
ନୂଆଦିଲ୍ଲୀ: ଫ୍ରାନ୍ସ ସହ ରାଫେଲ ଡିଲ୍କୁ ନେଇ ବିରୋଧୀ ଯେଉଁ ଅପପ୍ରଚାର ଚଳାଇଥିଲେ ଆଜି ସୁପ୍ରିମକୋର୍ଟରେ ଏହାକୁ ଜବରଦସ୍ତ ଝଟ୍କା ଲାଗିଛି। ରାଫେଲ୍ ଡିଲ୍ରେ କୌଣସି ପ୍ରକାରର ଅନିୟମିତତା ହୋଇନାହିଁ ଏବଂ ଏହାର ତଦନ୍ତ ଆବଶ୍ୟକ ନାହିଁ ବୋଲି ଆଜି ପ୍ରଧାନ ବିଚାପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଏଥିସହ ମୋଦି ସରକାରଙ୍କୁ କାଠଗଡ଼ାକୁ ଟାଣିବା ପାଇଁ ହୋଇଥିବା ସମସ୍ତ ପିଟିସନ୍କୁ ଡିସମିସ କରିଦେଇଛନ୍ତି।
ଜଷ୍ଟିସ୍ ଗୋଗୋଇ କହିଛନ୍ତି, “ ଆମେ କେନ୍ଦ୍ର ସରକାର ଫ୍ରାନ୍ସ ସହ ରାଫେଲ୍ ଯୁଦ୍ଧ ବିମାନ କିଣିବା ପାଇଁ ଯେଉଁ ଡିଲ୍ କରିଛନ୍ତି, ସେଥିରେ କୌଣସି ପ୍ରକାରର ଦୁର୍ନୀତି ହୋଇନଥିବା ଜାଣିବାକୁ ପାଇଛୁ। ଡିଲ୍ ପାଇଁ ପ୍ରଚଳିତ ନିୟମର ପାଳନ କରାଯାଇଛି। ଆମେ କେନ୍ଦ୍ର ସରକାରଙ୍କ ସମସ୍ତ ଦସ୍ତାବିଜ୍କୁ ଅନୁଧ୍ୟାନ କରିବା ସହ ପ୍ରତିରକ୍ଷା ବିଶେଜ୍ଞଙ୍କ ସହ ମଧ୍ୟ ଏ ସମ୍ପର୍କରେ ଆଲୋଚନା କରିଛୁ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିରେ ଆମେ ସନ୍ତୋଷ ପ୍ରକାଶ କରିଛୁ।”
ଶୁଣାଣି ବେଳେ ପ୍ରତିପକ୍ଷଙ୍କ ଆବେଦନକୁ ଅଗ୍ରାହ୍ୟ କରି ଜଷ୍ଟିସ ଗୋଗୋଇ କହିଛନ୍ତି, “ ରାଫେଲ ଡିଲ୍ରେ କାହା ପ୍ରତି ପ୍ରିୟାପ୍ରୀତି ତୋଷଣ ନୀତି ଅବଲମ୍ବନ କରାଯାଇଥିବା ନେଇ ଯେଉଁ ଅଭିଯୋଗ ଆସୁଛି, ତାହାର କୌଣସି ପ୍ରମାଣ ନାହିଁ। ଡିଲ୍ ପ୍ରକ୍ରିୟାରେ କୌଣସି ପ୍ରକାରର ସନ୍ଦେହ ଉପୁଜିବା ଭଳି ବିଷୟବସ୍ତୁ ନାହିଁ। ଡିଲ୍ରେ କୌଣସି ଆର୍ଥିକ ହେରଫେର ହୋଇନାହିଁ।”
ରାଫେଲ୍ ଯୁଦ୍ଧ ବିମାନ ନିର୍ମାଣ କରୁଥିବା ଫ୍ରାନ୍ସର ଡାସଲଟ୍ କମ୍ପାନୀର ଅଫଶୋର ପାର୍ଟନର ଅନୀଲ ଅମ୍ବାନିଙ୍କ ରିଲାଏନ୍ସ ଗ୍ରୁପ୍କୁ ଆଶ୍ୱସ୍ତି ପ୍ରଦାନ କରି ପ୍ରଧାନ ବିଚାରପତି କହିଛନ୍ତି, “ ଏକ ନିର୍ଦ୍ଦିଷ୍ଟ କମ୍ପାନୀ କାହାକୁ ଅଫଶୋର ପାର୍ଟନର କରିବ, ତା’ହା ତାଙ୍କର ବ୍ୟକ୍ତିଗତ ପସନ୍ଦ। ତେଣୁ ଜଣଙ୍କର ବ୍ୟକ୍ତିଗତ ପସନ୍ଦରେ ହସ୍ତକ୍ଷେପ କରିବା ଅଧିକାର କାହାର ନାହିଁ।
ବିଶେଷ କରି ପ୍ରତିରକ୍ଷା ସାମଗ୍ରୀ ନିର୍ମାଣରେ ତଦନ୍ତ କରିବା ଠିକ୍ ନୁହେଁ। ଆମେ କେବେ ହେଲେ ସରକାରଙ୍କୁ ୧୨୬ଟି ରାଫେଲ ବିମାନ କିଣିବାକୁ ବାଧ୍ୟ କରିପାରିବା ନାହିଁ। ଏହି ମାମଲାରେ ପ୍ରତିଟି ବିଷୟବସ୍ତୁର ସମୀକ୍ଷା କରିବା କୋର୍ଟ କ୍ଷେତ୍ରରେ ଠିକ୍ ନୁହେଁ। ଦରର ତୁଳନା କରିବା କୋର୍ଟଙ୍କ କାମ ନୁହେଁ। ଆମେ ଏଠାରେ ୧୨୬ ବନାମ ୩୬ ଯୁଦ୍ଧ ବିମାନ ଲଢ଼େଇର ବିଚାର କରୁନାହୁଁ।”
ଭାରତ ସରକାର ପାଖାପାଖି ୫୮ ହଜାର କୋଟି ଟଙ୍କାରେ ଫ୍ରାନ୍ସଠାରୁ ୩୬ଟି ରାଫେଲ୍ ଯୁଦ୍ଧ ବିମାନ କିଣିବାକୁ ଡିଲ୍ କରିଛନ୍ତି। ତେବେ ଏଥିରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ କରି କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏପରିକି ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧି ରାଫେଲ ଡିଲକୁ ଆୟୁଧ କରି ମୋଦିଙ୍କୁ ‘ଚୌକିଦାର ଚୋର ହୈ’ ବୋଲି ବାରମ୍ବାର ଆକ୍ଷେପ କରିଥିଲେ। ଏହାକୁ ନେଇ ରାଜନୀତିକ ହଟଚମଟ ମଧ୍ୟ ହୋଇଥିଲା। ହେଲେ ଆଜି ସୁପ୍ରିମକୋର୍ଟ ଏହା ଉପରେ ପୂର୍ଣ୍ଣଚ୍ଛେଦ ଟାଣି ମୋଦି ସରକାରଙ୍କୁ କ୍ଲିନ୍ଚିଟ୍ ଦେଇଛନ୍ତି।
from Odisha Reporter https://ift.tt/2zX8Bwq
No comments:
Post a Comment