
ଅନୁଗୋଳ (ବିରଜା ଦାଶ): ତାଳଚେର ବ୍ଲକ୍ ରେରାସ୍ଥିତ କୋଲିୟରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହର ଉଦ୍ଯାପନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ସ୍କୁଲରେ ମାଟ୍ରିକ୍ ପରୀକ୍ଷା ଦେଇ ଧର୍ମେନ୍ଦ୍ର ପାସ୍ କରିଥିଲେ। ନିଜ ଉଦ୍ବୋଧନ ବେଳେ ଧର୍ମେନ୍ଦ୍ର ପରୀକ୍ଷା ଦେବା ସମୟର ସ୍ମୃତି ଚାରଣ କରିଥିଲେ।
ଏହାସହ କୋଇଲା ଖଣି ଅଞ୍ଚଳରେ ଥିବା ଏହି ବିଦ୍ୟାଳୟର ଗୌରବମୟ ଇତିହାସ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, “୧୯୮୪ ମସିହାରେ ଏହି ବିଦ୍ୟାଳୟରେ ମୋର ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ପଡ଼ିଥିଲା। ଏଠାରେ ପରୀକ୍ଷା ଦେଇ ପାସ୍ କରିଥିବାରୁ ମୁଁ ମଧ୍ୟ ଏହି ବିଦ୍ୟାଳୟର ଅଂଶବିଶେଷ।”
ସେ ଆହୁରି କହିଥିଲେ, “କୋଇଲା ଖଣି ଶ୍ରମିକମାନେ ନିଜସ୍ୱ ମଜୁରୀ ଅର୍ଥରେ ଏହି ସ୍କୁଲ ପ୍ରତିଷ୍ଠା କରି ଏକତାର ପରାକାଷ୍ଠା ଦେଖାଇଛନ୍ତି। ବର୍ତ୍ତମାନ ସ୍କୁଲର ଶ୍ରେଣୀଗୃହର ଅବସ୍ଥା ଭଲ ନାହିଁ। ଏହାର ପୁନରୁଦ୍ଧାର ପାଇଁ ଏଠାରେ ଉପସ୍ଥିତ ଏମ୍ସିଏଲ୍ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଛି।”
ସମାରୋହରେ ମୁଖ୍ୟବକ୍ତା ଭାବେ ପୂର୍ବତନ ପୁଲିସ୍ ଡିଜି ଶରତ ଚନ୍ଦ୍ର ମିଶ୍ର ଯୋଗଦେଇ ନିଜର ରୁଚି ଅନୁସାରେ ଶିକ୍ଷାକୁ ଗ୍ରହଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ବିଦ୍ୟାଳୟର ପୁର୍ବତନ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଉକ୍ତ ଉଦ୍ଯାପନୀ ସମାରୋହରେ ହଜାର ହଜାର ପୂର୍ବତନ ଛାତ୍ରଛାତ୍ରୀ ଯୋଗ ଦେଇ ନିଜ ପାଠପଢ଼ା ସମୟର ସ୍ମୃତି ପରସ୍ପର ମଧ୍ୟରେ ବାଣ୍ଟିଥିଲେ।
from Odisha Reporter https://ift.tt/2E9VgEx
No comments:
Post a Comment