‘ଭୁଲ୍‌’ କରିବା ପରେ ‘ମାୟାଜାଲ’ରେ ଫସିଗଲେ ଅଧ୍ୟାପକ କୃଷ୍ଣଚନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

‘ଭୁଲ୍‌’ କରିବା ପରେ ‘ମାୟାଜାଲ’ରେ ଫସିଗଲେ ଅଧ୍ୟାପକ କୃଷ୍ଣଚନ୍ଦ୍ର

ବାଲେଶ୍ଵର ଏଫ୍‌ଏମ୍‌ କଲେଜ୍‌ରେ ପଢ଼ୁଥିବା ବେଳେ ସେ ଯେଉଁ ‘ଭୁଲ୍‌’ କରିଥିଲେ, ତା’ର ପ୍ରାୟଶ୍ଚିତ କରିବା ପାଇଁ ଚାଲି ଆସିଥିଲେ ମହାନଗରୀକୁ। ବାସ୍ ସେବେଠାରୁ ଆଜି ଯାଏ ସହରର ସେହି ‘ମାୟାଜାଲ’ରେ ଫସି ରହିଛନ୍ତି ଅଧ୍ୟାପକ କୃଷ୍ଣଚନ୍ଦ୍ର। ହଁ ଆମେ କହୁଛୁ, ଯଲିଉଡ୍‌ର ପରିଚିତ ନାଟ୍ୟକାର ଅଧ୍ୟାପକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମ୍ପର୍କରେ। ବାଲେଶ୍ୱର ଚଉମୁଖ ପଞ୍ଚାୟତର ଏକ ଅଜଣା ପଲ୍ଲୀ କଙ୍ଗଡ଼ାପାଳ ଗାଁରେ ଜଳିଥିବା ଏହି ଦୀପଟି ଏବେ ନିଜ ଆଲୁଅରେ ଓଡ଼ିଶା ଯାତ୍ରା ଜଗତକୁ ରାସ୍ତା ଦେଖାଉଛି। ତାଙ୍କ କଲମରୁ ବାହାରିଥିବା ବଳିଷ୍ଠ ସଂଳାପ ଯାତ୍ରାପ୍ରେମୀଙ୍କ ମନରେ ଉନ୍ମାଦ ସୃଷ୍ଟି କରିଛି। ଏହି ବରିଷ୍ଠ ଯାତ୍ରା ବ୍ୟକ୍ତିତ୍ୱଙ୍କୁ ଓଡ଼ିଶା ରିପୋର୍ଟର୍‌ ପକ୍ଷରୁ ଭେଟିଥିଲେ ମନୋରଞ୍ଜନ

ପ୍ରଶ୍ନ: ଆପଣ ଅଧ୍ୟାପନା କରୁଛନ୍ତି, ନାଟକ ଲେଖିବା ପାଇଁ କେମିତି ମନ ବଳାଇଲେ?

ଉତ୍ତର: କଳା ପ୍ରତି ଦୁର୍ବଳତା ପିଲା ବେଳୁ ଥିଲା। ସ୍କୁଲରେ ପଢ଼ିବା ବେଳେ କବିତା ଓ ଗପ ଲେଖୁଥିଲି। ଏଥିପାଇଁ ସାର୍‌ଙ୍କଠାରୁ ବହୁ ପ୍ରଶଂସା ମଧ୍ୟ ପାଉଥିଲି। ସାର୍‌ଙ୍କଠାରୁ ମିଳୁଥିବା ପ୍ରେରଣା ମୋତେ ଆଗକୁ ବଢ଼ିବା ପାଇଁ ସାହସ ଦେଇଥିଲା। ପରେ ବ୍ଲକ୍‌ ଓ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପୁରସ୍କୃତ ମଧ୍ୟ ହୋଇଥିଲି। ତେବେ ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟରେ ପଢ଼ିବା ବେଳେ ବାର୍ଷିକ ଉତ୍ସବରେ ଡ୍ରାମା କରିବା ପାଇଁ ଆମେ ସବୁ ସାଙ୍ଗ ମନସ୍ଥ କଲୁ। କିନ୍ତୁ ଆମର ମନ ମୁତାବକ ସଂଳାପ ମିଳିଲା ନାହିଁ। ପରେ ସହପାଠୀମାନଙ୍କ ପରାମର୍ଶରେ ମୁଁ ନିଜେ ଏକ ନାଟକ ଲେଖିଲି। ସେହି ନାଟକର ନାଁ ଥିଲା ‘ଭୁଲ୍‌’। ନାଟକଟି ପରିବେଷଣ ହେବା ପରେ ସାଙ୍ଗମାନଙ୍କଠାରୁ ବହୁ ପ୍ରେରଣା ମିଳିଥିଲା। ଏହା ପରେ ହିଁ ନାଟକ ଲେଖିବାକୁ ମୋର ଆଗ୍ରହ ବଢ଼ିଲା। ଗାଁରେ ହେଉଥିବା ଯାତ୍ରା ପାଇଁ ମଧ୍ୟ ନାଟକ ଲେଖିଲି। ଏଫ୍‌ଏମ୍‌ କଲେଜରେ ପଢ଼ା ସରିବା ପରେ ସ୍ୱପ୍ନର ସହର କଟକ ଚାଲି ଆସିଥିଲି। ରେଭେନ୍ସାରେ ପଢ଼ିବା ବେଳେ ରେଡ଼ିଓ ପାଇଁ ନାଟକ ଲେଖିଲି। ୨୦୦୮ ବେଳକୁ ମୁଁ ୮ରୁ ୧୦ଟି ଡ୍ରାମା ଓ ୨ରୁ ୩ଟି ଥିଏଟର ନାଟକ ଲେଖି ସାରିଥିଲି। କିନ୍ତୁ ଯାତ୍ରା ପାର୍ଟି ପାଇଁ ନାଟକ ଲେଖିବାର ସୁଯୋଗ ପାଇ ନଥିଲି। କିନ୍ତୁ ଯାତ୍ରା ନାଟକ ପାଇଁ ମନ ଭିତରେ କେଉଁଠି ନା କେଉଁଠି ଇଛାଟିଏ ଲୁଚି ରହିଥିଲା।

ପ୍ରଶ୍ନ: ଯାତ୍ରା ଜଗତରେ ସୁଯୋଗ କେମିତି ମିଳିଲା?

ଉତ୍ତର: ନାଟକ ତ ଲେଖୁଥିଲି, କିନ୍ତୁ ଯାତ୍ରାରେ ସୁଯୋଗ ମିଳୁ ନ ଥିଲା। ସାଙ୍ଗମାନଙ୍କ ପ୍ରେରଣା ପାଇ କିଛି ନାଟ୍ୟ ଅନୁଷ୍ଠାନ ସହ ଯୋଗାଯୋଗ କଲି। ତେବେ ସେଠାରୁ ଅପଦସ୍ଥ ହେବାକୁ ପଡ଼ିଥିଲା। ଏଥିରେ କିନ୍ତୁ ମୁଁ ଭାଙ୍ଗି ପଡ଼ି ନ ଥିଲି। ନାଟକ ଲେଖାକୁ ନିଶା ଭାବେ ନେଇଥିଲି। ୨୦୧୧ ମସିହାରେ ପ୍ରଥମ ଥର ପାଇଁ ଉତ୍ତର ଓଡ଼ିଶାର ‘ପାର୍ଥସାରଥୀ ଅପେରା’ ପାଇଁ ‘ଫେରିଲେ ଦେବି ମୁଁ ଗୁରୁ ଦକ୍ଷିଣା’ ନାଟକ ଲେଖିଥିଲି। ଭେଟରାନ୍‌‍ ନିର୍ଦ୍ଦେଶକ ତାପସ ସ୍ୱାଇଁ ଏହାର ନିର୍ଦ୍ଦେଶନା ଦେଇଥିବାବେଳେ ମ୍ୟୁଜିକ ଦେଇଥିଲେ ପ୍ରେମ୍‌ଆନନ୍ଦ। ଏହି ନାଟକ ଦର୍ଶକଙ୍କ ଦ୍ୱାରା ଢେର୍‌ ଆଦୃତ ହୋଇଥିଲା। ବହୁ ଯାତ୍ରାପ୍ରେମୀ ମୋ ନାଟକ ଦେଖି ପ୍ରଶଂସା ମଧ୍ୟ କରିଥିଲେ।

୨୦୧୪ରେ ବାଲେଶ୍ୱରର ‘ଦର୍ଶକ ମହଲ’ ପାଇଁ ମୁଁ ଲେଖିଥିଲି ନାଟକ ‘ମା’ଲୋ କଲିକତା ବୋହୂ’। ଏହି ନାଟକର ନିର୍ଦ୍ଦେଶନା ଦେଇଥିଲେ ବିନୋଦ ରାଉତ। ଏହି ନାଟକ ମୋତେ ମଞ୍ଚ ଜଗତରେ ସ୍ୱତନ୍ତ୍ର ପରିଚୟ ଆଣି ଦେଇଥିଲା। ଆଜି ମୁଁ ଯଦି ନାଟକ ଲେଖିପାରୁଛି, ସେଥିରେ ବିନୋଦ ରାଉତଙ୍କ ହାତ ରହିଛି। ତାଙ୍କ ପ୍ରେରଣା ମୋତେ ନାଟକ ଲେଖିବାର ରାସ୍ତା ଦେଖାଇଛି। ଏହା ପରେ ୨୦୧୭ରେ ‘କୋଣାର୍କ ଗଣନାଟ୍ୟ’ ପାଇଁ ‘କାଇଁଚ ମାଳି’ ଓ ‘ତ୍ରିନାଥ ଗଣନାଟ୍ୟ’ର ‘କଳଙ୍କିନୀ’ ନାଟକ ଲେଖିଥିଲି। ଏହି ଦୁଇଟି ଯାକର ନିଦ୍ଦେର୍ଶନା ଦେଇଥିଲେ ବିନୋଦ ରାଉତ। ଚଳିତ ବର୍ଷ ମଧ୍ୟ ‘କୋଣାର୍କ’ର ‘ଅନ୍ଧ ମୂକ ବଧିର’ ଓ ‘ତୁଳସୀ’ ଗଣନାଟ୍ୟର ‘ମାୟାଜାଲ’ ନାଟକ ଲେଖିଥିଲି। ଏହି ଦୁଇ ନାଟକକୁ ମଧ୍ୟ ବିନୋଦ ରାଉତ ନିର୍ଦ୍ଦେଶନା ଦେଇଥିଲେ।

ପ୍ରଶ୍ନ: ଚଳିତବର୍ଷ ଲେଖିଥିବା ଏହି ଦୁଇଟି ନାଟକରେ ଆପଣ କ’ଣ ବାର୍ତ୍ତା ଦେଇଛନ୍ତି?

ଉତ୍ତର: ‘ଅନ୍ଧ ମୂକ ବଧିର’ ନାଟକଟି ତିନି ଜଣ ଘନିଷ୍ଠ ବନ୍ଧୁଙ୍କ ଉପରେ ପର୍ଯ୍ୟବସିତ। ସେମାନଙ୍କ ଭିତରୁ ଜଣେ ହେଉଛନ୍ତି ଭଲ କଣ୍ଠଶିଳ୍ପୀ। ଆଉ ଜଣେ ଭଲ ରେଡିଓ ଜକି ଓ ଅନ୍ୟ ଜଣେ ଚିତ୍ରକର। ଘଟଣାଚକ୍ରରେ ତିନି ବନ୍ଧୁ ଏକ ଦୁର୍ଘଟଣାର ଶିକାର ହୁଅନ୍ତି। ଆଉ ତା’ପରେ ସୋମାନଙ୍କ ଜୀବନର ଗତିପଥ ବଦଳି ଯାଏ। ଗୀତ ଗାଉଥିବା ବ୍ୟକ୍ତି ଜଣଙ୍କ ମୂକ ହୋଇଯାଇଥିବା ବେଳେ ରେଡିଓ ଜକି ବଧିର ଓ ପେଣ୍ଟର ଜଣଙ୍କ ଅନ୍ଧ ହୋଇଯାଉଛନ୍ତି। ତା’ପରେ ନାଟକ ଆଗକୁ ଯାଇଛି। ସେହିପରି କାମ ପାଇଁ ଗାଁରୁ ସହର ଆସୁଥିବା ଲୋକେ କେମିତି ସହରୀ ‘ମାୟାଜାଲ’ରେ ଫସି ଯାଉଛନ୍ତି, ଅଉ ସହରଟା ବୁଢ଼ୀ ଅସୁରଣୀଙ୍କ ପରି ସେମାନଙ୍କୁ କେମିତି ଜାବୁଡ଼ି ଧରିଛି, ତାହା ଉପରେ ‘ମାୟାଜାଲ’ ନାଟକ ଆଗେଇଛି।

ପ୍ରଶ୍ନ: ଓଡ଼ିଆ ଯାତ୍ରା ଜଗତରେ ନବାଗତଙ୍କୁ କେମିତି ସମ୍ମାନ ମିଳେ?

ଉତ୍ତର: କହିବାକୁ ଗଲେ, ଏଠି ଜଣେ ମାତ୍ର କଳାକାର। ସେ ହେଉଛନ୍ତି କାଳିଆ। ତାଙ୍କଠାରୁ ଆଉ କେହି ଭଲ କଳାକାର ନାହାନ୍ତି। ମାତ୍ର ଯଲିଉଡ୍‌ରେ ଏମିତି କେତେକ କଳାକାର ଅଛନ୍ତି, ଯେଉଁମାନଙ୍କ ଚିନ୍ତାଧାରା ନକାରାତ୍ମକ। ସେମାନେ ନିଜକୁ ଭାରି ଜ୍ଞାନୀ ବୋଲି ଭାବନ୍ତି ଏବଂ ନବାଗତଙ୍କୁ ଭିନ୍ନ ଚକ୍ଷୁରେ ଦେଖନ୍ତି। ଏହି ଖରାପ ପରମ୍ପରାଟି ଏବେ ବି ରହିଛି। ମୁଁ ବି ତାହାର ଶିକାର ହୋଇଛି। କିନ୍ତୁ ଏପରି ବି ବହୁ ବରିଷ୍ଠ କଳାକାର ଅଛନ୍ତି, ଯେଉଁମାନେ ଏବେ ବି ଶିଖୁଛନ୍ତି ବୋଲି କହୁଛନ୍ତି।

ପ୍ରଶ୍ନ: ଯାତ୍ରା ନାଟକରେ କିଛି ପରିବର୍ତ୍ତନ ହୋଇଛି କି?

ଉତ୍ତର: ଯାତ୍ରା ନାଟକରେ ବହୁ କିଛି ପରିବର୍ତ୍ତନ ହୋଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପରିବର୍ତ୍ତନରେ ନାଟକ ତା’ର ମୌଳିକତାକୁ ହରାଇଛି। ଆଗ ପରି ନାଟକରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଛାପ ନାହିଁ। ଏବେ କେବଳ ସାଜସଜ୍ଜା, ରେକର୍ଡ଼ ଡ୍ୟାନ୍ସ, ମେଲୋଡି, ଷ୍ଟିଲ୍‌ ଗେଟ୍‌ ଓ ଟେଣ୍ଟ୍‌ ଉପରେ ଅଧିକ ଧ୍ୟାନ ଦିଆଯାଉଛି। କେତେକ ଏପରି ବି ଭାବୁଛନ୍ତି ଯେ ‘ମନ୍ଦିର ପାଇଁ ଦିଅଁ’, କିନ୍ତୁ ‘ଦିଅଁ ପାଇଁ ମନ୍ଦିର ନୁହେଁ’। ଓଡ଼ିଶାର ଯାତ୍ରା ପରମ୍ପରା ଅନୁସାରେ, ରାତି ୧୨ଟାରେ ଯାତ୍ରା ଆରମ୍ଭ ହୋଇଥାଏ। ୨ ଘଣ୍ଟା ମେଲୋଡି ଓ ରେକର୍ଡ଼ ଡ୍ୟାନ୍ସ ଗଲା ପରେ ନାଟକ ପାଇଁ ସମୟ କାହିଁ? ରାତି ୨ଟା ପରେ ନାଟକ ଆରମ୍ଭ ହେଲେ ଦେଖିବ କିଏ? କାରଣ ସେହି ସମୟରେ ଲୋକଙ୍କୁ ନିଦ ଆସିଥାଏ। ତେଣୁ ଯେତେ ଭଲ ନାଟକ ହେଲେ ମଧ୍ୟ ଦର୍ଶକ ଏହାକୁ ନ ଦେଖି ଘରକୁ ଚାଲି ଯା’ନ୍ତି।

ପ୍ରଶ୍ନ: ଯାତ୍ରାରେ ନାଟକ ନକଲ ହେଉଥିବା ଅଭିଯୋଗ ହେଉଛି, ଏ ନେଇ କ’ଣ କହିବେ?

