ପଞ୍ଚାୟତ କ୍ଷମତା ହଡ଼ପ ବିରୁଦ୍ଧରେ ୨୬ରେ କଂଗ୍ରେସ ପାଳିବ କଳାଦିବସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ପଞ୍ଚାୟତ କ୍ଷମତା ହଡ଼ପ ବିରୁଦ୍ଧରେ ୨୬ରେ କଂଗ୍ରେସ ପାଳିବ କଳାଦିବସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜସ୍ୱ ରାଜନୀତିକ ଫାଇଦା ପାଇଁ କ୍ଷମତାସୀନ ବିଜେଡି ସରକାର ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଦୁର୍ବଳ ଏବଂ ଶକ୍ତିହୀନ କରିବା ସହିତ ପଞ୍ଚାୟତ ପ୍ରତିନିଧିମାନଙ୍କର ଭୂମିକାକୁ ଗୌଣ କରିବାରେ ଲାଗିଛନ୍ତି।ଏହା ବିରୁଦ୍ଧରେ ଚଳିତମାସ ୨୬ତାରିଖରେ ସମଗ୍ର ରାଜ୍ୟରେ କଂଗ୍ରେସ ପକ୍ଷରୁ କଳାଦିବସ ପାଳନ କରାଯିବ। ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପଞ୍ଚାୟତ ସଭ୍ୟ ମହାସଂଘ ସମର୍ଥନ ଜଣାଇଛି।

ଆଜି କଂଗ୍ରେସ କାର୍ଯ୍ୟାଳୟରେ ପିସିସି ମୁଖପାତ୍ର ସୁଦର୍ଶନ ଦାସ ଏବଂ ରାଜ୍ୟ ସମିତି ସଭ୍ୟ ମହାସଂଘ ସଭାପତି ଗୋପବନ୍ଧୁ ସ୍ୱାଇଁ ଓ ଅନ୍ୟମାନେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏବେ ରାଜ୍ୟ ସରକାରଙ୍କ ଦ୍ୱାରା ଚାଲିଥିବା ‘ଆମ ଗାଁ ଆମ ବିକାଶ’ ଏବଂ ‘ପିଠା’ କାର୍ଯ୍ୟକ୍ରମରେ ଗ୍ରାମସଭା,ପଞ୍ଚାୟତ ଅନୁଷ୍ଠାନ, ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅବମାନନା କରାଯିବାର ସ୍ପଷ୍ଟ ପ୍ରମାଣ ଦେଖିବାକୁ ମିଳୁଛି। ପଞ୍ଚାୟତ ପ୍ରତିନିଧିମାନଙ୍କୁ ଏଥିରେ ସଂଶ୍ଳିଷ୍ଟ ନକରିବା ଏବଂ ସେମାନଙ୍କୁ ବିଶ୍ୱାସକୁ ନେଇ ଦାୟିତ୍ୱ ନଦେବା ପଞ୍ଚାୟତ ବ୍ୟବସ୍ଥା ପ୍ରତି କେବଳ ଅସମ୍ମାନ ନୁହେଁ, ଏହାର ମୂଳ ଲକ୍ଷ୍ୟ ପ୍ରତି କୁଠାରଘାତ ମଧ୍ୟ।

ସ୍ୱର୍ଗତ ରାଜୀବ ଗାନ୍ଧୀ ୭୩ତମ ସମ୍ବିଧାନ ସଂଶୋଧନର ପ୍ରୟାସ କରିଥିଲେ ଯାହାକି ପଞ୍ଚାୟତ ମାଧ୍ୟମରେ କ୍ଷମତା ବିକେନ୍ଦ୍ରୀକରଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା।ମାତ୍ର ଏହି ପ୍ରୟାସର ମୂଳଭିତ୍ତିକୁ ବର୍ତ୍ତମାନର ଓଡ଼ିଶା ସରକାର ଧୂଳିସାତ୍ କରିବାକୁ ଯାଉଛନ୍ତି। ଏହି ହୀନ ଚକ୍ରାନ୍ତ କବଳରୁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁରକ୍ଷିତ କରିରଖିବା ପାଇଁ ଗତ ଡିସେମ୍ବର ୬ ତାରିଖରେ ରାଜ୍ୟ ସ୍ତରୀୟ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀରେ ଆସନ୍ତା ଡିସେମ୍ବର ୨୬ ତାରିଖ ମଙ୍ଗଳବାରକୁ କଳାଦିବସ ଭାବରେ ପାଳନ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା।

ଏହି ଦିନ ପଞ୍ଚାୟତ ଅଫିସଗୁଡ଼ିକରେ କଳାପତାକା ଉଡାଇବା, ପଞ୍ଚାୟତ ପ୍ରତିନିଧିମାନେ କଳା ବ୍ୟାଚ ପିନ୍ଧିବା, ପଞ୍ଚାୟତ ସମିତି ଅଫିସ୍ ସମ୍ମୁଖରେ ବିକ୍ଷୋଭ ଆୟୋଜନ ଇତ୍ୟାଦି ମାଧ୍ୟମରେ ପାଳନ କରାଯିବ। ଏହାବ୍ୟତୀତ ୬ଟି ଦାବି ଉପରେ ବ୍ୟାପକ ପ୍ରଚାର ସହ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବିପତ୍ର ପଠାଇବାକୁ ସମସ୍ତ ପଞ୍ଚାୟତ ପ୍ରତିନିଧିଙ୍କୁ ଅନୁରୋଧ କରାଯାଇଛି।

ସେହି ୬ଟି ଦାବି ହେଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସାମିଲ ପ୍ରକଳ୍ପକୁ ଗ୍ରାମସଭା/ପଞ୍ଚାୟତର ଅନୁମୋଦନକୁ ବାଧ୍ୟତାମୂଳକ କରିବା, ‘ପିଠା’ କାର୍ଯ୍ୟକ୍ରମରେ ସବୁ ପଞ୍ଚାୟତକୁ ସାମିଲ କରିବା, ସମିତି ସଭ୍ୟ ଓ ଜିଲ୍ଲା ପରିଷଦଙ୍କ ପାଇଁ ହାତପାଣ୍ଠିର ବ୍ୟବସ୍ଥା, ପଞ୍ଚାୟତ ପ୍ରତିନିଧିଙ୍କ ଭତ୍ତାରେ ସମ୍ମାନଜନକ ବୃଦ୍ଧି, ପଞ୍ଚାୟତ ପ୍ରତିନିଧିଙ୍କୁ ଲୋକ ପ୍ରତିନିଧି ଭଳି ସମ୍ମାନ, ୭୩ତମ ସମ୍ବିଧାନ ସଂଶୋଧନକୁ ତୁରନ୍ତ କାର୍ଯ୍ୟକାରୀ କରିବା । ଏହି ସମସ୍ତ ଦାବି ଉପରେ ଜନସଚେତନତା ସୃଷ୍ଟି ପାଇଁ ପ୍ରୟାସ କରାଯିବ ବୋଲି ଶ୍ରୀ ଦାସ ଓ ଶ୍ରୀ ସ୍ୱାଇଁ କହିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ମୁଖପାତ୍ର ସୋନାଲି ସାହୁ, ହିମାଂଶୁ ଲେଙ୍କା ଓ ବିଷ୍ଣୁପ୍ରିୟା ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter https://ift.tt/2SOrrgc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages