
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଣ୍ଟିରେ ଧନ ନାହିଁ । ନିର୍ବାଚନକୁ ଯିବା କେମିତି ? ପାଣ୍ଠି ସୁଦୃଢ କରିବାକୁ ଯିଏ ପାରୁଛ ଅଜାଡ଼। ଯାହାର କିଛି ସୀମା ରହିବନି। ମେଞ୍ଚାଏ ଦେଲେ ବି ହବ, ଆଉ କେଞ୍ଚାଏ ଦେଲେବି ଚଳେଇନବୁ। ଦିଅଁଙ୍କ ନାଁରେ ଦାନ ଦେଲେ ଯେମିତି କୌଣସି ଟିକସ ଦେବାକୁ ପଡ଼େନି ଠିକ୍ ସେଭଳି ତୁମକୁ ଛତର ଛାଡ଼ କଲୁ। କୋଉଠୁ ଆଣିଲ, କେମିତି ଆଣିଲ ଆମର କିଛି ଯାଏ ଆସେ ନାହିଁ। ପାଣ୍ଠି ଅଣ୍ଟି ପୂରିଲେ ହେଲା।
ଏଭଳି ନିର୍ଦ୍ଦେଶ ଶୁଣି ଏବେ ଆମ ଓଡ଼ିଶା ଭୁଖଣ୍ଡ ଉଠୁଛି ପଡୁଛି। କାରଣ ନିର୍ଦ୍ଦେଶ ଦେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ରାଜ୍ୟ ମୁଖିଆ। ଏତେ ଗୌରଚନ୍ଦିକା ଦେଇ ବର୍ଣ୍ଣନା କରିବା ଅପେକ୍ଷା ସିଧା ସିଧା କହୁଛୁ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦଳୀୟ ପାଣ୍ଠି ଚିନ୍ତା ଘାରିଛି। ପାଣ୍ଠିରେ ପର୍ଯ୍ୟାପ୍ତ ଅର୍ଥ ନ ଥିବାରୁ ଆଗାମୀ ଦିନରେ ରାଜନୀତି କରିବାକୁ ଟିକେ ଅଖାଡୁଆ ଲାଗିବ ବୋଲି “ଜୁନିୟର୍ ଟଲ୍ ମ୍ୟାନ୍” ମହୋଦୟ ହୃଦ୍ବୋଧ କରିବା ପରେ ପତ୍ର ଲେଖି ସମସ୍ତ ଅନୁଗତଙ୍କୁ ଟଙ୍କା ଦିଅ ଆଉ ଯୋଗାଡ଼ କର ବୋଲି ନିବେଦନ କରିଛନ୍ତି।
ଖବର ପାଇ ବିଜେଡିର ଅନ୍ଧ ଭକ୍ତ ତଥା ତୃଣମୂଳ ସ୍ତରରେ ଥିବା ନେତା ସଞ୍ଚିତ ଅର୍ଥ ଦଳକୁ ସମର୍ପଣ କରିବେ ବୋଲି ଚିନ୍ତା କରିଥିବା ବେଳେ ଦଳର ରସିକିଆ, ଟାଣୁଆ, ମୁହଁଫୁଟାଣିଆ କର୍ମୀ ତଥା ମନ୍ତ୍ରୀସ୍ତ୍ରରୀୟ ନେତା ଏବେ ଅର୍ଥ ଦେବାକୁ ପ୍ରଚଣ୍ଡ ହଙ୍କହଙ୍କ ହେଉଛନ୍ତି ବୋଲି ଚର୍ଚ୍ଚା।
ଏହି ଭାବରେ କାଲିଠୁ ଚିଠି ପାଇଥିବା ନେତାଏ ଭାରି ଖୁସ୍ ଥିବା ପରି ଲାଗୁଛି। ଏଇ ମଉକାରେ ନିଜ ନିଜ ଏରିଆର ସବୁ ବେପାରୀଙ୍କୁ ଧମକ ଚମକ ଦେଇ ବଟି ଆଦାୟ କରିହେବ ଆଉ ସେ ଟଙ୍କାରୁ କିଛି ଉଦରସ୍ଥ କରି ବାକି ନିଜ ପକେଟରୁ ଦେଇଛନ୍ତି ବୋଲି ଅଭିନୟ କରିପାରିବେ। ଏଇୟା କରିବାକୁ ଉପରବର୍ଣ୍ଣିତ ସାଙ୍ଗିଆଧାରି ନେତାମାନେ କାହିଁ କେଉଁ ସମୟରୁ ଚାହିଁ ବସିଥିଲେ। ଏବେ ସେମାନଙ୍କ ଉପରେ ହାତୀ ସୁନା କଳସ ଢାଳିଲା।
ଟ୍ୟାକ୍ସ ନାହିଁ ପରା, ତେଣୁ ଏକାମାଡ଼କେ କଳା ସବୁ ଧଳା ପାଲଟି ଯିବ ଆଉ ଟିକଟଟା ପକ୍କା ଯେ ! ବାଃ ନବୀନ ବାବୁ, ଆପଣ ନିଶ୍ଚିତ ଧନ୍ୟବାଦର ପାତ୍ର। ଏମିତି ସୁଯୋଗ ସେମାନଙ୍କୁ ଦେଇଥିବାରୁ।
ଏଣେ କଥା ଦାଣ୍ଡରେ ପଡି ହାଟରେ ଗଡିବା ଆଗରୁ ସୋଶାଲ ମିଡିଆରେ ବି ଏହାକୁ ନେଇ ଆରମ୍ଭ ହୋଇଛି ହଇଚଇ। ଜନୈକ ଫେସ୍ବୁକ୍ ୟୁଜରଙ୍କ ପୋଷ୍ଟକୁ ଆଧାର କରି ଆମେ କହିବାକୁ ଚାହୁଁ ଯେ, ନବୀନ ବାବୁ କୁଆଡେ କୁବେରଙ୍କୁ ଅସନ୍ତୁଷ୍ଟ କରି ଘରୁ ବିଦା କରିଛନ୍ତି। ଦାମିକିଆଙ୍କୁ ତାମିଲିଆଙ୍କ ଭୟରେ ତଡ଼ି ଦେବା ପରେ ମା’ ଲକ୍ଷ୍ମୀ ଠାକୁରାଣୀ କୁଆଡେ ଏମିତି କୋପ ଦୃଷ୍ଟି ପକାଇଛନ୍ତି ଶଙ୍ଖ ଘରେ। ନ ହେଲେ କ’ଣ ମାର୍ଗଶିର ମାଣବସା ସରୁ ସରୁ ବିଜେଡିର ମାଗତା ଦୋଷ ବାହାରି ଥାଆନ୍ତା ନା କ‘ଣ ?
କିନ୍ତୁ ମୁଖିଆଙ୍କ ଅସଲି ଖେଳ ତମ ଆମ ଭଳି ସାଧାରଣ ଲୋକ ଠଉରେଇବା ସହଜ ନୁହେଁ। ଦଳର ପାଣ୍ଠିବାକ୍ସ ନୋଟରେ ଫାଟି ଯାଇଛି ବୋଲି ସଭିଏଁ ସନ୍ଦେହ କରୁଛନ୍ତି ତ ଏଇ ସମୟରେ ଯଦି ଭିକ୍ଷାଥାଳ ଧରି ମୁଖିଆ ବାହାରନ୍ତି, ସରଳିଆ ଓଡ଼ିଆ ଲୋକେ ଜାଣିବେ ତାଙ୍କ ଅଣ୍ଟିରେ ଧନ ନାହିଁ। ବାସ, ତେଣିକି ଦଳ ଯେତେବେଳେ ଭୋଟ ପାଇଁ ଟଙ୍କାରେ ରାଇଜଟାକୁ ବୁଡ଼େଇଦେଲେ ବୋଲି ବିରୋଧୀ କହିବେ, ଶଙ୍ଖ ନେତାମାନେ ସେତେବେଳେ ଆଖିରେ ଛେପ ଲଗାଇ କାନ୍ଦି କାନ୍ଦି କହିବେ, ଆମେ ଆଉ ଟଙ୍କା? ମୁଖିଆ ପରା ତମ ଆମଠୁ ପଇସା ନେଇ ଲଢ଼ୁଛନ୍ତି, ଇୟେ ସବୁ ବିରୋଧୀଙ୍କ ଅପପ୍ରଚାର। ଜୟ କଳା!
from Odisha Reporter http://bit.ly/2EIlP3g
No comments:
Post a Comment