ବିଶ୍ୱକପ୍ ହକି : ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ୍ ମିଳୁନି, ଜିଲ୍ଲାରୁ ବୁହା ହେଉଛନ୍ତି ବିଜେଡି କର୍ମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ବିଶ୍ୱକପ୍ ହକି : ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ୍ ମିଳୁନି, ଜିଲ୍ଲାରୁ ବୁହା ହେଉଛନ୍ତି ବିଜେଡି କର୍ମୀ

hemananda

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱକପ୍ ପୁରୁଷ ହକି ପ୍ରତିଯୋଗିତା ଆୟୋଜନ ଆଳରେ ବିଜେଡି ତା’ର ରାଜନୀତିକ ଉଦ୍ଦେଶ୍ୟ ସାଧନ କରୁଥିବା ଜଣାପଡ଼ିଛି । ରାଜ୍ୟ ରାଜକୋଷ ପାଣ୍ଠିରେ ଆୟୋଜିତ ବିଶ୍ୱକପ୍ ହକି ମ୍ୟାଚକୁ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କ ସମେତ ବିରୋଧୀ ଦଳର ନେତାମାନଙ୍କୁ ନିମନ୍ତ୍ରଣ କରାଯାଇନଥିବାବେଳେ ଏବେ ବିଜେଡି କର୍ମୀମାନଙ୍କୁ ଜିଲ୍ଲାରୁ ବସ ଓ ଟ୍ରେନରେ ଅଣାଯାଇ ମ୍ୟାଚ୍ ଦେଖିବାର ବନ୍ଦୋବସ୍ତ କରାଯାଉଛି । ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ବିଶ୍ୱକପ୍ ହକି ଆୟୋଜନ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିଲେ ମଧ୍ୟ ରାଜ୍ୟରେ କ୍ଷମତାସୀନ ସରକାରଙ୍କ ସଂକୀର୍ଣ୍ଣ ରାଜନୀତିକ ଚକ୍ରାନ୍ତ ଏବେ ଏହାର ଗରିମାକୁ ନଷ୍ଟ କରିଛି । ରାଜଧାନୀ ଭୁବନେଶ୍ୱରରେ ବିଶ୍ୱକପ୍ ହକି ମ୍ୟାଚ୍ ଅନୁଷ୍ଠିତ ହେଉଥିଲେ ମଧ୍ୟ କେବଳ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ନେତା(ଉଭୟ କଂଗ୍ରେସ ଓ ବିଜେପିର)ଙ୍କୁ ଏହି ମ୍ୟାଚ୍ ଦେଖିବା ପାଇଁ ଆମନ୍ତ୍ରଣ କରାଯାଇନି। କେବଳ ବିଜୁ ଯୁବ ବାହିନୀର କର୍ମକର୍ତ୍ତା, ବିଜେଡି କର୍ମୀ ଓ ନେତାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ହକି ଇଣ୍ଡିଆ ଓ ଓଡ଼ିଶା ସରକାର ମିଳିତ ଭାବେ ଟିକେଟ୍ ବିକ୍ରିରେ ଜାଲିଆତି କରିଥିବା ଚର୍ଚ୍ଚା ହେଉଛି।

ଅନଲାଇନରେ ବିଶ୍ୱକପ୍ ହକି ମ୍ୟାଚର ଟିକେଟ୍ ବିକ୍ରି ହେଉଥିଲେ ହେଁ ତାହା ସାଧାରଣ ଲୋକଙ୍କୁ ମିଳୁନଥିବାବେଳେ ବିଜେଡି କର୍ମକର୍ତାଙ୍କ ପାଇଁ ବହୁଳ ସଂଖ୍ୟାରେ ଉପଲବ୍ଧ ହେଉଛି। ସୂଚନା ଅନୁସାରେ, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ସୁନ୍ଦରଗଡ଼, ବରଗଡ଼ ଓ ସମ୍ବଲପୁର ଭଳି ଜିଲ୍ଲାରୁ ଦଳୀୟ କର୍ମକର୍ତ୍ତା ଓ ବିଜୁ ଯୁବ ବାହିନୀର ସଦସ୍ୟମାନଙ୍କୁ ବସ୍ ଓ ଟ୍ରେନରେ ଅଣାଯାଇ ହକି ମ୍ୟାଚ ଦେଖିବାର ସୁଯୋଗ ଦଳ ପକ୍ଷରୁ ଦିଆଯାଉଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ‘ନବୀନ ନିବାସ’ ଦଳୀୟ କର୍ମୀଙ୍କ ପାଇଁ ଏହି ହକି ମ୍ୟାଚ୍ ଦେଖିବା କାର୍ଯ୍ୟକ୍ରମର ଆୟୋଜନ ଓ ମନିଟରିଂ କରୁଛି । ପ୍ରତ୍ୟେକ ଜିଲ୍ଲାକୁ ଅତିକମରେ ୧୦୦ରୁ ୧୫୦ଟିକେଟ୍ ଦିଆଯାଉଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ବିଜେଡି କର୍ମୀମାନଙ୍କୁ ଅବାଧରେ ହକି ମ୍ୟାଚ୍ ଦେଖିବା ପାଇଁ ଟିକେଟ ବ୍ୟବସ୍ଥା ରାଜ୍ୟ କ୍ରୀଡ଼ା ବିଭାଗ କରୁଛି । ଏପରିକି ଦୈନିକ ୫୦୦ରୁ ୧୦୦୦ଟିକେଟ୍ (ପାସକୁ ମିଶାଇଲେ ଏହି ସଂଖ୍ୟା ଢେର ଅଧିକ ହେବ) କେବଳ ବିଜେଡିର ନେତା ଓ କର୍ମୀମାନଙ୍କ ମଧ୍ୟରେ ବଣ୍ଟା ଯାଉଛି। ଅନଲାଇନରେ ଟିକେଟ ବିକ୍ରି ହେଉଥିବାବେଳେ ଏତେ ପରିମାଣର ଟିକେଟ କିଭଳି ବିଜେଡି କର୍ମକର୍ତ୍ତାଙ୍କୁ ମିଳୁଛି, ତାହା ଆୟୋଜକ ହକି ଇଣ୍ଡିଆ ଓ ପ୍ରାୟୋଜକ ଓଡ଼ିଶା ସରକାରଙ୍କ ଭୂମିକାକୁ ସନ୍ଦେହଘେରକୁ ଠେଲିଦେଇଛି।

