
ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ମେଲବର୍ଣ୍ଣରେ ଖେଳା ଯାଉଛି ତୃତୀୟ ଟେଷ୍ଟ୍ ମ୍ୟାଚ୍। ବକ୍ସିଂ ଡେ’ରୁ ଆରମ୍ଭ ହୋଇଥିବା ଏହି ମ୍ୟାଚ୍ର ପ୍ରଥମ ଇନିଂସ୍ରେ ଭାରତ ୪୪୩ ରନ୍ କରିଥିବା ବେଳେ ସଂକଟରେ ପଡ଼ିଛି କଙ୍ଗାରୁ ଟିମ୍। ଦଳ ପ୍ରଥମ ଇନିଂସ୍ରେ ୧୦୦ ରନ୍ କରିବା ପୂର୍ବରୁ ୫ ୱିକେଟ୍ ହରାଇଥିବା ବେଳେ ୧୦୨ ରନ୍ରେ ୬ଟି ୱିକେଟ୍ ହରାଇଛି।
ଭାରତ ଗତକାଲି ୭ ୱିକେଟ୍ ହରାଇ ୪୪୩ ରନ୍ କରିବା ପରେ ଇନିଂସ୍ ଘୋଷଣା କରିଥିଲା। ଏହା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା। ତେବେ ଗତକାଲି ଷ୍ଟମ୍ପ୍ ଅପସାରଣ ବେଳକୁ ଘରୋଇ ଦଳ କୌଣସି ୱିକେଟ୍ ନ ହରାଇ ମାତ୍ର ୮ ରନ୍ କରିଥିଲା। ଆଜି ଦଳ ପୁଣି ପାଳି ଆରମ୍ଭ କରିଥିଲା। ତେବେ ଦଳକୁ ୧୦.୩ ଓଭରରେ ପ୍ରଥମ ଝଟକା ଲାଗିଥିଲା। ଦଳୀୟ ସ୍କୋର ୨୪ରେ ପହଞ୍ଚିଥିବା ବେଳେ ଆରୋନ୍ ଫିଞ୍ଚ୍ ଆଉଟ୍ ହୋଇଥିଲେ। ସେ ମାତ୍ର ୮ ରନ୍ କରିଥିବା ବେଳେ ଈଶାନ୍ତ ଶର୍ମାଙ୍କ ଏକ ବଲ୍ରେ ମୟଙ୍କ ଅଗ୍ରୱାଲ୍ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।
ଅନ୍ୟତମ ଓପନ୍ର ମାର୍କସ୍ ହ୍ୟାରିସ୍ ମଧ୍ୟ ଅଧିକ ସମୟ ତିଷ୍ଠି ନଥିଲେ। ୧୩.୩ ଓଭରରେ ସେ ଯଶପ୍ରୀତ୍ ବୁମ୍ରାଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଈଶାନ୍ତ ଶର୍ମା ତାଙ୍କ କ୍ୟାଚ୍ ଧରିଥିଲେ। ମାତ୍ର ୨୨ ରନ୍ କରି ସେ ଆଉଟ୍ ହୋଇଯାଇଥିଲେ।
ଏହା ପରେ ୧୯.୫ ଓଭରରେ ରବୀନ୍ଦ୍ର ଜାଡେଜାଙ୍କ ଶିକାର ହୋଇଥିଲେ ଉସ୍ମାନ୍ ଖାୱାଜା। ସେ ମାତ୍ର ୨୧ ରନ୍ କରି ମୟଙ୍କ ଅଗ୍ରୱାଲ୍ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଶନ୍ ମାର୍ଶ ବି ଫେଲ୍ ମାରିଥିଲେ। ସେ ଯଶପ୍ରୀତ ବୁମ୍ରାଙ୍କ ବଲ୍ରେ ଏଲ୍ବିଡବ୍ଲ୍ୟୁ ହୋଇଥିଲେ।
ଟ୍ରାଭିସ୍ ହେଡ୍ ଇନିଂସ୍ ସମ୍ଭାଳିବେ ବୋଲି ଆଶା କରାଯାଉଥିଲା। ତେବେ ସେ ବି ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇପାରି ନଥିଲେ। ୪୮ ବଲ୍ରେ ୨୦ ରନ୍ କରିଥିବା ଟ୍ରାଭିସ୍ଙ୍କୁ ଯଶପ୍ରୀତ୍ ବୋଲ୍ଡ କରି ଦେଇଥିଲେ। ମିଚେଲ ମାର୍ଶ ମାତ୍ର ୯ ରନ୍ କରି ରବୀନ୍ଦ୍ର ଜାଡେଜାଙ୍କ ଦ୍ୱାରା ଆଉଟ୍ ହୋଇଥିଲେ।
ଶେଷ ଖବର ସୁଦ୍ଧା ଅଷ୍ଟ୍ରେଲିଆ ୬ ୱିକେଟ୍ ହରାଇ ୧୧୦ ରନ୍ କରିଛି। ଅଧିନାୟକ ଟିମ୍ ପେନ୍ ଓ ପ୍ୟାଟ୍ କମିନ୍ସ କ୍ରିଜ୍ରେ ଅଛନ୍ତି।
ମୟଙ୍କ ଅଗ୍ରୱାଲଙ୍କ ୭୬ ରନ୍, ଚେତେଶ୍ୱର ପୂଜାରାଙ୍କ ୧୦୬ ରନ୍, ବିରାଟ କୋହଲିଙ୍କ ୮୨ ଓ ରୋହିତ ଶର୍ମାଙ୍କ ୬୩ ରନ୍ ବଳରେ ଭାରତ ପ୍ରଥମ ଇନିଂସ୍ରେ ୪୪୩ ରନ୍ କରିଥିଲା।
from Odisha Reporter http://bit.ly/2ETFM83
No comments:
Post a Comment