ଆମ୍ରପାଲୀକୁ ଠକଙ୍କ ସର୍ଦ୍ଦାର କହିଲେ ସୁପ୍ରିମ୍‌କୋର୍ଟ, ୨୮ ସମ୍ପତ୍ତିର ଜବତ ଏବଂ ବିକ୍ରି ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ଆମ୍ରପାଲୀକୁ ଠକଙ୍କ ସର୍ଦ୍ଦାର କହିଲେ ସୁପ୍ରିମ୍‌କୋର୍ଟ, ୨୮ ସମ୍ପତ୍ତିର ଜବତ ଏବଂ ବିକ୍ରି ନିର୍ଦ୍ଦେଶ

ନୂଆଦିଲ୍ଲୀ: ବୁଧବାର ଆମ୍ରପାଲୀ ମାମଲାର ଶୁଣାଣି କରିବା ଅବସରରେ ସୁପ୍ରିମ୍‌କୋର୍ଟ ଆମ୍ରପାଲୀ ଗ୍ରୁପ୍‌କୁ ‘ଠକଙ୍କ ସର୍ଦ୍ଦାର’ ଏବଂ ‘ସବୁଠାରୁ ବଡ଼ ମିଛୁଆ’ ବୋଲି କହିବା ସହିତ ଗୃହକ୍ରେତାଙ୍କ ଟଙ୍କାରେ ନିର୍ମିତ ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି କରି ବିକ୍ରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଯଦିଓ ଏହି ଗ୍ରୁପ୍‌ ୩୦୦୦ କୋଟି ଟଙ୍କାର ଅର୍ଥ ହେରଫେର କରିଥିବା ସ୍ୱୀକାର କରିଥିଲା, ଏବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେବାରେ ସମର୍ଥ ହୋଇପାରିନଥିଲା। ଗୃହକ୍ରତାଙ୍କ ଅର୍ଥକୁ ଅନ୍ୟ ସମ୍ପତ୍ତି ବଢ଼ାଇବାରେ ଲଗାଯାଇଥିବା ଜଣାଯାଇଛି। ଏହି ଅର୍ଥରେ ଗ୍ରେଟର ନଏଡ଼ାଠାରେ ପାଞ୍ଚ ତାରକା ହୋଟେଲ, ମଲ, ରିସର୍ଟ, ହସ୍ପିଟାଲ, ଏଫ୍‌ଏମ୍‌ସିଜି ଫ୍ୟାକ୍ଟ୍ରି ଏବଂ ବିଭିନ୍ନ ସ୍ଥାନରେ ପ୍ଲଟ୍‌ କିଣିବା ଆଦିରେ ବିନିଯୋଗ କରାଯାଇଥିଲା।

ଏଭଳି ୨୮ଟି ସମ୍ପତ୍ତି ସୃଷ୍ଟିରେ କମ୍ପାନୀ ୪୧୧ କୋଟି ନିବେଶ କରିଥିଲା ବୋଲି ଆମ୍ରପାଲୀ ପକ୍ଷରୁ କୁହାଯାଇଥିଲା, ଯାହାର ମୂଲ୍ୟ ବର୍ତ୍ତମାନ ୯୬୪ କୋଟି ଟଙ୍କାରେ ପହଞ୍ଚିଛି। ଆମ୍ରପାଲୀ ପ୍ରକଳ୍ପରେ ୪୬ ହଜାର ଗୃହକ୍ରେତା ନିବେଶ କରିଥିଲେ, କିନ୍ତୁ ଏହି ପ୍ରକଳ୍ପସବୁକୁ ପୂର୍ଣ୍ଣ କରିବାକୁ ଆମ୍ରପାଲୀ ପାଖରେ ଟଙ୍କାଟିଏ ମଧ୍ୟ ନାହିଁ।

ଆମ୍ରପାଲୀ ପକ୍ଷରୁ ଦାଖଲ ହୋଇଥିବା ପ୍ରାୟ ୧୦୦ ପୃଷ୍ଠାର ସତ୍ୟପାଠକୁ ଲକ୍ଷ୍ୟ କରି ଖଣ୍ଡପୀଠର ଦୁଇ ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର ଏବଂ ୟୁୟୁ ଲଲିତ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହିତ କହିଥିଲେ, ଆମ୍ରପାଲି ଗ୍ରୁପ୍‌ ଅର୍ଥ ହେରଫେର ଏବଂ ଅର୍ଥ କାରବାରର ପୃକୃତ ହିତାଧିକାରୀଙ୍କ ବାବଦରେ ତଥ୍ୟ ଦେବାରେ ବିଫଳ ହୋଇଛି।

ନିବେଶ ୨୦୧୮ ଯାଏ ହୋଇଥିବାବେଳେ ଅର୍ଥ ହେରଫେର କେବଳ ୨୦୧୫ ଯାଏ କ’ଣ ପାଇଁ କରାଯାଇ ପରେ ବନ୍ଦ କରାଗଲା ତାହା ମଧ୍ୟ ଜଣାପଡ଼ୁନାହିଁ। ଏପରିକି ଏପରି କାରବାର ପାଇଁ ବୋର୍ଡ ଅଫ୍ ଡିରେକ୍ଟର୍ସର ଅନୁମତି ଥିଲା କି ନା ତାହା ମଧ୍ୟ ଜଣାପଡ଼ୁନାହିଁ।

ସୁପ୍ରିମ୍‌କୋର୍ଟ ନିଯୁକ୍ତ ଫରେନ୍‌ସି ଅଡିଟରମାନେ ଡକ୍ୟୁମେଣ୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ କହିଛନ୍ତି ଏମିତି ଡକ୍ୟୁମେଣ୍ଟ ଆଗରୁ କେବେ ଦେଖିନଥିଲୁ। କୌଣସି ଗୋଟିଏ ଡକ୍ୟୁମେଣ୍ଟର ମଧ୍ୟ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ସହିତ ତାଳମେଳ ନାହିଁ।

କୋର୍ଟ ଡକ୍ୟୁମେଣ୍ଟ କିଏ ପ୍ରସ୍ତୁତ କରିଛି ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦେବାରୁ ପ୍ରଥମେ ଭିଡ଼ି ମୋଡ଼ି ହେବାପରେ ଗ୍ରୁପ୍‌ ୨ଜଣ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ସମେତ ୫ ଜଣଙ୍କ ନାମ କହିଥିଲା। ଏହାପରେ କୋର୍ଟ ବର୍ଷିବାକୁ ଆରମ୍ଭ କରିଥିଲେ। କୋର୍ଟ କହିଥିଲେ, “ତୁମେ ଏବେ ଫସିବା ନିଶ୍ଚିତ। ବହୁତ ମାନେ ବହୁତ ହେଇଗଲା। ଆମେ ତୁମକୁ ଛାଡ଼ିବୁ ନାହିଁ।”

ଏଥର ଆମ୍ରପାଲୀର ଓକିଲ ଯୁକ୍ତି ଦର୍ଶାଇଥିଲେ ଏସବୁ ହାଉସିଂ ପ୍ରକଳ୍ପ ନିକଟରେ ଥିବା ଫାସିଲିଟି ଏରିଆ ବିକ୍ରି କରି ଟଙ୍କା ଆଦାୟ କରାଯାଇପାରିବ। ଫଳରେ କ୍ରୋଧାନ୍ୱିତ କୋର୍ଟ ପୁଣି ଭତ୍ସନା କରି କହିଥିଲେ, “ତୁମଠାରୁ ବଡ଼ ଠକ ଆଉ ସଂସାରରେ ମିଳିବେନି। ଫାସିଲିଟି ଏରିଆ ଗୃହକ୍ରେତାଙ୍କ କ’ଣ ଦାନ ଆକାରରେ ଦିଆଯାଉଥିଲା। କେମିତି କହିପାରୁଛ ତାକୁ ବିକ୍ରି କରି ଅର୍ଥ ଆଦାୟ ହେବ।” ଏହାପରେ କୋର୍ଟ ଗ୍ରୁପ୍‌ର ସତ୍ୟପାଠ ମିଛ ଏବଂ ସେମାନେ ସବୁଠାରୁ ବଡ଼ ମିଛୁଆ ବୋଲି କହିଥିଲେ। ଏତଦ୍‌ବ୍ୟତୀତ ୫ଟି କର୍ପୋରେଟ୍‌ ଅଫିସ୍‌ ସମେତ ୨୮ଟି ସମ୍ପତ୍ତି ବାଜ୍ୟାପ୍ତି ଏବଂ ବିକ୍ରି ପାଇଁ ନିର୍ଦ୍ଦେଶ ଦେଇଥିଲେ।



from Odisha Reporter https://ift.tt/2KXRJcV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages