
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କୋଣାର୍କ ମନ୍ଦିର ପ୍ରତି କୌଣସି ବିପଦ ନାହିଁ।’ ସୁରକ୍ଷା ମାପଦଣ୍ଡ ଆଧାରରେ ଏହା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ.ମହେଶ ଶର୍ମା। ରାଜ୍ୟ ସଂସ୍କୃତି ମନ୍ତ୍ରୀ ଓ ଅଧିକାରୀଙ୍କ ସହ ମାରାଥନ ବୈଠକ ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ୧୯୯୭ ପର ଠାରୁ କୌଣସି ସାଧା ପଥର କୋଣାର୍କରେ ଲଗାଯାଇନାହିଁ।
କୋଣାର୍କ ପ୍ରତି ବିପଦ ଥିବା ନେଇ ବେଶ କିଛି ମାସ ହେବ ଗଣମାଧ୍ୟମର ଚର୍ଚ୍ଚା ହେଉଥିଲା। ଏହା ପରେ ଆଜି ବିଶେଷଜ୍ଞଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ସହ ମାରାଥନ ବୈଠକ କରିଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ର। ବୈଠକରେ କୋଣାର୍କର ସୌନ୍ଦର୍ଯ୍ୟ ଓ ସୁରକ୍ଷା ସହ ୫ଟି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା। ତେବେ ସୁରକ୍ଷାର ମାପଦଣ୍ଡ ଅନୁସାରେ ଏହି ପୁରାତନ କୀର୍ତ୍ତିରାଜି ପ୍ରତି କୌଣସି ବିପଦ ନାହିଁ ବୋଲି କହିଥିଲେ ସଂସ୍କତି ମନ୍ତ୍ରୀ ଡ. ମହେଶ ଶର୍ମା।
ତେବେ କୋଣାର୍କ ସୁରକ୍ଷା ନେଇ ରାଜ୍ୟ ସରକାର ଏକ ଅନ୍ତରାଷ୍ଟ୍ରୀୟ ବିଶେଷଜ୍ଞ କମିଟି ଗଠନ ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ। ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ର ରିପୋର୍ଟ ଅନୁସାରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ, ଜଗମୋହନରୁ ବାଲି ଓ ପଥର ଖସୁଛି। ତେଣୁ ମରାମତି ପାଇଁ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ। ରାଜ୍ୟର ଦାବିକୁ ଗ୍ରହଣ କରି ୩୦ ଦିନ ଭିତରେ ଏକ ଅନ୍ତରାଷ୍ଟ୍ରୀୟ ବିଶେଷଜ୍ଞ କମିଟି ଗଠନ ପାଇଁ ରାଜି ହୋଇଛନ୍ତି କେନ୍ଦ୍ର ସରକାର। ଏହାବାଦ୍ ବର୍ଷା ଦିନେ କୋଣାର୍କରେ ହେଉଥିବା ଜଳବନ୍ଦୀ ସମସ୍ୟା କଥା ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ତେବେ ଏହି ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଏସ୍ଆଇକୁ ନିର୍ଦ୍ଦେଶ ଦିଆଯାଇଛି।
କୋଣାର୍କରୁ କାରୁକାର୍ଯ୍ୟ ଖଚିତ ପଥର ସ୍ଥାନାନ୍ତର ଓ ଏହାର ସୁରକ୍ଷାକୁ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହା ପରେ ଗତ ୧୧ ତାରିଖରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ି ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
from Odisha Reporter https://ift.tt/2B6Nk33
No comments:
Post a Comment