟି ଗାଈଙ୍କ ମୃତଦେହ ପଡ଼ିଥିବା ଖବର ପାଇ ଆମେ ସେଠାକୁ ଯାଇଥିଲୁ। ପୁଲିସ୍ ମଧ୍ୟ ସେଠାରେ ଥିଲା। ସେଠାରେ ପରିସ୍ଥିତି ଠିକ୍ ଠାକ୍ ଥିଲା। ଏହାପରେ ମୁଁ ପୁଲିସ୍ ଷ୍ଟେସନ୍ ଯାଇ ଏଫ୍ଆଇଆର୍ ଦେଇଥିଲି। ମୁଁ ପୁଲିସ୍ ଷ୍ଟେସନ୍ରେ ଥିବା ବେଳେ ହିଁ ଆଉ ଏକ ସ୍ଥାନରେ ସଂଘର୍ଷ ହୋଇଥିଲା। ଏଥିରେ ଜଣେ ପୁଲିସ୍ ଅଧିକାରୀ ଓ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଥିଲା। ମୁଁ ଘଟଣା ସ୍ଥଳରେ ନଥିଲି। ତଥାପି ମୋତେ ଖଳନାୟକ ଭାବେ ଚିତ୍ରଣ କରାଯାଉଛି।”
from Odisha Reporter https://ift.tt/2PlXT7e
No comments:
Post a Comment