ରାଜ୍ୟର ଏହି ଐତିହାସିକ କାର୍ଯ୍ୟକ୍ରମକୁ ସରକାରୀସ୍ତରରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ଅବସରପ୍ରାପ୍ତ ମୁଖ୍ୟ ସଚିବ ଓ ଅନ୍ୟାନ୍ୟ ସମ୍ମାନୀୟ ବ୍ୟକ୍ତିମାନଙ୍କୁ ଆମନ୍ତ୍ରଣ କରିବାର ସୌଜନ୍ୟ ମଧ୍ୟ ରାଜ୍ୟ କ୍ରୀଡ଼ା ବିଭାଗ ଭୁଲି ଯାଇଛି।ଏପରିକି ମ୍ୟାଚ ଦେଖିବା ପାଇଁ ଟିକେଟ୍ କିମ୍ବା ପାସ୍ ବ୍ୟବସ୍ଥା କରିବା ନିମନ୍ତେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ବି କ୍ରୀଡ଼ା ସଚିବ ବିଶାଳ ଦେବ ସାମାନ୍ୟତମ ଗୁରୁତ୍ୱ ଦେଇନାହାନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ କହିଛନ୍ତି ଯେ “ବାରମ୍ବାର ଅନୁରୋଧ ସତ୍ତ୍ୱେ ତାଙ୍କୁ ପାସ୍ କି ଟିକେଟ୍ ମିଳିଲା ନାହିଁ। କ୍ରୀଡ଼ା ସଚିବ ବିଶାଳ ଦେବଙ୍କୁ ଅନୁରୋଧ କରି ଟଙ୍କା ଦେଇ ସେ ଟିକେଟ କିଣିବାକୁ ଚାହିଁଥିଲେ ମଧ୍ୟ ସେ ତାଙ୍କ ଅନୁରୋଧକୁ ଗୁରୁତ୍ୱ ଦେଲେନି। “ଏଥିରୁ ରାଜ୍ୟ ସରକାରଙ୍କ ପାଖରେ ସାଧାରଣ ସୌଜନ୍ୟବୋଧ ନଥିବା ଜଣାପଡ଼ୁଛି”ବୋଲି ସେ କହିଛନ୍ତି।

ଏବେ ପ୍ରଶ୍ନ ଉଠୁଛି, ଯଦି ବିଶ୍ୱକପ୍ ହକି ଆୟୋଜନକୁ କ୍ଷମତାସୀନ ବିଜେଡି ସରକାର ରାଜ୍ୟର ଗୌରବ ବୋଲି କହୁଛି ତା’ହେଲେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କ ପ୍ରତି କ୍ରୀଡ଼ା ସଚିବଙ୍କ ଏଭଳି ଆଚରଣକୁ କ’ଣ କୁହାଯିବ? ଟିକେଟ୍ ସାଧାରଣ ଲୋକଙ୍କୁ ମିଳୁନଥିବାବେଳେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରୁ ବିଜେଡି କର୍ମୀମାନଙ୍କୁ ଆଣି ମ୍ୟାଚ୍ ଦେଖିବା ନିମନ୍ତେ ଟିକେଟ୍ କିଏ ବ୍ୟବସ୍ଥା କରୁଛି? ନିର୍ବାଚନୀ ବର୍ଷରେ ବିଶ୍ୱକପ୍ ହକି ଆୟୋଜନ ନାଁରେ ହୋଇଥିବା କୋଟିକୋଟି ଟଙ୍କାର ଟେଣ୍ଡର ଜାଲିଆତି ଓ ଟିକେଟ୍ ବିକ୍ରି ଜାଲିଆତି ନିଶ୍ଚିତ ଭାବେ ନବୀନ ପଟ୍ଟନାୟକ ସରକାରକୁ ମହଙ୍ଗା ପଡ଼ିବ।



from Odisha Reporter https://ift.tt/2BhiapK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages