ନାଁ କରିଛନ୍ତି ବିରାଟ; କ’ଣ କରୁଛନ୍ତି ଅନ୍ୟ ୨୦୦୮ ଅଣ୍ଡର-୧୯ ବିଶ୍ୱବିଜେତା ଖେଳାଳି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ନାଁ କରିଛନ୍ତି ବିରାଟ; କ’ଣ କରୁଛନ୍ତି ଅନ୍ୟ ୨୦୦୮ ଅଣ୍ଡର-୧୯ ବିଶ୍ୱବିଜେତା ଖେଳାଳି?

ନୂଆଦିଲ୍ଲୀ: ବିରାଟ୍‌ କୋହଲିଙ୍କ ଅଣ୍ଡର-୧୯ ଟିମ୍‌ ଭାରତକୁ ୨୦୦୮ରେ ବିଶ୍ୱ ବିଜେତା କରାଇଥିଲା। ଏହି ବିଶ୍ୱ କପ୍‌ ଟ୍ରଫି ଜିତିବା ପରେ ବିରାଟ୍‌ଙ୍କ ଭାଗ୍ୟ ବଦଳିଥିଲା ଏବଂ ସେ ଏବେ ସିନିୟର ଟିମ୍‌ର ଅଧିନାୟକ। କିନ୍ତୁ ବିରାଟ୍‌ଙ୍କ ବ୍ୟତୀତ ଅଣ୍ଡର-୧୯ ବିଶ୍ୱ କପ୍‌ ବିଜେତା ଟିମ୍‌ରେ ଥିବା ଅନ୍ୟ ଖେଳାଳିମାନେ ଏବେ କ’ଣ କରୁଛନ୍ତି? ସେମାନେ କ୍ରିକେଟ୍‌ ଖେଳୁଛନ୍ତି ନା ଆଉ କିଛି ପ୍ରଫେସନ୍‌ରେ ରହିଛନ୍ତି? ଆସନ୍ତୁ ଜାଣିବାର ସେମାନଙ୍କ ସମ୍ପର୍କରେ…

୧: ବିରାଟ କୋହଲି: ୨୦୦୮ ଅଣ୍ଡର-୧୯ ବିଶ୍ୱକପ୍‌ ଜିତିବାର ୫ ମାସ ପରେ ବିରାଟ୍‌ କୋହଲିଙ୍କୁ ସିନିୟର ଟିମ୍‌ରୁ ଡାକରା ମିଳିଥିଲା। ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ ଖେଳି ନିଜ ଦକ୍ଷତାର ପ୍ରଦର୍ଶନ ଦେଇଥିଲେ। କିନ୍ତୁ ୨୦୦୮ ଅଗଷ୍ଟ ମାସରୁ ଗୋଟିଏ ବର୍ଷ ପାଇଁ ବିରାଟ୍‌ଙ୍କୁ ଆଉ ଟିମ୍‌ ଇଣ୍ଡିଆର ଜାତୀୟ ଦଳରେ ସ୍ଥାନ ମିଳିନଥିଲା। ତେବେ ୨୦୦୯ରୁ ସେ କ୍ରମାଗତ ଭାବେ ଜାତୀୟ ଦଳରେ ସ୍ଥାନ ପାଇଥିଲେ ଏବଂ ୨୦୧୧ରେ ମହେନ୍ଦ୍ର ସିଂହ ଧୋନିଙ୍କ ବିଶ୍ୱକପ୍‌ ଟିମ୍‌ରେ ସଦସ୍ୟ ମଧ୍ୟ ରହିଥିଲେ।

