ବିବାହଯୋଗ୍ୟ ହେଲା ବିଜେଡି, ୨୦୧୯ରେ ହାତକୁ ଦି’ହାତ ନା ଭାଗଚାଷ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ବିବାହଯୋଗ୍ୟ ହେଲା ବିଜେଡି, ୨୦୧୯ରେ ହାତକୁ ଦି’ହାତ ନା ଭାଗଚାଷ?

ଭୁବନେଶ୍ୱର (ସୁବ୍ରତ କୁମାର ନାୟକ): ତଥାକଥିତ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଲୋକପ୍ରିୟତାକୁ ଆଧାର କରି ଓ ପଦ୍ମ ଦଳର ପାଣି ଛିଞ୍ଚାରେ ୨୬ ଡିସେମ୍ବର ୧୯୯୭ରେ ଜନ୍ମ ନେଇଥିଲା ବିଜେଡି। ପ୍ରଥମେ ୧୯୯୮ରେ ନିର୍ବାଚନ ଲଢ଼ିଥିବା ଏହି ଦଳ ଏବେ ଆଉ ଛୁଆଦଳ ହୋଇ ରହିନାହିଁ। ବିରୋଧୀ ଦଳଙ୍କ ଅପାରଗତା ହେଉ କିମ୍ବା ସଫଳ ନିର୍ବାଚନୀ ପରିଚାଳନା, ନିର୍ବାଚନ ପରେ ନିର୍ବାଚନ ଜିତି ବିଜେଡି ଏବେ ୨୧ ବର୍ଷରେ ବା ଭାରତୀୟ ଆଇନ ଅନୁଯାୟୀ ବିବାହଯୋଗ୍ୟ ବୟସ ଛୁଇଁଛି।

ପ୍ରଥମ ପ୍ରେମ ଏବଂ ବିଚ୍ଛେଦ

ଦଳ ଗଠନ ବେଳେ ଅକୁଣ୍ଠିତ ପ୍ରେମ ଦେଇଆସିଥିବା ବିଜେପି ସହିତ ବିଜେଡିର ୧୯୯୮ରୁ ୨୦୦୯ ଯାଏ ନିବିଡ଼ ସମ୍ପର୍କ ଥିଲା। ଏପରିକି ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ବିଜେଡି ମୁଖିଆ ଇସ୍ପାତ ମନ୍ତ୍ରୀ ମଧ୍ୟ ଥିଲେ। କେନ୍ଦ୍ରରେ ଏବଂ କ୍ଷମତାକୁ ଆସିବା ପରେ ରାଜ୍ୟରେ ଉଭୟ ଦଳର ମତିଗତି ସ୍ପଷ୍ଟ କରିଦେଉଥିଲା ଏହା ମେଣ୍ଟଠାରୁ ଅଧିକ କିଛି। କିନ୍ତୁ ଏ ପ୍ରେମରେ ଝଡ଼ ପରି ଆସିଥିବା କନ୍ଧମାଳ ଦଙ୍ଗା ଓ ଅନ୍ୟାନ୍ୟ ପ୍ରସଙ୍ଗ ଉଭୟଙ୍କ ରାସ୍ତା ଅଲଗା କରିଦେଇଥିଲା।

୨୦୦୯ରେ ପ୍ରେମ ଅଢ଼େଇ ଦିନିଆ

୨୦୦୯ରେ ବିଜେପି ସହିତ ପ୍ରେମ ବିଚ୍ଛେଦ ପରେ ଏନ୍‌ସିପି, ସିପିଆଇ ଏବଂ ସିପିଏମ୍‌ ସହିତ ପ୍ରାକ୍‌ ନିର୍ବାଚନୀ ମେଣ୍ଟ ହେଲା। ନିଷ୍ପତ୍ତି ହେଲା ବିଜେଡି ୧୪୭ରୁ ୧୩୦ଟି ବିଧାନସଭା ଆସନରେ ଏବଂ ୨୧ ଲୋକସଭାରୁ ୧୮ଟିରେ ଲଢ଼ିବ। ମାର୍ଚ୍ଚ ୧୧ ଆସ୍ଥା ଭୋଟ୍‌ରେ ଏକତରଫା ପ୍ରେମ କରିଥିବା ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ତା’ର ‘ଗ୍ରେଟର ଝାରଖଣ୍ଡ’ ପ୍ରେମ ପାଇଁ ୨୦୦୯ ଉତ୍ସବରେ ସାମିଲ ହୋଇପାରିନଥିଲା।

ଏନ୍‌ସିପିର ବିଜେଡି ପ୍ରେମ ପାଇଁ ଦଳ ପାଟକୁରା ବାବୁ ବିଜୟ ମହାପାତ୍ରଙ୍କୁ ହରାଇଥିଲା। କିନ୍ତୁ ବଦଳରେ ମିଳିଥିବା କ୍ଷମତା ମଉଜ ବେଶୀଦିନ ରହିନଥିଲା। ୨୦୧୨ରେ ସମସ୍ତ ୪ ଏନ୍‌ସିପି ବିଧାୟକ ବାବୁ ପ୍ରଶାନ୍ତ ନନ୍ଦ(ବେଗୁନିଆ), ଅମର ପ୍ରସାଦ ଶତପଥୀ (ବଡ଼ଚଣା), ନବୀନ ନନ୍ଦ (ଢେଙ୍କାନାଳ) ଏବଂ ରାମଚନ୍ଦ୍ର ହାଂସଦା (ସାରସକଣା) ବିଜେଡିରେ ମିଶିଯିବା ପରେ ଜଳକା ଏନ୍‌ସିପିର ଏକ ପ୍ରକାର ରାଜନୀତିକ ମୃତ୍ୟୁ ହୋଇଥିଲା। ପରେ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟସଭା ଟିକଟ ପାଇ ଆମ ଓଡ଼ିଶା ପାର୍ଟିକୁ ବିଜେଡିରେ ଆହୂତି ଦେଇ ବିକଳ୍ପ ଆଞ୍ଚଳିକ ଦଳର ଶେଷ ଆଶାଟିକୁ ମାରିସାରିଛନ୍ତି।

ଖିଲ୍‌ତା ଗୁଲାବ୍‌

୨୧ ବର୍ଷର ଦଳ ୧୯ ବର୍ଷର କ୍ଷମତାରେ ରହିଥିବା ବିଜେଡି ନିଜକୁ ଗୋଲାପ ପ୍ରମାଣିତ କରିଆସିଛି। ଅର୍ଥାତ ଯିଏ ପ୍ରଶଂସା କରିବ ଗୋଲାପ ତା’ର। ଯିଏ ପାଖୁଡ଼ା ପୂରୁଣା ହେଲାଣି, ପାଣି ଦରକାର ଏବଂ ସାର ଦରକାର କହିଛି ତାକୁ କଣ୍ଟାର ଆଖ୍ୟା ଦିଆଯାଇଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ଗଠିତ ଏହି ଦଳରୁ ବିଜୁଙ୍କ ଦୃଢ଼ ଅନୁଗାମୀ ନଳିନୀକାନ୍ତ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକ, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ବୈଜୟନ୍ତ ପଣ୍ଡା ଏବଂ ଦାମୋଦର ରାଉତ ବିଦାୟ ନେଇସାରିଛନ୍ତି। ଦଳ ଦିଶାହୀନ ହେଉଛି ଏବଂ କିଛି ବ୍ୟକ୍ତି ଗୋଷ୍ଠୀ ତିଆରି କରୁଛନ୍ତି ବୋଲି ଯିଏବି ଭୁଲ୍‌ ବାହାର କରିଛି, ଦଳ ତାଙ୍କୁ ଧୋକାବାଜ୍‌ ପ୍ରେମିକର ଆଖ୍ୟା ଦେଇ ବିଦାୟ ଦେଇଛି। ୧୦୦ରୁ ଊର୍ଦ୍ଧ୍ୱ ଆସନ ଥିବାରୁ ନିରଙ୍କୁଶ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ପାଇଁ କାହାର ଯିବା ଆସିବା ଫରକ ପଡ଼ୁନାହିଁ।

ଭାଗଚାଷ

ବର୍ତ୍ତମାନ ସ୍ଥିତି ଭାଗ ଚାଷର, ହଁ ଯାହାକି ବିଜେଡି ପକ୍ଷରୁ ସମଦୂରତା କୁହାଯାଏ। ଖାଣ୍ଟି ଓଡ଼ିଆରେ କହିବାକୁ ଗଲେ ତୋ ଖୁସିରେ ମୋ ଖୁସି। ଗତ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତରେ ବିଜେପି କର୍ମୀ ଓ ନେତାମାନେ ନାହିଁ ନଥିବା ଉତ୍ସାହରେ ଥିଲେ। ସତେ ଅବା ମୋଦି ବର୍ଷିବେ ଆଉ ସମସ୍ତେ ଓଦାହେବେ। କିନ୍ତୁ ସେମିତି କିଛି ବି ଘଟିଲାନି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ତ ଦୂରର କଥା, ବିଜେଡିର ନାଁ ମଧ୍ୟ ନେଲେନି ମୋଦି। କେହି କେହି ପରାଜୟ ପରର ବିରାମ କହିଲେ ତ କେହି କହିଲେ, ଆଗକୁ ଆସିଲେ ବର୍ଷିବେ।

ଅନ୍ୟପକ୍ଷରେ ଆଜି ବିଜେଡିର ପ୍ରତିଷ୍ଠା ଦିବସରେ ବିଜେଡି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଘନ ଘନ ଆକ୍ରମଣ କରାଯାଇଥିଲେ ମଧ୍ୟ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ନିଆଯାଇନଥିଲା। ପୂର୍ବରୁ ସିବିଆଇ ତଦନ୍ତ ମନ୍ଥର ହେବା ଏବଂ ଖଣି ମାଫିଆ ଖସିଯିବା ଆଦିରେ କେନ୍ଦ୍ରର ଉଦାସୀନତା ସ୍ପଷ୍ଟ ହୋଇସାରିଥିଲା। ରାଜ୍ୟ ବିଜେପିର ବିଭିନ୍ନ ପ୍ରସଙ୍ଗରେ ସ୍ୱର କେବଳ ସାମ୍ବାଦିକ ସମ୍ମିଳନୀ ଓ ଛୋଟମୋଟ ଆନ୍ଦୋଳନରେ ସରିଯିବା ସନ୍ଦେହ ଘେରରେ।

କଂଗ୍ରେସ ମଧ୍ୟ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଟାର୍ଗେଟ୍‌ କରୁଥିବାବେଳେ ବିଜେଡି ପ୍ରତି ବିରୋଧ କେବଳ କଂଗ୍ରେସ ଭବନରେ ସୀମିତ ଥିବା ଅନୁଭବ ହେଉଛି। ନିରଞ୍ଜନ ପଟ୍ଟନାୟକ ଆସିବା ପରେ କଂଗ୍ରେସ ସକ୍ରିୟ ହୋଇଥିଲେ ମଧ୍ୟ ତାହା ପରୋକ୍ଷରେ ବିଜେଡିକୁ ସୁହାଉଥିବାରୁ ଏ ପ୍ରକାର ଭାଗଚାଷରେ ବିଜେଡିକୁ ଫାଇଦା ହିଁ ଫାଇଦା ବୋଲି ଅନୁମାନ କରିବା କଣ ଅଯୌକ୍ତିକ?



from Odisha Reporter http://bit.ly/2rTKNoy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages