
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍ ଗ୍ରୁପ୍ ସି’ର ଏକ ମ୍ୟାଚ୍ରେ ଶକ୍ତିଶାଳୀ ବେଲଜିୟମ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍ ଖେଳିବାକୁ ଆଉ ପାଦେ ଆଗେଇଛି। ତେବେ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଓ କ୍ୟାନାଡା ମ୍ୟାଚ୍ ପରେ ବେଲଜିୟମ ସିଧାସଳଖ କ୍ୱାର୍ଟର ଫାଇନାଲ୍କୁ ଯାଉଛି ନା କ୍ରସ ଓଭର ଖେଳୁଛି, ତାହା ସ୍ପଷ୍ଟ ହେବ। ଏବେ ବେଲଜିୟମ ୭ ପଏଣ୍ଟ ସହ ଟେବୁଲ୍ ଶୀର୍ଷରେ ରହିଛି। ଭାରତ ୪ ପଏଣ୍ଟ ପାଇଛି। ଯଦି ଟିମ୍ ଇଣ୍ଡିଆ କ୍ୟାନାଡା ବିପକ୍ଷ ମ୍ୟାଚ୍କୁ ଜିତି ନିଏ, ତା’ହେଲେ ଗୋଲ ବ୍ୟବଧାନ ଭିତ୍ତିରେ ଭାରତ ସିଧାସଳଖ କ୍ୱାର୍ଟର ଫାଇନାଲ୍ ଯିବ ଏବଂ ବେଲଜିୟମ କ୍ରସଓଭର ମ୍ୟାଚ୍ ଖେଳିବ।
ଆଜି ମ୍ୟାଚ୍ ଆରମ୍ଭରୁ ଦକ୍ଷିଣ ଆଫ୍ରିକା ସମସ୍ତଙ୍କୁ ଚକିତ କରି ବେଲଜିୟମ୍କୁ ଗୋଲ ଦେଇଥିଲା। ମ୍ୟାଚ୍ର ପ୍ରଥମ ମିନିଟ୍ରେ ସୋପନର ନିକୋଲାସ୍ ଫିଲ୍ଡ୍ ଗୋଲ କରି ଦଳକୁ ୧-୦ରେ ଆଗୁଆ କରିଦେଇଥିଲେ। ମ୍ୟାଚର ୧୪ତମ ମିନିଟ୍ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଗୋଟିଏ ଗୋଲରେ ଆଗୁଆ ଥିଲା। କିନ୍ତୁ ୧୪ତମ ମିନିଟ୍ରେ ବେଲଜିୟମକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଷ୍ଟାର ଖେଳାଳି ହେଣ୍ଡ୍ରିକ୍ସ ଆଲେକଜାଣ୍ଡର ଗୋଲରେ ପରିଣତ କରି ସ୍ଥିତି ୧-୧ରେ ବରାବର କରିଥିଲେ।
ଦ୍ୱିତୀୟ କ୍ୱାର୍ଟରରେ ବେଲଜିୟମ ନିଜର ଅସଲ ଜଲୱା ଦେଖାଇଥିଲା। ଘନଘନ ଆକ୍ରମଣ କରି ବେଲଜିୟମ ଏହି କ୍ୱାର୍ଟରରେ ୩ଟି ଗୋଲ ସ୍କୋର କରିଥିଲା। ୧୮ତମ ମିନିଟ୍ରେ ଗୋଗନାର୍ଦ୍ଦ୍ ସାଇମନ, ୨୨ତମ ମିନିଟ୍ରେ ହେଣ୍ଡ୍ରିକ୍ସ ଆଲେକଜାଣ୍ଡର ଓ ୩୦ତମ ମିନିଟ୍ରେ ଲ୍ୟୁପର୍ତ ଲୋଇକ ଗୋଲ ସ୍କୋର କରି ସ୍ଥିତିକୁ ୪-୧ କରିଦେଇଥିଲେ।
ତୃତୀୟ କ୍ୱାର୍ଟରରେ ଦକ୍ଷିଣ ଆଫ୍ରିକା କମ୍ବ୍ୟାକ୍ କରିବାକୁ ଚେଷ୍ଟା କରିଥିଲେ ହେଁ ବେଲଜିୟମ ସବୁ ଉଦ୍ୟମକୁ ପଣ୍ଡ କରିଦେଇଥିଲା। ଏହି କ୍ୱାର୍ଟରଟି ଗୋଲ ଶୂନ୍ୟ ରହିଥିଲା। ୪ର୍ଥ କ୍ୱାର୍ଟର ତଥା ମ୍ୟାଚ୍ର ୪୮ତମ ମିନିଟ୍ରେ ଶାରଲିୟର କୋଦ୍ରିକ ଆଉ ଏକ ଗୋଲ କରି ଗୋଲ ବ୍ୟବଧାନକୁ ୫-୧ କରିଦେଇଥିଲେ।
ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇଥିଲେ ମଧ୍ୟ ଦଳ କ୍ୱାର୍ଟର ଫାଇନାଲ୍ ପାଇଁ କ୍ରସ ଓଭର୍ ମ୍ୟାଚ୍ ଖେଳିବାର ଦୌଡ଼ରେ ରହିପାରେ। ଯଦି ଭାରତ କ୍ୟାନାଡାକୁ ବୃହତ ବ୍ୟବଧାନରେ ପରାସ୍ତ କରେ, ତା’ହେଲେ ଦକ୍ଷିଣ ଆଫ୍ରିକା କ୍ରସ ଓଭର୍ ମ୍ୟାଚ୍ ଖେଳିବାର ଯୋଗ୍ୟତା ଅର୍ଜନ କରିପାରିବ।
from Odisha Reporter https://ift.tt/2zRrr7V
No comments:
Post a Comment