
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୫୭ ବର୍ଷ ତଳର କଥା। ୧୯୬୧ ମସିହା ଡିସେମ୍ୱର ମାସ ୫ ତାରିଖରେ ଆଫ୍ରିକା ମହାଦେଶର କଙ୍ଗୋରେ ଆରମ୍ଭ ହୋଇଥିଲା ଜାତିସଂଘର ସେନା ଅପରେସନ୍। ଉଦ୍ଦେଶ୍ୟ ଥିଲା, କଙ୍ଗୋରେ କଳା ଓ ଗୋରାମାନଙ୍କ ମଧ୍ୟରେ ଚାଲିଥିବା ବିଦ୍ରୋହକୁ ବନ୍ଦ କରିବା। ଏହି ଲଢ଼େଇର ଅବସାନ କରି ଶାନ୍ତି ପ୍ରତିଷ୍ଠା ପାଇଁ ଭାରତୀୟ ସୈନିକମାନଙ୍କୁ ପଠାଇଥିଲା ଜାତିସଂଘ। ଏହି ସୈନିକମାନଙ୍କ ମଧ୍ୟରେ ଥିଲେ, କ୍ୟାପ୍ଟେନ୍ ଗୁର୍ବଚ୍ଚନ ସିଂହ ସଲରିୟା।
ଡିସେମ୍ୱର ମାସ ୫ ତାରିଖରେ ଭାରତୀୟ ସେନାକୁ ଦିଆଯାଇଥିଲା ଏକ ଗୁରୁ ଦାୟିତ୍ୱ। କଙ୍ଗୋର କଟାଙ୍ଗ ରାଜ୍ୟରୁ କୁଇନ୍ ଏଲିଜାବେଥ୍ଭାଲି ଏୟାର୍ପୋର୍ଟକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରି ରହିଥିବା କାର୍ ଗୁଡ଼ିକୁ ହଟାଇବା ଥିଲା କାମ। ଏହା ଜାଣିବା ପରେ ଆନ୍ଦୋଳନକାରୀ ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତ ହୋଇଥିଲେ। ରାସ୍ତାଟିରୁ କାର୍ ଗୁଡ଼ିକୁ ହଟାଇବା କିଛି ସହଜ କାମ ନଥିଲା। ଆନ୍ଦୋଳନକାରୀ ଜାଣି ଜାଣି ଏହି କାର୍ ଗୁଡ଼ିକୁ ରଖି ରାସ୍ତା ଅବରୋଧ କରିବା ସହ ସେହି କାର୍ରୁ ଅପରେସନ୍ ମଧ୍ୟ ଚଳାଉଥିଲେ।
କ୍ୟାପ୍ଟେନ୍ ସଲାରିଆ ଓ ଅନ୍ୟ ଭାରତୀୟ ଯବାନମାନେ ସାହସିକତା ଦେଖାଇ, ରାସ୍ତା ଅବରୋଧ କରିଥିବା ଗାଡ଼ିଗୁଡ଼ିକ ଉପରେ ଆରମ୍ଭ କରିଥିଲେ ଆକ୍ରମଣ। ନଷ୍ଟଭ୍ରଷ୍ଟ କରି ଦେଇଥିଲେ ଆନ୍ଦୋଳନକାରୀଙ୍କ ଯୋଜନା। ସାଲାରିଆ ଓ ତାଙ୍କ ଟିମ୍ଙ୍କର ଏହି ପଦକ୍ଷେପରେ ଆନ୍ଦୋଳକାରୀ ଭୟଭୀତ ହୋଇଯାଇଥିଲେ।

କିନ୍ତୁ ଏହି ଅପରେସନ ବେଳେ ଗୁଳିବିଦ୍ଧ ହୋଇଥିଲେ କ୍ୟାପ୍ଟେନ୍ ଗୁର୍ବଚ୍ଚନ ସିଂହ ସଲରିୟା। ସଲରିଆଙ୍କର ବେକରେ ଦୁଇଥର ଗୁଳି ବାଜିଥିଲା। କିନ୍ତୁ ନିଜ ବିଷୟରେ ଚିନ୍ତା ନକରି କ୍ୟାପ୍ଟେନ୍ ସଲାରିୟା ଶେଷ ପର୍ଯ୍ୟନ୍ତ ଶତ୍ରୁମାନଙ୍କ ସହିତ ଲଢ଼େଇ କରିଥିଲେ ଓ ଯୁଦ୍ଧକ୍ଷେତ୍ରରେ ହିଁ ସହିଦ ହୋଇଯାଇଥିଲେ। ସେ ସମୟରେ ତାଙ୍କର ବୟସ ଥିଲା ମାତ୍ର ୨୬ ବର୍ଷ।
ସାହସୀ ଯୋଦ୍ଧା କ୍ୟାପ୍ଟେନ୍ ଗୁରିବଚ୍ଚନ୍ ସିଂହ ସଲରିୟାଙ୍କୁ ଭାରତ ସରକାର ୧୯୬୨ ମସିହାରେ ମରଣୋତ୍ତର ଭାବେ ଦେଶର ସର୍ବୋଚ୍ଚ ସାମରିକ ସମ୍ମାନ ‘ପରମବୀର ଚକ୍ର’ରେ ସମ୍ମାନୀତ କରିଥିଲେ। ଆଜି ହେଉଛି ସେହି ବୀର ସହିଦ କ୍ୟାପ୍ଟେନ୍ ଗୁରିବଚ୍ଚନ୍ ସିଂହ ସଲରିୟାଙ୍କ ଜନ୍ମଦିନ। ତାଙ୍କ ଜନ୍ମ ହୋଇଥିବା ୨୯ ନଭେମ୍ୱର ୧୯୩୫ ମସିହାରେ ପଞ୍ଜାବର ଗୁରୁଦାସପୁରସ୍ଥିତ ଏକ ରାଜପୁତ ପରିବାରରେ। ୯ ଜୁନ୍ ୧୯୫୭ରେ ସେ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀରେ ଯୋଗ ଦେଇଥିଲେ।
from Odisha Reporter https://ift.tt/2zKG7G5
No comments:
Post a Comment