
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପାହାଡ ଜଙ୍ଗଲ ଘେରା ଓ ପ୍ରାକୃତିକ ସବୁଜିମାର ଅଞ୍ଚଳ ହେଉଛି କେନ୍ଦୁଝର। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂରୁ କେନ୍ଦୁଝର ଜିଲ୍ଲାଟି ଶୀତ ଋତୁ ଆସିଲେ ବେଶ ଚଳଚଞ୍ଚଳ ହୋଇ ଉଠେ। ଏଠିକାର ମନୋରମ ପରିବେଶକୁ ଉପଭୋଗ କରିବା ପାଇଁ କାଇଁ କେତେଆଡ଼ୁ ପର୍ଯ୍ୟଟକମାନେ ଛୁଟି ଆସନ୍ତି। ତେବେ କେନ୍ଦୁଝର ଜିଲ୍ଲାଠାରୁ ୬୦ କିମି ତଥା ଭୁବନେଶ୍ୱରଠାରୁ ୨୩୦ କିମି ଦୂରରେ ରହିଛି ଏକ ଅନନ୍ୟ ପର୍ଯ୍ୟଟନ ସ୍ଥଳୀ। ଯାହାର ନାମ ଖଣ୍ଡାଧାର ଜଳପ୍ରପାତ।

ଏହି ଜଳପ୍ରପାତର ସୌନ୍ଦର୍ଯ୍ୟକୁ ଯିଏ ଥରେ ଦେଖିଛି ତାହା ଅପାସୋରା ହୋଇ ରହିବ। ଏହା ଅତି ମନଲୋଭା ପର୍ଯ୍ୟଟନ ସ୍ଥଳୀ ଭାବେ କେନ୍ଦୁଝର ଜିଲ୍ଲା ସହ ଓଡ଼ିଶାରେ ମଧ୍ୟ ଖ୍ୟାତି ଲାଭ କରିଛି। ପିକନିକ୍ ସ୍ପଟରେ ଝରଣା ସହ ପ୍ରାକୃତିକ ପରିବେଶ ପ୍ରତି ସବୁ ବର୍ଗର ପର୍ଯ୍ୟଟକ ଆକୃଷ୍ଟ ହୋଇଥାନ୍ତି। ଶୀତଋତୁ ଆସିଲେ ଏହି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଲାଗେ। ଜଳପ୍ରପାତ୍ ସ୍ଥାନକୁ ଯାଇଥିବା ରାସ୍ତାର ଉଭୟ କଡ଼ରେ ଥିବା ଜଙ୍ଗଲ ପର୍ଯ୍ୟଟକମାନଙ୍କୁ ବେଶ ଆକୃଷ୍ଟ କରିଥାଏ।

ଏହା ସହ ଝରଣାରେ ଗାଧେଇବାର ମଜା ନିଅନ୍ତି ପର୍ଯ୍ୟଟକମାନେ। ବାଂସପାଳ ବ୍ଲକ କାଦକଳା ପଞ୍ଚାୟତରେ ରହିଥିବା ଏହି ଜଳ ପ୍ରପାତଟି ବେଶ୍ ଆକର୍ଷଣୀୟ। ବିଶେଷକରି ପ୍ରାକୃତିକ ଶୋଭା ରାଜି ଭିତରେ ପକ୍ଷୀଙ୍କ କଳରବ, କୁଳୁକୁଳୁ ଝରଣା ଏବଂ ଶୀତୁଆ ସକାଳର ସୂର୍ଯ୍ୟଙ୍କ ସ୍ୱର୍ଣ୍ଣିମ କିରଣ ବେଶ୍ ରୋମାଞ୍ଚିତ। ମୁଖ୍ୟତଃ ୫୦୦ ଫୁଟ୍ ଉଚ୍ଚ ପାହାଡ଼ ଶୀର୍ଷରୁ ଜଳ ଧାର ଭଳି ତଳକୁ ଖସୁଥିବାରୁ ଏହାର ନାମ ଖଣ୍ଡାଧାର ରଖାଯାଇଛି। ନିକଟରେ ମହେଶ୍ୱର ମନ୍ଦିର ମଧ୍ୟ ରହିଛି। ବଣଭୋଜି ପାଇଁ ଏଠାରେ ଛୋଟବଡ଼ ଅନେକ ପିଣ୍ଡି ମଧ୍ୟ ରହିଛି। ପର୍ଯ୍ୟଟକମାନେ ଏଠାରେ ଉଭୟ ନିରାମିଷ ଓ ଆମିଷ ଖାଦ୍ୟର ମଜା ନେଇ ପାରିବେ।

କେମିତି ଯିବେ: ଭୁବନେଶ୍ଵରଠାରୁ ଖଣ୍ଡାଧାରର ଦୂରତା ୨୩୦ କିମି ହୋଇଥିବା ବେଳେ କେନ୍ଦୁଝର ଟାଉନ୍ଠାରୁ ମାତ୍ର ୬୦ କିମି। ଭୁବନେଶ୍ୱରରୁ ଭାୟା କଟକ ଦେଇ କେନ୍ଦୁଝର ଟାଉନ୍କୁ ଦୈନିକ ବସ୍ ଚାଲୁଥିବା ବେଳେ ଟ୍ରେନ୍ ଯୋଗେ ମଧ୍ୟ ଗମନାଗମନ ସୁବିଧା ରହିଛି। ତେବେ ଖଣ୍ଡାଧାର ନିକଟସ୍ଥ ରେଲୱେ ଷ୍ଟେସନ ହେଉଛି କେନ୍ଦୁଝର। ଆପଣ ଏଠାରୁ ଛୋଟ ଭ୍ୟାନ୍ କିମ୍ବା ଟ୍ୟାକ୍ସି ଯୋଗେ ଯାଇପାରିବେ।
from Odisha Reporter https://ift.tt/2QewDNo
No comments:
Post a Comment