
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୧୨ ଦିଲ୍ଲୀର ପାରାମେଡିକାଲ ଛାତ୍ରୀ ନିର୍ଭୟା ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଯୁବକଙ୍କୁ ତୁରନ୍ତ ଫାଶୀ ଦେବାକୁ ହୋଇଥିବା ଆବେଦନକୁ ଆଜି ଦେଶର ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି।
ସୁପ୍ରିମକୋର୍ଟ ଏମାନଙ୍କ ଫାଶୀ ଦଣ୍ଡ କାଏମ ରଖିଥିଲେ ହେଁ ବର୍ତ୍ତମାନ ଏମାନଙ୍କୁ ଖୁଣ୍ଟରେ ଝୁଲାଯିବ ନାହିଁ ବୋଲି କୋର୍ଟ କହିଛନ୍ତି।
ଆବେଦନର ଶୁଣାଣି ବେଳେ ଜଷ୍ଟିସ୍ ମଦନ ବି ଲୋକୁର ଏବଂ ଜଷ୍ଟିସ୍ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ କହିଥିଲେ “ ଆପଣମାନେ କି ପ୍ରକାରର ଆବେଦନ କରୁଛନ୍ତି? ଆପଣମାନେ କୋର୍ଟଙ୍କୁ ପରିହାସ କରୁଛନ୍ତି। ବର୍ତ୍ତମାନ କୋର୍ଟ ଏହାକୁ ଗ୍ରହଣ କରିବେ ନାହିଁ।”
୨୦୧୨ ଡିସେମ୍ବର ୧୬-୧୭ ରାତିରେ ୨୩ ବର୍ଷୀୟ ନିର୍ଭୟାଙ୍କୁ ଦକ୍ଷିଣ ଦିଲ୍ଲୀର ଏକ ଚଳନ୍ତା ବସ୍ରେ ୬ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିଲେ। ତା’ପରେ ତାଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ଆକ୍ରମଣ କରିବା ପରେ ବସ୍ରୁ ତଳକୁ ଫୋପାଡ଼ି ଦେଇଥିଲେ। ଡିସେମ୍ବର ୨୯ରେ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ହୋଇଥିଲା।
ପୁଲିସ୍ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଥିଲା। ତେବେ ରାମ ସିଂହ ନାମକ ଜଣେ ଅଭିଯୁକ୍ତ ଜେଲ୍ ମଧ୍ୟରେ ଆତ୍ମହତ୍ୟା କରିଥିଲା। ସେହିପରି ଘଟଣାର ପ୍ରମୁଖ ଅଭିଯୁକ୍ତ ଜଣେ ନାବାଳକ ୩ ବର୍ଷ ଜେଲଦଣ୍ଡ ପାଇବା ପରେ ଛାଡ଼ ପାଇଛି। ଅନ୍ୟ ୪ ଜଣ ଯୁବକ ମୁକେଶ, ପୱନ ଗୁପ୍ତା, ଅକ୍ଷୟ କୁମାର ସିଂହ ଏବଂ ବିନୟ ଶର୍ମାଙ୍କୁ ୨୦୧୭ରେ ଫାଶୀ ଦଣ୍ଡ ମିଳିଥିଲା।
ଏମାନଙ୍କ ମଧ୍ୟରୁ ୩ ଜଣ ମୁକେଶ, ପୱନ ଏବଂ ବିନୟ ସୁପ୍ରିମକୋର୍ଟରେ ଦଣ୍ଡାଦେଶ ବିରୋଧରେ ରିଭ୍ୟୁ ପିଟିସନ୍ ଦାଖଲ କରିଥିଲେ। ତେବେ ଜୁଲାଇ ୯ରେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ।
from Odisha Reporter https://ift.tt/2UAYLZL
No comments:
Post a Comment