
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସବୁଦିନେ ଯୋଜନାର ବର୍ଷା ହେଉଛି କିନ୍ତୁ ରାଜ୍ୟବାସୀ ଓଦା ହେଉନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସ୍ୱଚ୍ଛ ଭାରତ ଯୋଜନା, ଆଳୁ ମିଶନ ଆଦି ଯୋଜନା ଫେଲ୍ ମାରିଥିବାବେଳେ ଏବେ ଚାଷୀ ଅଭାବୀ ପିଆଜ ବିକ୍ରିର ସମ୍ମୁଖୀନ ହେଲେଣି। ଧାନ ବିକ୍ରି କରିବା ପାଇଁ ମଣ୍ଡି ସୁବିଧା ବି ସରକାର ଯୋଗାଇ ପାରିନାହାନ୍ତି। ତଥାପି ବିକାଶ ହେଉଛି ବୋଲି ବିଜେଡି ସରକାର ଡିଣ୍ଡିମ ପିଟୁଛି।
ଆଜି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ଭୃଗୁ ବକ୍ସିପାତ୍ର ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ଯେ, ରାଜ୍ୟରେ ଯୋଜନା ତ ପ୍ରତ୍ୟେକ ଦିନ ଘୋଷଣା ହେଉଛି। ଲକ୍ଷ୍ମଣ କୁମ୍ଭାରକୁ ନେଇ ବିଜୁ ସ୍ୱାସ୍ଥ୍ୟ ଯୋଜନାର କିଭଳି ମିଛ ପ୍ରଚାର ଚାଲିଥିଲା ତାହା ତ ସମସ୍ତେ ଦେଖିଲେ। ସ୍ୱଚ୍ଛ ଭାରତ ଯୋଜନାକୁ ବିଜୁ ଯୁବବାହିନୀ ସଦସ୍ୟମାନେ ଧରାକୋଟ ବ୍ଲକରେ ବାଟମାରଣା କରୁଛନ୍ତି।ଆଳୁ ମିଶନ ଓ ଶୀତଳ ଭଣ୍ଡାରର ଅବସ୍ଥା କ’ଣ? ପିଆଜର ଅଭାବୀ ବିକ୍ରି ହେଉଛି, ଛତିଶଗଡ଼ର ବ୍ୟବସାୟୀମାନେ ଏଠି ଆସି ପିଆଜ ନେବାରେ ଲାଗିଛନ୍ତି।
ରାଜ୍ୟର ଚାଷୀ ନିଜର ଧାନ ବିକ୍ରି କରିପାରୁନି। ବହୁତ ଦିନ ହେଲା ଚାଷୀମାନେ ନିଜର ଧାନକୁ ବିକ୍ରି କରିବା ଆଶାରେ ମଣ୍ଡିରେ ଆଣି ରଖୁଛନ୍ତି। କିନ୍ତୁ ରାତି ହେଲେ ଧାନକୁ ଘରକୁ ଫେରାଇ ନେଇ ପୁଣି ସକାଳେ ଆଣୁଛନ୍ତି। ସରକାର ସେମାନଙ୍କ ଧାନ କିଣିବେ ବୋଲି ଆଶା ରଖି ମଣ୍ଡିକୁ ଆଣୁଥିଲେ ସୁଦ୍ଧା ଧାନ କିଣା ହେଉନାହିଁ। ଚାଷୀ ଏବେ ନିଜର ଧାନ ବିକ୍ରି ପାଇଁ ପଡ଼ୋଶୀ ରାଜ୍ୟ ମୁହାଁ ହେଲେଣି। ଚାଷୀଙ୍କ ଧାନ ତ ମଣ୍ଡିରେ ବିକ୍ରି ହେଉନି, ଯେଉଁଠି କାଁଭାଁ ବିକ୍ରି ହେଉଛି ସେଠାରେ ଏଫଏକ୍ୟୁ ନାଁରେ କାଟି ରଖିଦେଉଛନ୍ତି।
ଧାନମଣ୍ଡିର ଅବସ୍ଥା ଅତ୍ୟନ୍ତ ଭାବେ ଦୟନୀୟ। ଯେଉଁ ଅଞ୍ଚଳରେ ଧାନ ସବୁଠୁ ଅଧିକ ଉତ୍ପାଦନ ହେଉଛି, ସେହି ଅଞ୍ଚଳର ଚାଷୀ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଓଡ଼ିଶା ସରକାରଙ୍କ ପାଖରେ ଧାନ କିଣିବାର କୌଣସି ଉପଯୁକ୍ତ ପ୍ଲାଟଫର୍ମ ନାହିଁ। ଏଥର ଧାନମଣ୍ଡି ବିଳମ୍ବରେ ଖୋଲିବାରେ ଲାଗିଛି। ଯେତିକି ଖୋଲିଛି ସେଗୁଡ଼ିକ ବି ଠିକ୍ ଭାବେ କାର୍ଯ୍ୟ କରୁନି। ରାଜ୍ୟ ସରକାରଙ୍କ ପାଖରେ ଚାଷୀଙ୍କ ସମସ୍ୟା ଓ ମଣ୍ଡିର ସମସ୍ୟାର ସମାଧାନ କରିବା ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନାହିଁ ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି।
from Odisha Reporter https://ift.tt/2PtC3Pg
No comments:
Post a Comment