ଉତ୍ତର: ଓଡ଼ିଶାରେ କାହାଣୀର ଅଭାବ ନାହିଁ। ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ନେଇ ବହୁ କାହାଣୀ ତିଆରି ହୋଇପାରିବ। ମାତ୍ର ନିଷ୍ଠା ଅଭାବରୁ ତାହା ହୋଇପାରୁ ନାହିଁ। ଏଥିପାଇଁ ବହୁ ଅଧ୍ୟୟନର ଆବଶ୍ୟକତା ରହିଛି। ଗୋଟିଏ ଷ୍ଟୋରୀ ଉପରେ ଯେତେ ତର୍ଜମା କରାଯିବ, ସେତେ ଦିଗ ବାହାରିବ। ତା’ପରେ ଯାଇ ନାଟକଟି ପୂର୍ଣ୍ଣତା ପାଇବ। ନାଟକ ତା’ର ମୌଳିକତା ବଜାୟ ରଖିବାକୁ ହେଲେ, ରାଜ୍ୟରେ ବିଲୁପ୍ତ ହୋଇଯାଇଥିବା କଳା ଓ ସଂସ୍କୃତିକୁ ସ୍ଥାନିତ କରିବାକୁ ପଡ଼ିବ। ସେଥିପାଇଁ ମୁଁ ବେଶୀ ନାଟକ ଲେଖିପାରୁ ନାହିଁ। ଗୋଟିଏ ବା ଦୁଇଟି ନାଟକରେ ନିଜକୁ ସୀମିତ ରଖୁଛି। ଚଳିତବର୍ଷ ମୁଁ ଲେଖିଥିବା ‘ଅନ୍ଧ ମୂକ ବଧିର’ ନାଟକରେ ହଜି ଯାଇଥିବା ‘ଚକୁଳିପଣ୍ଡା’ ଓ ‘ଭାଗବତ ଟୁଙ୍ଗୀ’ କଥା ରଖିଛି। ଏଥିରେ କପି ଛାପ ପାଇବେ ନାହିଁ। ତେବେ ଆଉ ଗୋଟିଏ ବଡ଼ କଥା ହେଲା, ଏଠି କପି କିଏ ନ କରୁଛି? ଓଲିଉଡ୍‌ ବଲିଉଡ୍‌କୁ ଓ ବଲିଉଡ୍‌ ହଲିଉଡ୍‌କୁ କପି କରୁଛି। ତେଣୁ କପି ହେଉ କିନ୍ତୁ କାହାଣୀରେ ସେଥିରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ରହିବା ଆବଶ୍ୟକ।

ପ୍ରଶ୍ନ: ଯାତ୍ରାଠାରୁ ଦର୍ଶକ ଦୂରେଇ ଯିବାର କାରଣ କ’ଣ?

ଉତ୍ତର: ଓଡ଼ିଶା, ପଶ୍ଚିମବଙ୍ଗ ଓ କେରଳରେ ଯାତ୍ରା ବହୁ ଲୋକପ୍ରିୟ ଥିଲା। ରାତି ଅନିଦ୍ରା ହୋଇ ଦର୍ଶକ ଯାତ୍ରା ଦେଖୁଥିଲେ। ମାତ୍ର ସମୟ ସହିତ ତାଳ ଦେଇ ଏହା ବଦଳି ପାରି ନ ଥିବାରୁ କେରଳ ଓ ପଶ୍ଚିମବଙ୍ଗରେ ଯାତ୍ରା ତିଷ୍ଠି ପାରିଲା ନାହିଁ। ମାତ୍ର ଓଡ଼ିଶାରେ ଯାତ୍ରା ଆଗକୁ ଆଗକୁ ମାଡ଼ି ଚାଲିଛି। ବର୍ତ୍ତମାନ ଓଡ଼ିଶା ଯାତ୍ରା ଭଲ ସ୍ଥିତିରେ ରହିଛି। ତେବେ ମଞ୍ଚରୁ ଯେଉଁମାନେ ମୁହଁ ଫେରାଉଛନ୍ତି, ସେମାନେ ପ୍ରକୃତ ଦର୍ଶକ ନୁହଁନ୍ତି। ଯେଉଁମାନେ ରାତି ଅନିଦ୍ରା ରହି ନାଟକକୁ ଉପଭୋଗ କରୁଛନ୍ତି, ସେମାନେ ହିଁ ପ୍ରକୃତ ଯାତ୍ରାପ୍ରେମୀ।



from Odisha Reporter https://ift.tt/2PjO4Xm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages