
କଲମ୍ବୋ: ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ରାଷ୍ଟ୍ରପତି ମୈଥ୍ରୀପାଲ ସିରସେନା ବିବାଦୀୟ ଢଙ୍ଗରେ ମହିନ୍ଦା ରାଜପାକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି କରିଥିଲେ ହେଁ ସେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେହିପରି ପୂର୍ବରୁ ଲୋକମତ ପାଇ ପ୍ରଧାନମନ୍ତ୍ରୀ ହୋଇଥିବା ରାନୀଲ ବିକ୍ରମସିଂଘେ ଆସନ୍ତାକାଲି ପୁଣି ନିଜ ପଦକୁ ଫେରିବେ ବୋଲି ଜଣାପଡ଼ିଛି।
ରାଜପେକ୍ଷଙ୍କୁ ପ୍ରଧାନମନ୍ତ୍ରୀ କରିବା ପରେ ଦେଶରେ ରାଜନୀତିକ ସଙ୍କଟ ସୃଷ୍ଟି ହୋଇଥିଲା। ଏହାକୁ ନେଇ ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଥିଲା। ସୁପ୍ରିମକୋର୍ଟ ରାଜପାକ୍ଷେଙ୍କ ନିଯୁକ୍ତିକୁ ବେଆଇନ୍ ବୋଲି କହିଥିଲେ। ଏହାକୁ ନେଇ ଚାପ ବଢ଼ିବାରୁ ରାଜପାକ୍ଷେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
କଲୋମ୍ବୋର ୱିଜେରମା ଠାରେ ଥିବା ରାଜପାକ୍ଷେଙ୍କ ବାସଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଇସ୍ତଫା ଘୋଷଣା କରିଛନ୍ତି। ଏନେଇ ସେ ତାଙ୍କ ଦଳ ୟୁପିଏଫ୍ଏର ସାଂସଦମାନଙ୍କୁ ଜଣାଇ ଦେଇଛନ୍ତି।
ବିକ୍ରମସିଂଘେ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ରାଷ୍ଟ୍ରପତି ସିରସେନାଙ୍କ ସହ ତାଙ୍କର ତିକ୍ତତା ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ସିରସେନା ଅକ୍ଟୋବର ୨୬ରେ ରାଜପାକ୍ଷେଙ୍କୁ ଅପ୍ରତ୍ୟାଶିତ ଭାବେ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦେଇଥିଲେ। ତେବେ ସେ ସଂସଦରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିପାରିବେ ନାହିଁ ଜଣାପଡ଼ିବା ପରେ ସିରସେନା ସରକାରକୁ ଭାଙ୍ଗି ପୁଣି ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ରାଷ୍ଟ୍ରପତିଙ୍କ ଏହି ନିର୍ଦ୍ଦେଶକୁ ଶ୍ରୀଲଙ୍କା ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ।
from Odisha Reporter https://ift.tt/2ExUzoy
No comments:
Post a Comment