
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିବା ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋଶାଲ ମିଡିଆରେ ତୀବ୍ର ସମାଲୋଚନା କରିଛନ୍ତି।
ଟ୍ୱିଟ୍ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଚିଠା ଲେଖି ପିଠା ଖାଇବା ଭଳି ଯୋଜନା ପ୍ରସ୍ତୁତ କରି ଦଳୀୟ ଆଧାରରେ ଟଙ୍କା ବାଣ୍ଟି ପର ତିଅଣରେ ମଙ୍ଗଳବାର ବ୍ରତ କରିବା ମୁଖ୍ୟମନ୍ତ୍ରୀଙ୍କୁ ଭଲ ଭାବେ ଜଣା। ଏପର୍ଯ୍ୟନ୍ତ ରାଜ୍ୟରେ ଭାଗଚାଷୀ ଚିହ୍ନଟ ହୋଇନାହାନ୍ତି। ଯଦି ଚାଷୀଙ୍କ ପ୍ରତି ଏତେ ଚିନ୍ତା ତା’ହେଲେ ରାଜ୍ୟ ସରକାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଅତିରିକ୍ତ ବଜେଟ୍ ପାସ୍ କରି କାଳିଆ ଯୋଜନାକୁ କାର୍ଯ୍ୟକାରୀ କଲେନାହିଁ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନୀ ବର୍ଷରେ ସାରା ରାଜ୍ୟରେ ଜନବିଦ୍ରୋହକୁ ଦେଖି ତରବରିଆ ଭାବେ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନାକୁ ଲୋକଦେଖାଣିଆ ଭାବେ ଲାଗୁ କରିବା ପାଇଁ ଆକସ୍ମିକ ପାଣ୍ଠିର ସାହାରା ନିଆଯାଇଛି। ଚାଷୀଙ୍କ ବିକାଶ ପାଇଁ ଦରଦ ନୁହେଁ ବରଂ ରାଜ୍ୟର ଚାଷୀମାନଙ୍କୁ ବୋକା ବନାଇ ନିର୍ବାଚନ ବୈତରଣୀ ପାରି ହେବା ପାଇଁ କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଏକ ଷଡ଼ଯନ୍ତ୍ର। ରାଜ୍ୟର ସାଧାରଣ ଜନତା ବିଶେଷକରି ଚାଷୀକୂଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୁଢ଼ାବାଘର ସୁନା କଙ୍କଣ ଉପାଖ୍ୟାନ ଭଳି ନାଟକ ମାମଲାରେ ଏବେ ସଚେତନ ହେଲେଣି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
from Odisha Reporter http://bit.ly/2EZ2WK6
No comments:
Post a Comment