ହାତ ଠାରି ଡାକେ ନୃସିଂହନାଥ…ଥରେ ଦେଖି ଯା’ ମୋର ସେଇ ବିସ୍ମୟ ରୂପ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ହାତ ଠାରି ଡାକେ ନୃସିଂହନାଥ…ଥରେ ଦେଖି ଯା’ ମୋର ସେଇ ବିସ୍ମୟ ରୂପ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୁରାତନ କଳା ସଂସ୍କୃତି ଏବଂ ପରମ୍ପରା ସାଙ୍ଗକୁ କୃଷି ଏବଂ ଅଭିନବ ଜ୍ଞାନକୌଶଳକୁ ଏକାଠି ବାନ୍ଧି ରଖିଥିବା ବହୁ ପୁରାତନ ଜିଲ୍ଲା ହେଉଛି ବରଗଡ଼ । ପଶ୍ଚିମ ଓଡିଶାର ଏହି ଜିଲ୍ଲାର ଗନ୍ଧମାର୍ଦ୍ଦନ ପାହାଡ ପାଦଦେଶରେ ଥିବା ନୃସିଂହନାଥ ପୀଠ ରେ ଶୀତୁଆ ସକାଳର ମଜା ନିଆରା। ଯେଉଁଠି ପରସ୍ତ ପରସ୍ତ ଗଛଲତା, ଉଚ୍ଚା ଉଚ୍ଚା ପାହାଡ ସାଙ୍ଗକୁ ଜଳପ୍ରପାତର ଅମାନିଆ ଜଳରାଶି  ପର୍ଯ୍ୟଟକଙ୍କୁ ଆନମନା କରେ। ବରଗଡରୁ ପ୍ରାୟ ୧୧୩ କିଲୋମିଟର ଗଲେ ପଡ଼ିବ ଗନ୍ଧମାର୍ଦ୍ଦନ। ପ୍ରଥମେ ବରଗଡ ସହରରୁ  ୨୮ କିମି ଗଲାପରେ ପଡିବି ସୋହେଲା ।

ସେଇଠୁ ବାମପଟକୁ ଗଲେ ପଦ୍ମପୁର ରାସ୍ତା ପଡ଼ିବ। ବାଟରେ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମର ମୂକସାଖୀ ସାଜିଥିବା ବୀରମାଟି ଘେଁସ  ପଡ଼ିବ। ଯେଉଁଠି ଇଂରେଜ ଶାସନ କବଳରୁ ମା ମାଟିକୁ ମୁକ୍ତ କରିବା ପାଇଁ ଏଠି ବାଜିଥିଲା ସ୍ୱାଧୀନତା ସଂଗ୍ରାମର ବିଗୁଲ।  ସେ ପୁଣି ୧୮୫୭ ମସିହାରେ । ଘେଁସ ଜମିଦାର ମେଧାସିଂ ଥିଲେ ଏହାର ମୂଳ କର୍ଣ୍ଣଧାର ।ତାଙ୍କର ସମ୍ପୂର୍ଣ ପରିବାର ଏହି ସଂଗ୍ରାମରେ ଅନୁପ୍ରାଣିତ ହୋଇ ବୀର ସୁରେନ୍ଦ୍ର ସାଏଙ୍କ ସହ ମିଶି ଦେଇଥିଲେ ରଣ ହୁଙ୍କ ।ର ।କିଛିଦିନର ଲଢେଇ ପରେ ପରିସ୍ଥିତି ବଦଳିଗଲା । ଦେଶର ସ୍ୱାଧୀନତା ପାଇଁ ଜମିଦାର ମେଧାସିଂ ଏବଂ ତାଙ୍କ ତିନି ପୁତ୍ର ସହୀଦ ହେଲେ  ।ମାତୃଭୂମୀର ମୁକ୍ତି ସଂଗ୍ରାମ ପାଇଁ ଘେଁସ ଜମିଦାର ପରିବାରର ଆତ୍ମବଳିଦାନ ଏକାନ୍ତ ଉଲ୍ଲେଖନୀୟ । ଆଜିବି ସେଇ ରକ୍ତରଞ୍ଜିତ ଘେଁସ ମାଟିରେ ପାଦଦେଲେ ଦେଶପ୍ରେମର ଭାବନାକୁ ଅନୁଭବ କରିହୁଏ ।

ଘେଁସରୁ ବାହାରି ପାଇକମାଳ ରାସ୍ତାରେ ଗଲେ ଆସିବ ନୃସିଂହନାଥ ପୀଠକୁ ରାସ୍ତା  । ଦୁଇ ପାଖରେ ସବୁଜ ବନାନୀର ସୁନ୍ଦର ଚାଦର । କେତେବାଟ ଗଲା ପରେ ଅପରୂପା ପ୍ରକୃତିର ଗନ୍ତାଘର ଗନ୍ଧମାର୍ଦନ ପର୍ବତ  । ଏହାର ପାଦଦେଶରେ ରହିଛି ଧର୍ମର ଧରଣୀ ନୃସିଂହନାଥଙ୍କ ପବିତ୍ର ମନ୍ଦିର । ଜଗତର କଲ୍ୟାଣ ପାଇଁ, ଭକ୍ତର ଭକ୍ତି ପାଇଁ  ଭଗବାନ ବିଭିନ୍ନ ରୂପରେ ଆବିର୍ଭୂତ ହୁଅନ୍ତି। ।କେତେବେଳେ ବାମନ ତ କେତେବେଳେ ବରାହ, କେତେବେଳେ କଚ୍ଛବ ତ କେତେବେଳେ ନୃସିଂହ ।

ହେଲେ ଏଠି କିନ୍ତୁ ଶରୀର ସିଂହ ଭଳି ମାତ୍ର ମୁଖମଣ୍ଡଳ ବିଡାଳ ବା ବିରାଡି ସଦୃଶ ଦେଖିବାକୁ ପାଇବେ । ମୂଷିକ ଦୈତ୍ୟର ପ୍ରଭାବରୁ ଭକ୍ତଙ୍କୁ ସୁରକ୍ଷା ଦେବା ନିମିତ୍ତ ଏଠି ଜଗି ବସିଛନ୍ତି ବିଡାଳ ନୃସିଂହନାଥ। କିମ୍ୱଦନ୍ତୀ ଅନୁଯାୟୀ ଏବେ ବି ମୁଷିକ ଦୈତ୍ୟ ଲୁଚି ପଲାଇଥିବା ଗର୍ତ୍ତ ଶୋଭା ପାଉଛି ଗନ୍ଧମାର୍ଦ୍ଦନ ପଥର କାନ୍ଥରେ । କାହିଁ କେଉଁ ଆଦିମ କାଳରୁ ଏଠି ମହାପ୍ରଭୂ ପୂଜା ପାଇ ଆସୁଛନ୍ତି ।

ମାତ୍ର ଐତିହାସକଙ୍କ ମତରେ ପାଟଣାଗଡର ରାଜା ବୈଜଲ ଦେବ ୧୪୧୩ ଖ୍ରୀଷ୍ଟାବ୍ଦରେ ଏହି ସୁନ୍ଦର ମନ୍ଦିର ନିର୍ମାଣ କରିଥିଲେ । ପୁରାତନ ଶିଳ୍ପକଳାର ନିଦର୍ଶନ ସାଙ୍ଗକୁ ଓଡିଆ କାରିଗରର ଶିଳ୍ପଚାତୁରୀ ଏଠାରେ ଦେଖିବାକୁ ମିଳେ । ବିଭିନ୍ନ ଦେବାଦେବୀ, ପଶୁପକ୍ଷୀ, ନର୍ତ୍ତକୀ, କ୍ଷୁଦ୍ରକାୟ ମଣିଷ, ଗାନରତ ବ୍ୟକ୍ତିମାନଙ୍କର ନିଖୁଣ ମୂର୍ତ୍ତୀମାନ ଏବେବି ପର୍ଯ୍ୟଟକଙ୍କୁ ବିମୋହିତ କରେ । ଦିନକୁ ୨ ଥର ଏଠାରେ ହୁଏ ହରିହର ପଙ୍ଗତ । ଆବାଳବୃଦ୍ଧବନିତା ନୃସିଂହନାଥଙ୍କ ପ୍ରସାଦକୁ ମାଗଣାରେ ସେବନ କରିବାର ଏଠାରେ ରୀତି ରହିଛି ।

