
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଆଗାମୀ ଦିନରେ ବିଜେଡି କିମ୍ବା କଂଗ୍ରେସରେ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯିବା ଅବସରରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସମଗ୍ର ଓଡ଼ିଶାର ସ୍ୱାର୍ଥ ଓ ଯୁବପିଢ଼ିଙ୍କ ଭବିଷ୍ୟତକୁ ଚାହିଁ ସେ ତାଙ୍କର ରାଜନୀତିକ ନିଷ୍ପତ୍ତି ନେବେ। ଯାହା ନିଷ୍ପତ୍ତି ହେବ, ତାହା ସାର୍ବଜନୀନ ହେବ। ଏହା ଏକ ଲୁଚାଛପା ନିଷ୍ପତ୍ତି ହେବନି। କିନ୍ତୁ ଏହା ସତ୍ୟ ଯେ ତାଙ୍କର ନିଷ୍ପତ୍ତି ନବୀନ ନିବାସ କିମ୍ବା କଂଗ୍ରେସ ପାଖରେ ଅଟକି ନାହିଁ ।ଏହି ଦୁଇଟି ଜାଗା ଛାଡ଼ିଲେ କ’ଣ ତୃତୀୟ ଜାଗା ନାହିଁ କି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି। କୌଣସି ଅଫିସ ବା ଘରେ ନିଷ୍ପତ୍ତି ଅଟକି ରହେନି। ନିଷ୍ପତ୍ତି ସବୁବେଳେ ସମ୍ମିଳିତ ଭାବେ ନିଆଯାଏ।୨୦୧୯ ମସିହା ଆରମ୍ଭରେ ହିଁ ସେ ତାଙ୍କର ନିଷ୍ପତ୍ତି ସାର୍ବଜନୀନ କରିବେ।
ବିଜୟ ନିଜର ରାଜନୀତିକ ଭବିଷ୍ୟତ ରଣନୀତି ସମ୍ପର୍କରେ ଏକ ଉଦାହରଣ ଦେଇ କହିଥିଲେ ଯେ ୧୯୭୭-୭୮ ମସିହାରେ ସୁପ୍ରିମକୋର୍ଟରେ କୋକାକୋଲା କମ୍ପାନୀ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଥଣ୍ଡା ପାନୀୟରେ ଅପମିଶ୍ରଣ ହେଉଥିବାରୁ ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି ଅଭିଯୋଗ ହୋଇଥିଲା। ମାମଲାର ଶୁଣାଣିବେଳେ କେଉଁ ଫର୍ମୁଲାରେ ଥଣ୍ଡା ପାନୀୟ ପ୍ରସ୍ତୁତ ହେଉଛି ତାହା ଜଣାଇବାକୁ କୋକାକୋଲା କମ୍ପାନୀ କର୍ତ୍ତୃପକ୍ଷଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କମ୍ପାନୀର ଓକିଲ ବିନମ୍ରତାର ସହ କୋର୍ଟରେ ହାଜର ହୋଇ କହିଥିଲେ ଯେ ଯଦି କମ୍ପାନୀ ଏହି ଫର୍ମୁଲାକୁ କୋର୍ଟରେ ସାର୍ବଜନୀନ କରିବ ତା’ହେଲେ ଭାରତର ସମସ୍ତେ କୋକାକୋଲା ତିଆରି କରିବେ। ସୁପ୍ରିମକୋର୍ଟ ମଧ୍ୟ ଏହି ଯୁକ୍ତିକୁ ଗ୍ରହଣ କରି କମ୍ପାନୀକୁ ସିଲଡ୍ କଭର ମଧ୍ୟରେ ଫର୍ମୁଲା କୋର୍ଟଙ୍କୁ ଅବଗତ କରିବାକୁ କହିଥିଲେ। ତେଣୁ ତାଙ୍କର ରାଜନୀତିକ ଭବିଷ୍ୟତ ପାଇଁ ୨୦୧୯ ମସିହାର ଫର୍ମୁଲାକୁ ସେ ଏବେଠୁ ସାର୍ବଜନୀନ କରିବେ ନାହିଁ। ଠିକ୍ ସମୟରେ ସମସ୍ତଙ୍କୁ ଜଣାଇ ନିଷ୍ପତ୍ତି ନିଆଯିବ। ସେପର୍ଯ୍ୟନ୍ତ ଅପେକ୍ଷା କରାଯାଉ।
ଅନ୍ୟପକ୍ଷରେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜୟଙ୍କ ଘନିଷ୍ଠ ସହଯୋଗୀ ଦିଲ୍ଲୀପ ରାୟ ଆସନ୍ତା ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେବେ ନାହିଁ ବୋଲି ସ୍ଥିର କରିଛନ୍ତି। ବିଜୟ ଓ ଦିଲ୍ଲୀପ ଏକସଙ୍ଗେ ବିଜେପିରୁ ଇସ୍ତଫା ଦେଇଥିଲେ। ସେମାନେ ଦଳର ପ୍ରତିଷ୍ଠା ଦିବସରେ ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା କିନ୍ତୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଗ୍ରୀନ୍ ସିଗନାଲ ନମିଳିବାରୁ ସେମାନେ ବିଜେଡିରେ ସାମିଲ ହେଲେନି ବୋଲି କୁହାଯାଉଛି। ତେବେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବିଜୟଙ୍କ ଏହି ନୂଆ ବକ୍ତବ୍ୟ ପରେ ସେ କେଉଁ ନିଷ୍ପତ୍ତି ନେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।
from Odisha Reporter http://bit.ly/2Sqxyr3
No comments:
Post a Comment