
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିରେ ରହି ବିଜେଡି ସହ ପ୍ରାୟ ୨ ବର୍ଷ ତଳୁ ଟାଇ-ଅପ୍ କରିଥିଲେ ବିଜୟ ମହପାତ୍ର ଓ ଦିଲୀପ ରାୟ। ଉଭୟ ପଦ୍ମକୁ ବାଏ ବାଏ କରିବା ପରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ନେତା। ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏପରି ଅଭିଯୋଗ ଆଣିବା ସହ ଦୁହେଁ ଖୁବ୍ ଶୀଘ୍ର ବିଜେଡିରେ ସାମିଲ ହେବେ ବୋଲି ଅନୁମାନ କରୁଥିବା କହିଛନ୍ତି।
ଇସ୍ତଫା ଦେବା ପରେ ଉଭୟ ବିଜୟ ଓ ଦିଲୀପଙ୍କୁ ନିଜ ପୁରୁଣା ଦଳ ବିଜେପି ପକ୍ଷରୁ ଜୋରଦାର ଆକ୍ରମଣ କରାଯାଉଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେମାନଙ୍କ ଉପରେ ବର୍ଷିଥିଲା ବିଜେପି। ଆଜି ପୁଣି ଏ ଦୁଇ ବରିଷ୍ଠ ନେତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ। ସିଧାସଳଖ ଅଭିଯୋଗ କରି କହିଛନ୍ତି, “ଉଭୟ ନେତାଙ୍କର ବିଜେଡି ସହ ସଲାସୁତୁରା ଥିଲା। ସେମାନେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟିପ୍ପଣୀ ଦେବା, ମହାନଦୀ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଦଳକୁ ଅକଳରେ ପକାଇବା ପାଇଁ ଚେଷ୍ଟା କରିବା ଆଦି ବିଜେଡିକୁ ଫାଇଦା ଦେଉଥିଲା। ଏପରିକି ଦୁଇ ବର୍ଷ ହେଲା ଉଭୟ ବିଜୟ ଓ ଦିଲୀପ ବିଜେଡି ସହ ଟାଇ-ଅପ୍ କରିଥିଲା ପରି ଲାଗୁଛି।”
ସେ କହିଛନ୍ତି, “ନିଜ ମନ୍ତବ୍ୟ ଜରିଆରେ ସେମାନେ ବିଜେଡି ପାଇଁ ଢାଲ ହୋଇଥିଲେ। ଦୁଇନେତାଙ୍କ ଏଭଳି ଆଭିମୁଖ୍ୟରୁ ଜଣାପଡୁଛି ଖୁବ୍ଶୀଘ୍ର ସେମାନେ ବିଜେଡିରେ ସାମିଲ ହୋଇପାରନ୍ତି।”
ଅନ୍ୟପକ୍ଷରେ ବିଜେଡି ଏଭଳି ‘ସଲାସୁତୁରା’ ଅଭିଯୋଗକୁ ଖଣ୍ଡନ କରିବା ସହ ଉଭୟ ବିଜେପି ଛାଡ଼ିବା ଦ୍ୱାରା ପଦ୍ମ ଦଳର କ୍ଷତି ହୋଇଥିବା କହିଛି।
ତେବେ ଦିଲୀପ କି ବିଜୟ ଏ ନେଇ ମୁହଁ ଖୋଲିନାହାନ୍ତି।
ସେପଟେ ଏ ଦୁଇ ଭେଟରାନ୍ ଲିଡର୍ କେଉଁ ଦଳକୁ ଯିବେ ତାକୁ ନେଇ ଲାଗି ରହିଛି ସସ୍ପେନ୍ସ। ଦିଲୀପ ହୁଅନ୍ତୁ କି ବିଜୟ, କେହି ବି କୌଣସି ସଂକେତ ଦେଉନାହାନ୍ତି। ଉଭୟଙ୍କ ସମର୍ଥକ ବିଜେପିରୁ ଇସ୍ତଫା ଦେଉଛନ୍ତି। ତେବେ ଦିଲୀପଙ୍କ ଜଣେସମର୍ଥକ କହିଛନ୍ତି ସେ ବିଜେଡିକୁ ଯାଇପାରନ୍ତି।
ବିଜେଡି ଭିତରେ ଏହି ପ୍ରସଙ୍ଗରେ ନାନା ଚର୍ଚ୍ଚା ହେଉଥିଲେ ବି ଦଳ କିନ୍ତୁ କାର୍ଡ ଖୋଲୁନାହିଁ। ଦଳର ମୁଖପାତ୍ର ହୁଅନ୍ତୁ କି ଉପସଭାପତି ସମସ୍ତେ ମାପିଚୁପି ମନ୍ତବ୍ୟ ଦେଉଛନ୍ତି।
ସେପଟେ ପିସିସି ସଭାପତି କହିଛନ୍ତି ଉଭୟ ଯଦି କଂଗ୍ରେସକୁ ଆସିବାକୁ ଚାହିଁବେ, ତାହା ବିଚାର କରାଯିବ। ବିଜୁ ସମତାକ୍ରାନ୍ତି ଦଳର ବରିଷ୍ଠ ନେତା ଦାମୋଦର ରାଉତ ଗତକାଲି ବିଜୟ ଓ ଦିଲୀପଙ୍କୁ ଖୋଲାଖୋଲି ଭାବେ ତାଙ୍କ ଦଳରେ ଯୋଗ ଦେବାକୁ ଅଫର୍ ଦେଇଥିଲେ। ଏବେ ନଜର ଦୁଇ ନେତା କେଉଁ ଦଳକୁ ଯାଉଛନ୍ତି।
from Odisha Reporter https://ift.tt/2FRD7x6
No comments:
Post a Comment