
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ହକି ବିଶ୍ୱକପ୍ ଖବର ସଂଗ୍ରହରେ ଓଟିଭିକୁ ବାଧା ଦେବା ମାମଲାରେ FIH ଓ ହକି ଇଣ୍ଡିଆ ସହ ରାଜ୍ୟ ସରକାରଙ୍କୁ ମିଳିଛି ହାଇକୋର୍ଟଙ୍କ ଝଟ୍କା। ଓଟିଭି ପ୍ରତିନିଧିଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କୋର୍ଟଙ୍କ ଏହି ରାୟକୁ ସବୁ ମହଲରେ ସ୍ୱାଗତ କରାଯିବା ସହ ଏହା ଗଣତନ୍ତ୍ର ଓ ଗଣମାଧ୍ୟମର ବିଜୟ ବୋଲି କେତେକ ବରିଷ୍ଠ ସାମ୍ବାଦିକ କହିଛନ୍ତି। ଅନ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ଭଳି ଓଟିଭି ପ୍ରତିନିଧି ନିରଞ୍ଜନ ରେଡ୍ଡୀଙ୍କୁ କଳିଙ୍ଗ ଷ୍ଟାଡିୟମରେ ପ୍ରବେଶ ପାଇଁ ମଧ୍ୟ ହାଇକୋର୍ଟ ଅନୁମତି ଦେଇଛନ୍ତି। ସେହିପରି ନିରଞ୍ଜନ ରେଡ୍ଡୀଙ୍କୁ ନଭେମ୍ବର ୭ ତାରିଖରେ ମିଳିଥିବା ଆକ୍ରିଡିଟେସନକୁ କାଏମ ରଖିବା ସହ ଶୁଣାଣିକୁ ଏଇଠି ଶେଷ କରିଛନ୍ତି ହାଇକୋର୍ଟ।
ଏନେଇ ଓଟିଭି ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ଶୌର୍ଯ୍ୟ ସୁନ୍ଦର ଦାସ ସୂଚନା ଦେଇଛନ୍ତି।
ନଭେମ୍ବର ୨୬ରେ ଓଟିଭି ପ୍ରତିନିଧିଙ୍କ ନିକଟକୁ ହକି ଇଣ୍ଡିଆ ମିଡିଆ ଟିମ୍ ପକ୍ଷରୁ ଏକ ଇ-ମେଲ୍ ଆସିଥିଲା। ଯେଉଁଥିରେ ଓଟିଭି ସ୍ପୋର୍ଟ୍ସ ରିପୋର୍ଟରଙ୍କ ଆକ୍ରିଡିଟେସନ୍ କଟାଯିବା ନେଇ କାରଣ ଦର୍ଶାଯାଇଥିଲା। ଏଥିରେ ଲେଖାଯାଇଥିଲା ଯେ, ଓଡ଼ିଶା ହକି ଓ୍ୱାର୍ଲଡ କପ୍ ପାଇଁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଗଣମାଧ୍ୟମଙ୍କ ଲାଗି ନଭେମ୍ବର ୭ରେ ପ୍ରାରମ୍ଭିକ କଟ୍ ଅଫ୍ ଲିଷ୍ଟରେ ଓଟିଭି ପ୍ରତିନିଧିଙ୍କୁ ଅନୁମତି ମିଳିଥିଲା। ହେଲେ ଅଧିକ ସଂଖ୍ୟକ ବିଦେଶୀ ସାମ୍ବାଦିକଙ୍କ ପ୍ରାବଲ୍ୟ ଯୋଗୁଁ ଓଟିଭି ପ୍ରତିନିଧିଙ୍କ ଆକ୍ରିଡିଟେକସନ ରଦ୍ଦ କରାଗଲା। ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲା ଓଟିଭି।

ଖାଲି ସେତିକି ନୁହେଁ ଆକ୍ରିଡିଟେସନ ରଦ୍ଦ ହେବାର ୬ଦିନ ପୂର୍ବରୁ ଏକ ପ୍ରେସମିଟରେ ଓଟିଭି ପ୍ରତିନିଧି ନିରଞ୍ଜନ ରେଡ୍ଡୀଙ୍କୁ ଦୁର୍ବ୍ୟବହାର କରିଥିଲେ କ୍ରୀଡ଼ା ସଚିବ ବିଶାଳ ଦେବ। ଏମିତିକି ସେ ଓଟିଭି ବୁମ୍ ଠେଲି ଦେବା ସହ ତାଙ୍କୁ ରୁମ୍ରୁ ବାହାରିଯିବାକୁ କହିଥିଲେ। ଯାହାକୁ ନେଇ ସବୁ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆଉ ଆଜି କୋର୍ଟଙ୍କ ଓଟିଭି ସପକ୍ଷରେ ରାୟ ପରେ ଏହା ଉଭୟ ଗଣତନ୍ତ୍ର ଓ ଗଣମାଧ୍ୟମର ବିଜୟ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ।

ଏ ସମ୍ପର୍କରେ ଓଟିଭି କ୍ରୀଡ଼ା ପ୍ରତିନିଧି ନିରଞ୍ଜନ ରେଡ୍ଡୀ କହିଛନ୍ତି ଯେ, ହକି ଇଣ୍ଡିଆ ତାଙ୍କ ପ୍ରତି କରିଥିବା ଅନ୍ୟାୟ କ୍ଷେତ୍ରରେ ମାନ୍ୟବର ହାଇକୋର୍ଟ ନ୍ୟାୟ ଦେଇଛନ୍ତି। ସେ କହିଛନ୍ତି, ” ହକି ବିଶ୍ୱକପ୍ ଆରମ୍ଭ ପୂର୍ବରୁ ଏ ପର୍ଯ୍ୟନ୍ତ ସମସ୍ତ ମ୍ୟାଚ୍ ଆମେ ଦର୍ଶକଙ୍କ ପାଖରେ ପହଞ୍ଚାଇ ଆସିଛୁ। ହାଇକୋର୍ଟ ଦେଇଥିବା ରାୟକୁ ନେଇ ମୁଁ ଖୁବ୍ ଖୁସି। ଏଥିପାଇଁ ହାଇକୋର୍ଟଙ୍କୁ କୃତଜ୍ଞତା ଜଣାଉଛି। ”
ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଏ ପ୍ରକାର ଅହଙ୍କାରୀ, ଅଗଣତାନ୍ତ୍ରିକ ଓ ଏକଛତ୍ରବାଦୀ ଆଚରଣକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଆଉ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହା ଗଣତନ୍ତ୍ର ଓ ଗଣମାଧ୍ୟମ ପାଇଁ ଏକ ବଡ଼ ବିଜୟ। ସେହିପରି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି କହିଛନ୍ତି, “ନମ୍ବରୱାନ୍ ଗଣମାଧ୍ୟମକୁ ଏଭଳି ଭାବେ କଭରେଜ୍ରୁ ବଞ୍ଚିତ କରାଯିବା ଭାରତ ବର୍ଷରେ କେଉଁଠି ଦେଖାଯାଏନି। ଅଦାଲତ ଗଣମାଧ୍ୟମର ସମ୍ମାନ ରଖିଛନ୍ତି। ତେଣୁ ମୁଁ ଅଦାଲତକୁ କୃତଜ୍ଞତା ଜଣାଇବି।”
from Odisha Reporter https://ift.tt/2QrCdwd
No comments:
Post a Comment