
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ପାଳନ କରିବା ଲାଗି କେନ୍ଦ୍ର ସରକାର ବିଧିବଦ୍ଧ ଭାବେ ନିଷ୍ପତ୍ତି ନେଇଛନ୍ତି। ପାଇକ ବିଦ୍ରୋହ ଭଳି ଗୁରୁତ୍ୱ ବହନ କରୁଥିବା ଅନ୍ୟାନ୍ୟ ଐତିହାସିକ ଘଟଣାବଳୀର ମଧ୍ୟ ସ୍ମୃତି ଉତ୍ସବ ପାଳନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ରାଷ୍ଟ୍ରୀୟ ସମାରୋହ ପାଳନ ଓ ରୂପାୟନ କମିଟି ଗଠନ କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲି ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ. ମହେଶ ଶର୍ମା ସଦସ୍ୟ ଅଛନ୍ତି। ଆଜି ଭୁବନେଶ୍ୱରଠାରେ ଏକ ନାଗରିକ କମିଟି ସହ ଆଲୋଚନା କାଳରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ. ଶର୍ମା ଏହି ସୂଚନା ଦେଇଛନ୍ତି।
ସ୍ମାରକୀ ସ୍ଥଳ ପ୍ରତିଷ୍ଠା ଲାଗି ୮୦ କୋଟି ଟଙ୍କା
ସେ କହିଛନ୍ତି ଯେ, ତାଙ୍କ ମନ୍ତ୍ରଣାଳୟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକାଧିକ ବାର ଚିଠି ଲେଖି ବରୁଣେଇଠାରେ ପାଇକ ବିଦ୍ରୋହର ସ୍ମାରକୀ ସ୍ଥଳ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମି ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ସେ ଏଥିନେଇ ପୁଣି ଥରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବେ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପ୍ରତିଷ୍ଠା ଲାଗି ୮୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।
ନିର୍ମାଣ ହେବ ପ୍ରାମାଣିକ ଚିତ୍ର
ଓଡ଼ିଶାର ଏକ ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର ଚେୟାର ପ୍ରତିଷ୍ଠା ପାଇଁ ୬ କୋଟି ଟଙ୍କା ରଖାଯାଇଛି। ସେହିପରି ପାଇକ ବିଦ୍ରୋହର ବିସ୍ତୃତ ବିବରଣୀ ପ୍ରସ୍ତୁତି ସହ ଏକ ପ୍ରାମାଣିକ ଚିତ୍ର ନିର୍ମାଣ ଲାଗି ପଦକ୍ଷେପ ନିଆଯିବ। ଏହାଛଡ଼ା ପାଇକ ବିଦ୍ରୋହ ଉପରେ ସ୍ୱତନ୍ତ୍ର ଡାକ ଟିକଟ ପ୍ରଚଳନ କରାଯିବ। ଆଜି ନାଗରିକ ସମାଜ ପକ୍ଷରୁ ଯେଉଁ ସ୍ମାରକ ପତ୍ର ମାନ ମିଳିଛି ସେ ସଂପର୍କରେ ଏବଂ ଓଡ଼ିଶାର ପାଇକ ବିଦ୍ରୋହର ମହାନତା ନେଇ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଯିବ।
ଆଜି ଦିଲ୍ଲୀରୁ ଦିନିକିଆ ଗସ୍ତରେ ଆସି ଭୁବନେଶ୍ୱରଠାରେ ପହଞ୍ଚିବାପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ. ଶର୍ମା ପ୍ରଥମେ ବୟୋଜ୍ୟେଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ସାମରିକ ପରମ୍ପରା ଓ ସଂସ୍କୃତି ପରିଷଦର ମୁଖ୍ୟ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ଯାଇଥିବା ଏକ ପ୍ରତିନିଧି ଦଳଙ୍କୁ ଭେଟିଥିଲେ। ପ୍ରତିନିଧି ଦଳର ସଦସ୍ୟମାନେ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ମୁକ୍ତି ସଂଗ୍ରାମ ଭାବେ ସ୍ୱୀକୃତି ଦେବା ଦିଗରେ କେନ୍ଦ୍ରର ପ୍ରୟାସକୁ ପ୍ରଶଂସା ଓ ସାଧୁବାଦ ଜଣାଇଥିଲେ। ପ୍ରତିନିଧି ଦଳର ସଦସ୍ୟମାନେ ପାଇକ ବିଦ୍ରୋହର ସ୍ମାରକୀ ପ୍ରତିଷ୍ଠା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ତ୍ୱରିତ ପଦକ୍ଷେପ ନେବାକୁ ନିବେଦନ କରିଥିଲେ ।
from Odisha Reporter https://ift.tt/2UwKmxK
No comments:
Post a Comment