ଆରଏସଏସ୍ ଫୋକସରେ ଓଡ଼ିଶା, କ୍ଷମତା ଦଖଲ ପାଇଁ ନୂଆ ରଣନୀତି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ଆରଏସଏସ୍ ଫୋକସରେ ଓଡ଼ିଶା, କ୍ଷମତା ଦଖଲ ପାଇଁ ନୂଆ ରଣନୀତି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫ ରାଜ୍ୟର ନିର୍ବାଚନୀ ଫଳାଫଳ ଏବେ ବିଜେପିକୁ ନିଜର ‘ଲୁକ୍ ଇଷ୍ଟ’ ଫର୍ମୂଲା ଓ ଓଡ଼ିଶାରେ ‘ମିଶନ ୧୨୦+’ ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରିବା ପାଇଁ ବାଧ୍ୟ କରିଛି। ଆସନ୍ତା ୨୪ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୋର୍ଦ୍ଧା ଗସ୍ତ ପୂର୍ବରୁ ଆରଏସଏସ ମୁଖ୍ୟ ଡଃ ମୋହନରାଓ ଭାଗବତ ୩ଦିନିଆ ଓଡ଼ିଶା ଗସ୍ତରେ ଆସି ସାଂଗଠନିକ ସମୀକ୍ଷା,ସମ୍ପ୍ରସାରଣ ଓ କର୍ମକର୍ତ୍ତା ସୃଷ୍ଟି ଉପରେ ଗୁରୁତ୍ୱ ଦେଇଛନ୍ତି। ଆରଏସଏସ ମୁଖ୍ୟଙ୍କ ଗସ୍ତ ପରେ ଓଡ଼ିଶାରେ ନିର୍ବାଚନୀ ସଫଳତା ହାସଲ ପାଇଁ ରାଜ୍ୟ ବିଜେପି ନୂଆ ରଣନୀତି ଅନୁସାରେ କାମ କରିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରୁ ଏହାର ଆଭାସ ମିଳିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

ଆରଏସଏସ ମୁଖ୍ୟ ମୋହନ ଭାଗବତ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ରବିବାର ରାତି ପର୍ଯ୍ୟନ୍ତ ସେ ଏଠାରେ ରହିବେ। ଗତକାଲି ରାତିରେ ସେ ଭୁବନେଶ୍ୱରର ୨ଟି ସ୍ଥାନରେ ସାଂଗଠନିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଆଜି ଦିନତମାମ ଆରଏଏସର ପ୍ରାଦେଶିକ କାର୍ଯ୍ୟାଳୟରେ କର୍ମକର୍ତ୍ତାଙ୍କ ସହ ମାରାଥନ୍ ବିଚାରବିମର୍ଶ କରୁଛନ୍ତି। ସମଗ୍ର ଓଡ଼ିଶା ଓ ପଶ୍ଚିମବଙ୍ଗରୁ ଆସିଥିବା ସଂଘର ପ୍ରାଦେଶିକ ଓ କ୍ଷେତ୍ରୀୟ କର୍ମକର୍ତ୍ତାଙ୍କୁ ସେ ସଂଗଠନ ସୁଦୃଢ଼, ବିସ୍ତାର ଓ କର୍ମକର୍ତ୍ତା ସୃଷ୍ଟି ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭାଗବତଙ୍କ ଗସ୍ତର ବିସ୍ତୃତ କାର୍ଯ୍ୟସୂଚୀକୁ ଅତ୍ୟନ୍ତ ଗୋପନ ରଖାଯାଇଥିଲେ ମଧ୍ୟ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଏହି ଗସ୍ତ ବିଜେପି ନିମନ୍ତେ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି। ଯଦିଓ ବୈଠକ ସମ୍ପର୍କରେ ଆନୁଷ୍ଠାନିକ ଭାବେ କିଛି କହିବାକୁ ଆରଏସଏସ୍ କର୍ମକର୍ତ୍ତାମାନେ ମନା କରିଦେଇଛନ୍ତି, ତଥାପି ଗୋଟିଏ ସୂତ୍ର ଅନୁସାରେ ଓଡ଼ିଶାର ଆରଏସଏସର କୋର ଟିମ୍ ସହ ଶ୍ରୀ ଭାଗବତ ରାଜ୍ୟର ରାଜନୀତିକ ପରିସ୍ଥିତି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଭିନ୍ନ ଜିଲ୍ଲାରେ ଥିବା ଆରଏସଏସ ସଂଗଠନ ଓ କ୍ୟାଡରର ସ୍ଥିତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଥିବାବେଳେ ରାଷ୍ଟ୍ର ନିର୍ମାଣ ଓ ରାଜନୀତିକ ଏଜେଣ୍ଡାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆସନ୍ତା ୨ରୁ ୩ମାସ ମଧ୍ୟରେ କଠିନ ପରିଶ୍ରମ କରିବାକୁ ପ୍ରାଦେଶିକ ଓ କ୍ଷେତ୍ରୀୟ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିବା କୁହାଯାଉଛି।

ସୂତ୍ର ଅନୁସାରେ ଆରଏସଏସ ପକ୍ଷରୁ ପ୍ରସ୍ତୁତ ବ୍ଲୁ-ପ୍ରିିଂଟ୍ ଆଧାରରେ ବିଜେପି ଆସନ୍ତା ମାସରେ ରାଜ୍ୟର ୩୭୬୦୬ଟି ବୁଥ୍ ଓ ୧୦୦୨ଟି ମଣ୍ଡଳରେ ପହଞ୍ଚି ଲୋକଙ୍କ ନିକଟତର ହେବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରିବ। ଏବେ ଦଳ ପକ୍ଷରୁ ଜନପରାମର୍ଶଦାତା ପଦଯାତ୍ରା ଚାଲିଛି। ତେବେ ଏହାପରେ ଭୋଟରଙ୍କ ମୁଡକୁ ପରଖିବା ପାଇଁ ୱାର୍ଡକମିଟି ସଦସ୍ୟଙ୍କୁ ସଂଗଠିତ କରିବା ଉପରେ ଦଳ ଗୁରୁତ୍ୱ ଦେବ। ଲୋକଙ୍କ ସମସ୍ୟା ସହ ଜଡ଼ିତ ହୋଇ ୱାର୍ଡକମିଟିର ସଦସ୍ୟମାନେ ଯେଭଳି ଜନ ସଚେତନତା ସୃଷ୍ଟି କରିବେ ତା’ଉପରେ ଫୋକସ ରହିବ ଆଉ ବିଜେପିର ଏସବୁ କାର୍ଯ୍ୟକ୍ରମ ଉପରେ ଆରଏସଏସ କଡ଼ା ନଜର ରଖିବା ସହ ନିଜସ୍ତରରେ କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି।

ଆରଏଏସ ପଶ୍ଚିମ ଓଡ଼ିଶାରେ ଅପେକ୍ଷାକୃତ ସୁଦୃଢ଼ ଥିବାବେଳେ ଉପକୂଳ ଓଡ଼ିଶାରେ ସଂଗଠନକୁ ତୃଣମୂଳସ୍ତର ପର୍ଯ୍ୟନ୍ତ ନେବା ଉପରେ ଆଜିର ବୈଠକରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି। ଏହାସହିତ ୨୦୧୯ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କ୍ୟାଡରମାନଙ୍କ ଉପରେ ଅଧିକ ଦାୟିତ୍ୱ ନ୍ୟସ୍ତ କରିବା ନିମନ୍ତେ ଏକ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ଆଗାମୀ ଦିନରେ ଆରଏସଏସ୍ ଓଡ଼ିଶା ଶାଖା ଓ ବିଜେପି ରାଜ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ବୈଠକ ବସି ଉପକୂଳ ଓଡ଼ିଶାରେ ବିଜେପିର ଭୋଟ ହାର ବୃଦ୍ଧି ଦିଗରେ ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି।



from Odisha Reporter https://ift.tt/2Gs7lqq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages