
ନୂଆଦିଲ୍ଲୀ: ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ନରେନ୍ଦ୍ର ମୋଦି ଏହି ୪ ବର୍ଷ ମଧ୍ୟରେ ଅନେକ ଥର ବିଦେଶ ଗସ୍ତ କରିଛନ୍ତି। ତେବେ ଏହି ୪ ବର୍ଷ ମଧ୍ୟରେ ମୋଦିଙ୍କ ବିଦେଶ ଗସ୍ତ ପାଇଁ ୨୦୨୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଖୋଦ୍ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ମୋଦିଙ୍କ ପାଇଁ ଚାର୍ଟାର୍ଡ ବିମାନ, ବିମାନର ରକ୍ଷଣାବେକ୍ଷଣ ଓ ବିଦେଶ ଗସ୍ତ ସମୟରେ ହଟଲାଇନ୍ ସୁବିଧାସୁଯୋଗ ପାଇଁ ଏହି ଟଙ୍କା ଖର୍ଚ୍ଚ କରାଯାଇଛି।
ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ କହିଛନ୍ତି, “ ୨୦୧୪ରୁ ୨୦୧୮ ମଧ୍ୟରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ କରିଥିବାରୁ ଭାରତକୁ ଏଫ୍ଡିଆ ଅଧିକ ପରିମାଣରେ ଆସିଛି। ୨୦୧୪ରେ ଏଫ୍ଡିଆ ପରିମାଣ ୩୦,୯୩୦. ୫ ମିଲିୟନ୍ ଡଲାର ଥିବା ବେଳେ ୨୦୧୭ରେ ଏହା ୪୩୪୭୮.୨୭ ମିଲିୟନ ଡଲାର ହୋଇଛି। ୨୦୦୯-୧୦ରୁ ୨୦୧୩-୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଡ.ମନମୋହନ ସିଂହଙ୍କ ବିଦେଶ ଗସ୍ତର ଖର୍ଚ୍ଚ ୧୩୪୫ କୋଟି ରହିଥିଲା।”
ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ, ମୋଦିଙ୍କ ବିମାନର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ୧୫୮୩.୧୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୪୨୯.୨୫ କୋଟି ଟଙ୍କା ଚାର୍ଟାର୍ଡ ବିମାନ ପାଇଁ ଖର୍ଚ୍ଚ ହୋଇଛି। ୨୦୧୪ ମସିହା ଜୁନ୍ ୧୫ରୁ ୨୦୧୮ ମସିହା ଡିସେମ୍ବର ୩ ପର୍ଯ୍ୟନ୍ତ ମୋଦିଙ୍କ ପାଇଁ ଏଭଳି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ହଟଲାଇନ୍ ସୁବିଧା ପାଇଁ ସମୁଦାୟ ୯.୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ୪୮ ଥର ବିଦେଶ ଗସ୍ତରେ ଯାଇ ୫୫ଟି ଦେଶ ବୁଲିଛନ୍ତି। ଏଥିସହ ସେ କିଛି ଦେଶକୁ ଏକାଧିକ ଥର ମଧ୍ୟ ଯାଇଛନ୍ତି।
ଚାର୍ଟାର୍ଡ ବିମାନ ପାଇଁ ୨୦୧୪-୧୫ରେ ୯୩.୭୬ କୋଟି, ୨୦୧୫-୧୬ରେ ୧୧୭.୮୯ କୋଟି, ୨୦୧୬-୧୭ରେ ୭୬.୨୭ କୋଟି, ୨୦୧୭-୧୮ରେ ୯୯.୩୨ କୋଟି ଏବଂ ୨୦୧୮-୧୯(ଡିସେମ୍ବର ୩ ଯାଏ) ୪୨.୦୧ କୋଟି ଟଙ୍କା ମୋଦିଙ୍କ ପାଇଁ ଖର୍ଚ୍ଚ ହୋଇଛି।
from Odisha Reporter http://bit.ly/2ETTKWL
No comments:
Post a Comment