ଧନୀ ହେଉ କି ଗରିବ, ବୃଦ୍ଧ ହେଉକି ଶିଶୁ ସମସ୍ତେ ଏକାଠି ବସି ଏହି ପ୍ରସାଦକୁ ସେବନ କରନ୍ତି । ଏଭଳି ପରମ୍ପରା ଓଡିଶାରେ ଦେଖିବାକୁ ବିରଳ କହିଲେ ଜମାରୁ ଭୁଲ ହେବନି  ।ଏଠାରେ ଦେଖିବାକୁ ମିଳନ୍ତି ହଜାର ହଜାର ସଂଖ୍ୟାର ପାତି ମାଙ୍କଡ । ହେଲେ ସତର୍କ ରହିବା ସହିତ ଏଇ ମାଙ୍କଡ ମାନଙ୍କୁ କୌଣସି ଖାଦ୍ୟ ପଦାର୍ଥ ନଦେବାକୁ ପର୍ଯ୍ୟଟକଙ୍କୁ ଅନୁରୋଧ କରାଯାଏ ।

ବୈଶାଖ ମାସ ଶୁକ୍ଲପକ୍ଷ ଚତୁର୍ଦଶୀ ଦିନକୁ ନୃସିଂହନାଥଙ୍କ ଜନ୍ମଦିବସ ରୂପେ ପାଳନ କରାଯାଏ । ତେଣୁ ଏଠି ଏକ ବିରାଟ ମେଳାର ଆୟୋଜନ ହୁଏ। ଆଉ ଏହି ମେଳା ଦଶମୀ ତିଥିରୁ ଆରମ୍ଭ ହୋଇ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚାଲେ । ନୃସିଂହନାଥ ପୀଠର ଅନ୍ୟ ଏକ ଆକର୍ଷଣ ହେଉଛି ଏଠାରେ ପ୍ରବାହିତ ହେଉଥିବା ଝରଣା ।ଏହାକୁ ପାପହାରିଣୀ ମଧ୍ୟ କୁହାଯାଏ ।ଏହାର ଜଳ ଗଙ୍ଗ ।ଜଳ ଭଳି ପବିତ୍ର । ଯିଏ ଅନ୍ୟକୁ ଜୀବନ ଦିଏ ସେ କେବେ ମରିପାରେନା, ଯିଏ ଅନ୍ୟକୁ ମୁକ୍ତି ଦିଏ ସେ କେବେ ପଥର ଖୋଲରେ ବନ୍ଧା ପଡେନା।  ତେଣୁ ତାନାଁ ଗୁପ୍ତ ଗଙ୍ଗ । ଏଠି ବିଶ୍ୱାସ ରହିଛି ଯାହାର ପ୍ରତିଟି ଜଳକଣା ମଣିଷର ପଳପଳ ପାପକୁ ଧୋଇଦିଏ।ସଂସାରର ମୋହମାୟା ଘୁଞ୍ଚିଯାଏ ।ମନର ମଲାଟରେ ରୂପ ନିଏ ଦିବ୍ୟଚେତନା, ଫଳରେ ପାପୀ ହୁଏ ପୁଣ୍ୟାତ୍ମା । ସେଇଥିପାଇଁ ତ ଏହାର ନା ପାପହାରିଣୀ । ଗୋଟିଏ କି ଦୁଇଟି ନୁହେଁ ପାହାଡର ବିଭିନ୍ନ ସ୍ଥାନରେ ଏହି ଝରଣା ଦ୍ୱାରା ସୃଷ୍ଟି ହୋଇଛି ଅନେକ ଛୋଟ ବଡ ଜଳପ୍ରପାତ । ମନ୍ଦିର ପାଖରେ ରହିଛି ଚାଲ୍‍ଧାର । ଏଠି ଝରଣା ପାଣିରେ ଗାଧୋଇବାର ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି  ।

ଏହାର ନିକଟତମ ଆଉ ଏକ ସୁନ୍ଦର ସ୍ଥାନ ହେଉଛି ଭୀମଧାର । ଏହାର ଜଳରାଶି ଠିକ ଗୋଟିଏ ସରଳରେଖା ପରି ଲମ୍ଫ ଦେଇ ତଳକୁ ଖସିଥାଏ। କିଛି ବାଟ ଚାଲିଲା ପରେ ପଡ଼ିବ  ତ୍ରିଦେବ ଘାଟ । ବାଟରେ ଲମ୍ୱା ଲମ୍ୱା ଗଛ ସାଙ୍ଗକୁ ବଡ ବଡ ପଥର ଖଠର ବିଶାଳ ଶରୀର । ଆଉ ତାରି କୋଳରେ ଖୋଦେଇ ହୋଇଛି ବିଶ୍ୱନିଅନ୍ତାଙ୍କ ଅପରୂପ ବିଗ୍ରହ ।

ଝରଣାର ଗୋଟିଏ ପାର୍ଶ୍ୱରେ ଯୋଗୀଯୋଗେଶ୍ୱର ଦେବ ଦେବ ମହାଦେବ ବିରାଜମାନ ଥିବା ବେଳେ ଅନ୍ୟପଟେ ଅଛନ୍ତି ପାଳନକର୍ତ୍ତା ବିଷ୍ଣୁ ଏବଂ ସୃଷ୍ଟିକର୍ତ୍ତା ବ୍ରହ୍ମା। କେହି କେହି କହନ୍ତି ଏଠାରେ ତ୍ରିଦେବଙ୍କୁ ଦର୍ଶନ କରି ଜଳ ଅର୍ପଣ କଲେ ପୁଣ୍ୟ ହେବା ସହ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଔଷଧୀୟ ବୃକ୍ଷରେ ଭରପୁର ଇଏ ସେଇ ଗନ୍ଧମାର୍ଦ୍ଦନ ପର୍ବତ, ଯାହାର ପ୍ରତିଟି ଗଛଲତା, ପାହାଡ ଝରଣା ପୌରାଣିକ କଥାବସ୍ତୁର ଘଟନାଚକ୍ର ସଂପର୍କ ରଖନ୍ତି। ମହାଭାରତର ପଞ୍ଚୁପାଠବ ଗନ୍ଧମାର୍ଦ୍ଦନର ଶୀତଳ ଛାଇରେ ଖୋଜିଥିଲେ ଶାନ୍ତିର ତପୋବନ ।ପ୍ରଶାନ୍ତ ପରିବେଶର ଏଇ ଚଟାଣ ଉପରେ ଦେଇଥିଲେ ପିତୃଶ୍ରାଦ୍ଧ । ଦିନେ ଏଇଠୁ ବିଶଲ୍ୟକରଣୀ ନେଇ ଜୀବନଦାନ ପାଇଥିଲେ ବୀର ଲକ୍ଷ୍ମଣ । ପୁରାଣର ଏମିତି ଅନେକ କଥାବସ୍ତୁ ଏହି ସ୍ଥାନ ସହିତ ଗୁନ୍ଥି ହୋଇରହିଛି ।

ପୁଣି କିଛି ବାଟଗଲା ପରେ ଆସିବ ଆଉ ଏକ ସରପ୍ରାଇଜ ଲୋକେସନ । ନାଁ ତାର କପିଳଧାର । କପିଳଧାରର ଝରଣାର ସୌନ୍ଦର୍ଯ୍ୟ ବି ବେଶ ନିଆରା। ସତେଯେପରି ସବୁଜ ଶାଢୀରେ ସଜେଇ ହୋଇ ରହିଛି  ଅପରୂପା ପ୍ରକୃତିରାଣୀ । ମାନ୍ୟାଦୀପା ଠାରେ ଏହି ଝରଣା ଅଙ୍ଗନଦୀରେ ମିଶିଛି ।ଏହି ପର୍ବତରୁ ପାଖାପାଖି ୧୭ଟି ଚିରସ୍ରୋତା ଝରଣା ଅଙ୍ଗ ଏବଂ ସୁକତେଲ ନଦୀକୁ ଜଳ ଯୋଗାଉଛି ।

ତେଲ, ଅଙ୍ଗ, ସୁକତେଲ, ଜାଙ୍ଗ, ସୁନ୍ଦର, ଜୀରା ଭଳି ଅନେକ ଛୋଟ ବଡ ନଦୀ ଏହି ପର୍ବତରୁ ହିଁ ବାହାରିଛି  । ଆଉ ଏହି ଝରଣା ଜଳରେ ସମୃଦ୍ଧ ଏସବୁ ନଦୀର ଜଳରାଶି । ଯେଉଁମାନେକି ମହାନଦୀର ଗୋଟିଏ ଗୋଟିଏ ଉପନଦୀ । ଏଠିକାର ପଥର ଚଟାଣ ଉପରେ ଝରି ପଡୁଥିବା ଝରଣା ସତେ ଯେପରି କହୁଛି ମୁଁ ହିଁ ଏକମାତ୍ର ସୁନ୍ଦରୀ ଚାହିଲେ ତୁ ମତେ ଛୁଇଁ ପାରିବୁ ମୋରି ପଛପଟେ ରହି ଦେଖିପାରିବୁ ବର୍ଷାଦିନିଆ ଗନ୍ଧମାର୍ଦ୍ଦନର ଅନୁଭୂତି ।



from Odisha Reporter https://ift.tt/2Be1xeu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages