
ନୂଆଦିଲ୍ଲୀ: ଦୁଇ ଦିନର ମାରାଥନ ଆଲୋଚନା ପରେ ଶେଷରେ ବିହାରରେ ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ଓ ତା’ର ସହଯୋଗୀମାନେ କେତୋଟି ଲେଖାଏ ଆସନରେ ଲଢ଼ିବେ, ତାହା ଚୂଡ଼ାନ୍ତ ହୋଇଛି। ବିହାରରେ ବିଜେପିର ସହଯୋଗୀ ତଥା କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ରାମବିଲାଶ ପାଶ୍ଵାନଙ୍କ ଏଲ୍ଜେପି ସହ ବିଜେପିର ସିଟ୍ ଶେୟାରିଂ ଚୂଡ଼ାନ୍ତ ହୋଇଛି। ଗତକାଲି ପାଶ୍ଵାନ ଓ ତାଙ୍କ ପୁଅ ଚିରାଗ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଥିଲେ। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ସାକ୍ଷାତ କରିବା ପରେ ସିଟ୍ ଶେୟାରିଂ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି।
ନିଷ୍ପତ୍ତି ଅନୁଯାୟୀ ଏଲ୍ଜେପି ତା’ର ଦାବି ଅନୁସାରେ ବିହାରର ୪୦ଟି ଲୋକସଭା ଆସନରୁ ୬ଟିରେ ଲଢ଼ିବ। ବାକି ୩୪ଟି ଆସନରୁ ବିଜେପି ୧୭ଟି ଓ ନୀତୀଶ କୁମାରଙ୍କ ଜେଡିୟୁ ୧୭ଟି ଆସନରେ ପ୍ରାର୍ଥୀ ଦେବେ। ତେବେ ଆସନ୍ତାକାଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପସ୍ଥିତିରେ ଏସମ୍ପର୍କରେ ବିଧିବଦ୍ଧ ଘୋଷଣା ହେବ ବୋଲି ଜଣାପଡ଼ିଛି।
ବିହାରରେ ସିଟ୍ ଶେୟାରିଂ ବିବାଦ ଯୋଗୁ ଏନ୍ଡିଏର ଅନ୍ୟତମ ସହଯୋଗୀ ତଥା କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାହା ମୋଦି ସରକାରଙ୍କୁ ଛାଡ଼ିଦେଇ ବିରୋଧୀ ମହାମେଣ୍ଟରେ ଯୋଗ ଦେଇଛନ୍ତି। ଯାହା ବିଜେପିକୁ ସମାନ୍ୟ ବ୍ୟାକ୍ଫୁଟ୍କୁ ଠେଲି ଦେଇଥିଲା। କାଳେ ପାଶ୍ଵାନଙ୍କ ଦଳ ସମାନ ନୀତି ଆପଣାଇବ, ସେହି ଭୟରେ ବିଜେପି ଏଲଜେପି କଥାରେ ରାଜି ହୋଇଥିବା କୁହାଯାଉଛି।
ଏଥିସହ ଏଲଜେପିକୁ ବିଜେପି ନିଜ ଭାଗରୁ ଗୋଟିଏ ରାଜ୍ୟସଭା ଆସନ ଦେବ ବୋଲି ମଧ୍ୟ ରାଜି ହୋଇଥିବା ଜଣାପଡ଼ିଛି।
୨୦୧୪ ନିର୍ବାଚନରେ ଏଲ୍ଜେପି ୭ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୬ଟିରେ ଜିତିଥିଲା। ଏବେ ସମ୍ଭବତଃ ସେହି ୬ଟି ଆସନରେ ହିଁ ଦଳ ପ୍ରାର୍ଥୀ ଦେବ। ସେହିପରି ଜେଡିୟୁ ୨୦୧୪ରେ ଏକାକୀ ନିର୍ବାଚନ ଲଢ଼ିଥିବା ବେଳେ ମାତ୍ର ୨ଟି ଆସନରେ ଜିତିଥିଲା।
from Odisha Reporter http://bit.ly/2LtGMAi
No comments:
Post a Comment