୨: ରବୀନ୍ଦ୍ର ଜାଡେଜା: ବିରାଟ୍‌ଙ୍କ ଡେପୁଟି ଭାବେ ରବୀନ୍ଦ୍ର ଜାଡେଜା ୨୦୦୮ ଅଣ୍ଡର-୧୯ ବିଶ୍ୱକପ୍‌ ବିଜେତା ଟିମ୍‌ରେ ଖେଳିଥିଲେ। ଏହି ଅଣ୍ଡର-୧୯ ଟିମ୍‌ରେ ଜାଡେଜା ହିଁ ସବୁଠାରୁ ଅଭିଜ୍ଞ ଥିଲେ। କାରଣ ସେ ୨୦୦୬ ବିଶ୍ୱକପ୍‌ ମଧ୍ୟ ଖେଳିଥିଲେ। ବିଶ୍ୱକପ୍‌ରେ ଜାଡେଜା କମ୍‌ ବ୍ୟାଟିଂ ଏବଂ ବେଶୀ ବୋଲିଂ କରୁଥିଲେ। ସେ ହିଁ ଟିମ୍‌ ଇଣ୍ଡିଆର ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ଥିଲେ। ଏହି ବିଶ୍ୱକପ୍‌ ପରେ ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ୨୦୦୯ରେ ସେ ସିନିୟର ଟିମ୍‌ର ଦିନିକିଆ ଏବଂ ଟି-୨୦ ଦଳର ସ୍ଥାନ ପାଇଥିଲେ। ଏବେ ବି ସେ ଟିମ୍‌ ଇଣ୍ଡିଆର ଜଣେ ସକ୍ରିୟ ସଦସ୍ୟ।

୩: ତନ୍ମୟ ଶ୍ରୀବାସ୍ତ: ୨୦୦୮ ଅଣ୍ଡର-୧୯ ବିଶ୍ୱକପ୍‌ରେ ଏହି ବାମହାତୀ ବ୍ୟାଟସ୍‌ମ୍ୟାନ୍‌ ଜଣଙ୍କ ବ୍ୟାଟ୍‌ରେ ନିଜର ଯାଦୁ ଦେଖାଇଥିଲେ। ସେ ବିଶ୍ୱକପ୍‌ରେ ବିରାଟ୍‌ଙ୍କ ଠାରୁ ମଧ୍ୟ ଅଧିକ ରନ୍‌ କରିଥିଲେ। ସେ ବିଶ୍ୱକପ୍‌ର ୬ଟି ମ୍ୟାଚ୍‌ରେ ୫୨ ହାରରେ ୨୬୨ ରନ୍‌ କରି ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ୍‌ ସ୍କୋରର ହୋଇଥିଲେ। କିନ୍ତୁ ତାଙ୍କୁ ଜାତୀୟ ଦଳର ସୁଯୋଗ ମିଳିନାହିଁ। ଏବେ ସେ ଉତ୍ତର ପ୍ରଦେଶ ପକ୍ଷରୁ ଘରୋଇ କ୍ରିକେଟ୍‌ ଖେଳୁଛନ୍ତି।

୪: ତରୁୱର କୋହଲି: ମଧ୍ୟକ୍ରମ ବ୍ୟାଟସ୍‌ମ୍ୟାନ୍‌ ଭାବେ ନିଜର କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ଏହି ଖେଳାଳିଙ୍କୁ ଅଣ୍ଡର-୧୯ ଟିମ୍‌ରେ ଓପନର ଭାବେ ଖେଳିବାକୁ ସୁଯୋଗ ମିଳିଥିଲା। ସେ ଏହି ସୁଯୋଗର ଫାଇଦା ଉଠାଇ ଲଗାତାର ୩ଟି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୬ଟି ଇନିଂସ୍‌ରେ ୨୧୮ ରନ୍‌ କରିଥିଲେ। କିନ୍ତୁ ତାଙ୍କୁ ଜାତୀୟ ଦଳରେ ସୁଯୋଗ ମିଳିବା ତ ଦୂରର କଥା ପଞ୍ଜାବର ଘରୋଇ ଦଳରେ ସ୍ଥାନ ପାଇବାକୁ ସଂଘର୍ଷ କରିବାକୁ ପଡ଼ୁଛି।

୫: ଅଭିନବ ମୁକୁନ୍ଦ: ତାମିଲନାଡୁ, ଦକ୍ଷିଣ ଜୋନ୍‌, ଇଣ୍ଡିଆ ଏ ଓ ରେଷ୍ଟ ଅଫ୍‌ ଇଣ୍ଡିଆ ପାଇଁ ଖେଳିଥିବା ଅଭିନବ ମୁକୁନ୍ଦଙ୍କୁ ୨୦୧୧ରେ ୱେଷ୍ଟଇଣ୍ଡିଜ୍‌ ଏବଂ ଇଂଲଣ୍ଡ ଟୁର ପାଇଁ ଜାତୀୟ ଦଳରେ ସାମିଲ କରାଯାଇଥିଲା। କିନ୍ତୁ ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ବାହାରର ରାସ୍ତା ଦେଖିବାକୁ ପଡ଼ିଥିଲା। ସେ ୨୦୦୮ ଅଣ୍ଡର-୧୯ ବିଶ୍ୱକପ୍‌ ଟିମ୍‌ରେ ସାମିଲ ଥିଲେ ମଧ୍ୟ ଗୋଟିଏ ହେଲେ ମ୍ୟାଚ୍‌ ଖେଳିପାରି ନଥିଲେ।

୬: ଶ୍ରୀବାସ୍ତବ ଗୋସ୍ୱାମୀ: ୨୦୦୮ ବିଶ୍ୱକପ୍‌ରେ ଶ୍ରୀବାସ୍ତ ଭାରତ ୱିକେଟ୍‌ କିପର୍ ରହିଥିଲେ। ସେ ବିଶ୍ୱକପ୍‌ରେ ୧୫୨ ରନ୍‌ କରିବା ପରେ ୨୦୦୮ ଆଇପିଏଲ୍‌ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳିଥିଲେ। ସେ ବିରାଟ୍‌ କୋହଲି, ରୋହିତ ଶର୍ମା, ରବୀନ୍ଦ୍ର ଜାଡେଜା ଓ ସୁରେଶ ରାଇନାଙ୍କ ଭଳି ଖେଳାଳିଙ୍କୁ ପଛରେ ପକାଇ ଅଣ୍ଡର-୨୩ ପ୍ଲେୟାର ଅଫ୍‌ ଟୁର୍ଣ୍ଣାମେଣ୍ଟ ହୋଇଥିଲେ। କିନ୍ତୁ ଏବେ ବି ସେ ଘରୋଇ କ୍ରିକେଟରେ ବେଙ୍ଗଲ ପକ୍ଷରୁ ପ୍ରତିନିଧିତ୍ୱ କରିବାରେ ସୀମିତ ରହିଛନ୍ତି।

୭: ମନୀଷ ପାଣ୍ଡେ: ୨୦୦୮ ବିଶ୍ୱକପ୍‌ରେ ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିବା ମନୀଷ ପାଣ୍ଡେଙ୍କୁ କିନ୍ତୁ ୨୦୦୮ ଆଇପିଏଲ୍‌ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିଲା। ଆଇପିଏଲ୍‌ର ୨୦୦୯ ସଂସ୍କରଣରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳି ପ୍ରଥମ ଭାରତୀୟ ଭାବେ ଟି-୨୦ ଫର୍ମାଟରେ ଶତକ ହାସଲ କରିଥିଲେ। ଏହାପରେ ସେ କେବେ ହେଲେ ପଛକୁ ଚାହିଁନାହାନ୍ତି। ଆଇପିଏଲ୍‌ର ବିଭିନ୍ନ ଟିମ୍‌ ପକ୍ଷରୁ ଖେଳୁଥିବା ମନୀଷ ଜାତୀୟ ଦଳରେ ମଧ୍ୟରେ ସ୍ଥାନ ପାଇଛନ୍ତି। ଏବେ ମଧ୍ୟ ସେ କ୍ରମାଗତ ଭାବେ ଭାରତ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି।

୮: ସୌରଭ ତିୱାରୀ: ଅଣ୍ଡର ୧୯ ବିଶ୍ୱକପ୍‌ରେ ସମସ୍ତଙ୍କୁ ନିଜର ଟ୍ୟାଲେଣ୍ଟ ବଳରେ ପ୍ରଭାବିତ କରିଥିବା କିଛି ଖେଳାଳିଙ୍କ ମଧ୍ୟରୁ ସୌରଭ ତିୱାରୀ ଥିଲେ ଅନ୍ୟତମ। କିନ୍ତୁ ବ୍ୟାଟିଂରେ ସ୍ଥିରତା ଅଭାବରୁ ତାଙ୍କୁ ଜାତୀୟ ଦଳରେ ପର୍ଯ୍ୟାପ୍ତ ସୁଯୋଗ ମିଳିନାହିଁ। ସେ ଏଯାଏ କେବଳ ୩ଟି ଦିନିଆ ଖେଳି ୪୯ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି। ସେ ବର୍ତ୍ତମାନ ଝାରଖଣ୍ଡର ଅଧିନାୟକ ରହିଛନ୍ତି।

୯: ଇକବାଲ ଅବଦୁଲ୍ଲା: ୨୦୦୮ ବିଶ୍ୱକପ୍‌ରେ ଇକବାଲ ୧୦ଟି ୱିକେଟ୍‌ ଦଖଲ କରିଥିଲେ। ମୁମ୍ବାଇ ପକ୍ଷରୁ ରଣଜୀ ଖେଳୁଥିବା ଇକବାଲ ୨୦୧୬ରେ କର୍ଣ୍ଣାଟକ ପକ୍ଷରୁ କ୍ରିକେଟ୍‌ ଖେଳିବା ଆରମ୍ଭ କରିଥିଲେ। ସେ ଆଇପିଏଲ୍‌ ଏବଂ ଇଣ୍ଡିଆ ଏ ପକ୍ଷରୁ ଖେଳୁଥିଲେ ହେଁ ସିନିୟର ଟିମ୍‌ରେ ଏଯାଏ ସୁଯୋଗ ପାଇନାହାନ୍ତି।

୧୦: ପ୍ରଦୀପ ସାଙ୍ଗୱାନ: ୨୦୦୮ରେ ଟିମ୍‌ ଇଣ୍ଡିଆର ବାମହାତୀ ଦ୍ରୁତ ବୋଲର ଥିଲେ ପ୍ରଦୀପ ସାଙ୍ଗୱାନ। ସେ ୨୦୦୮ ବିଶ୍ୱକପ୍‌ରେ ଏକମାତ୍ର ଭାରତୀୟ ବୋଲର ଯିଏ ଟୁର୍ଣ୍ଣାମେଣ୍ଟରେ ୫ଟି ୱିକେଟ୍‌ ଦଖଲ କରିବାର କୀର୍ତ୍ତିମାନ ସ୍ଥାପନ କରିଥିଲେ। ସେ ୨୦୦୮ରୁ କ୍ରମାଗତ ଭାବେ ଆଇପିଏଲ୍‌ ଖେଳୁଥିଲେ। କିନ୍ତୁ ୨୦୧୩ ଆଇପିଏଲ୍‌ ସମୟରେ ନିଶା ସେବନ କରିଥିବାରୁ ତାଙ୍କୁ ୮ ମାସ ପାଇଁ କ୍ରିକେଟରୁ ବାସନ୍ଦ କରାଯାଇଥିଲା। ସେ ଇଣ୍ଡିଆ ଏ ଟିମ୍‌ ପକ୍ଷରୁ ଖେଳୁଥିଲେ ହେଁ ଏଯାଏ ସିନିୟର ଟିମ୍‌ରେ ସୁଯୋଗ ପାଇନାହାନ୍ତି।

୧୧: ସିଦ୍ଧାର୍ଥ କାଉଲ: ୨୦୦୮ ବିଶ୍ୱକପ୍‌ରେ ସିଦ୍ଧାର୍ଥ କାଉଲ ୫ଟି ମ୍ୟାଚ୍‌ରେ ୧୦ଟି ୱିକେଟ୍‌ ନେଇଥିଲେ। ପଞ୍ଜାବ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଥିବା ସିଦ୍ଧାର୍ଥ କ୍ରମାଗତ ଭଲ ପ୍ରଦର୍ଶନ କରିବାରୁ ତାଙ୍କୁ ଆଇପିଏଲ୍‌ରେ ସୁଯୋଗ ମିଳିଥିଲା। ଆଇପିଏଲ୍‌ରେ ସେ ନିଜର ପ୍ରଭାବ ବିସ୍ତାର କରିବାରୁ ତାଙ୍କୁ ସିନିୟର ଟିମ୍‌ରେ ସୁଯୋଗ ମିଳିଥିଲା।

୧୨: ଅଜିତେଶ ଅଗ୍ରୱାଲ: ୨୦୦୮ ବିଶ୍ୱକପ୍‌ ଫାଇନାଲ୍‌ରେ ୫ ଓଭରରେ ୭ ରନ୍‌ ଦେଇ ୨ଟି ୱିକେଟ୍‌ ନେଇଥିବା ଅଜିତେଶଙ୍କ ପାଇଁ ଭାରତ ବିଶ୍ୱକପ୍‌ ଜିତିଥିଲା। ସେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ମଧ୍ୟ ହୋଇଥିଲେ। କିନ୍ତୁ ସେବେଠାରୁ ସେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ବରୋଦରା ଟିମ୍‌ରୁ ମଧ୍ୟ ବାହାରେ ରହିବାକୁ ପଡ଼ିଛି। ଗତ ୯ ବର୍ଷ ମଧ୍ୟରେ ସେ ମାତ୍ର ୧୯ଟି ମ୍ୟାଚ୍‌ ଖେଳିଛନ୍ତି।

୧୩: ଡି ଶିବକୁମାର: ଅଭିନବ ମୁକୁନ୍ଦ ପରି ୨୦୦୮ ବିଶ୍ୱକପ୍‌ର ଗୋଟିଏ ହେଲେ ବି ମ୍ୟାଚ୍‌ ଖେଳି ନଥିଲେ ଡି ଶିବକୁମାର। ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଥିବା ଶିବକୁମାର ୪୨ଟି ମ୍ୟାଚ୍‌ରେ ୧୩୩ ୱିକେଟ୍‌ ନେଇଛନ୍ତି।

୧୪: ପେରୀ ଗୋଏଲ: ୨୦୦୮ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ରହି ଗୋଟିଏ ହେଲେ ମ୍ୟାଚ୍‌ ଖେଳି ନଥିବା ୩ୟ ଖେଳାଳି ହେଉଛନ୍ତି ପେରୀ। ଏହାପରେ ସେ ତାଙ୍କ ଘରୋଇ ଟିମ୍‌ ପଞ୍ଜାବ ପକ୍ଷରୁ ମଧ୍ୟ ଗୋଟିଏ ହେଲେ ମ୍ୟାଚ୍‌ ଖେଳି ନଥିଲେ। ଏବେ ସେ ଆର୍‌ଏସ୍‌ଜି ଗ୍ରୁପ୍‌ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

୧୫: ନାପୋଲି୍ଅନ୍‌ ଆଇନ୍‌ଷ୍ଟାଇନ୍‌: ବିଶ୍ୱକପ୍‌ରେ ଗୋଟିଏ ମ୍ୟାଚ୍‌ ଖେଳିଥିବା ନାପୋଲିଅନ୍‌ ଏହାପରେ ମାତ୍ର ୩ଟି ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିଛନ୍ତି। ସେ ଏବେ କ’ଣ କରୁଛନ୍ତି, ସେକଥା ତାଙ୍କ ପରିଚିତ ଲୋକମାନେ ମଧ୍ୟ କହିବାକୁ ପ୍ରସ୍ତୁତ ନାହାନ୍ତି।



from Odisha Reporter http://bit.ly/2Ah7kAg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages