କାଲି ଆରମ୍ଭ ହେବ ‘କାଳିଆ’ ଯୋଜନା: ବିରୋଧୀ କହିଲେ ଏମିତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

କାଲି ଆରମ୍ଭ ହେବ ‘କାଳିଆ’ ଯୋଜନା: ବିରୋଧୀ କହିଲେ ଏମିତି

farmer-cultivate

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି କାଳିଆ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଜେଟରେ ବ୍ୟୟ ବରାଦ ହୋଇନଥିବାରୁ କଣ୍ଟିଜେନସି ଫଣ୍ଡକୁ ସାମୟିକ ବୃଦ୍ଧି କରି ସେଥିରୁ ଟଙ୍କା ଆଣିବା ପାଇଁ ସରକାର ବାଟ କାଢ଼ିଛନ୍ତି। ତେବେ ପାଣ୍ଠି ନଥାଇ ସରକାରଙ୍କ ଏ ତରବରିଆ ଯୋଜନାର ବାସ୍ତବତାକୁ ନେଇ ପୁଣି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

୨୧ ଡିସେମ୍ବର ଚାଷୀଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ଘୋଷଣା କଲେ। ୨୨ ଡିସେମ୍ବରରେ କାଳିଆକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ପ୍ରସ୍ତୁତ କଲେ ମୋଡାଲିଟିଜ ବା ନିୟମାବଳୀ। ଏହାର ୭ ଦିନ ପରେ ସରକାର ମୁଣ୍ଡକୁ ଘାରିଲା ପାଣ୍ଠି ଚିନ୍ତା। କ୍ୟାବିନେଟ ବସି କାଳିଆ ପାଇଁ ଟଙ୍କା ଖର୍ଚ୍ଚର ବାଟ କଢ଼ାଗଲା। ବଜେଟରେ ବ୍ୟୟ ବରାଦ ହୋଇ ନଥିବାରୁ  କଣ୍ଟିଜେନସି ଫଣ୍ଡରୁ ଟଙ୍କା ଆଣିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହେଲା।

କାଳିଆ ପାଇଁ ତିନି ବର୍ଷରେ ୧୦ ହଜାର କୋଟି ଖର୍ଚ୍ଚ ହେବାକୁ ଥିବା ବେଳେ ଚଳିତ ଆର୍ଥକ ବର୍ଷ  ଅର୍ଥାତ ଏପ୍ରିଲ ପୂର୍ବରୁ ଖର୍ଚ୍ଚ ହେବ ୧୭ଶହ ୩୩ କୋଟି। ତେବେ କଣ୍ଟିଜେନସି ଫଣ୍ଡରେ ଏବେ ଅଛି ମାତ୍ର ୪୦୦ କୋଟି। ତେଣୁ ଜରୁରୀ ଆବଶ୍ୟକତା ଦୃଷ୍ଟିରୁ ଅଧ୍ୟାଦେଶ ଆଣି ଏହି ପାଣ୍ଠିକୁ ୧୬ ଶହ କୋଟି ଟଙ୍କାକୁ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି।

ଏଣେ ବିଧିବଦ୍ଧ ଭାବେ ଆସନ୍ତାକାଲି ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। କିନ୍ତୁ ଏ ଖବର ଅର୍ଥମନ୍ତ୍ରୀଙ୍କ ପାଖରେ ନାହିଁ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ କହିବା କଥା, “ମାସେ କିମ୍ବା ଦେଢ଼ ମାସ ଭିତରେ ଯୋଜନା କାର୍ଯ୍ୟକାରୀ ହେବ।”

କେତେ ଚାଷୀ ଏହାର ଫାଇଦା ପାଇବେ, ତାକୁ ନେଇ ବି ଦ୍ଵନ୍ଦ୍ଵ। ମୁଖ୍ୟମନ୍ତ୍ରୀ ୩୨ ଲକ୍ଷ ଚାଷୀଙ୍କ କଥା କହୁଥିବା ବେଳେ ଅର୍ଥମନ୍ତ୍ରୀ କହୁଛନ୍ତି ୩୬ ଲକ୍ଷ ଚାଷୀଙ୍କୁ ସହାୟତା ମିଳିବ। ପୂର୍ବରୁ ବିଧାନସଭାରେ କୃଷିମନ୍ତ୍ରୀ କହିଥିଲେ ରାଜ୍ୟରେ ଚାଷୀଙ୍କ ସଂଖ୍ୟା ୪୬ ଲକ୍ଷ ୬୭ ହଜାର ବୋଲି। ଏପରି ସ୍ଥିତିରେ ରାଜ୍ୟରେ ପ୍ରକୃତରେ କେତେ ଚାଷୀ ଅଛନ୍ତି, ତାହା ମଧ୍ୟ ଏକ ପ୍ରଶ୍ନ ହୋଇ ଛିଡା ହୋଇଛି।

ପୂର୍ବରୁ ଜୁଲାଇ ୨୬ରେ ସରକାର ଅଧ୍ୟାଦେଶ ଆଣି କଣ୍ଟିଜେନସି ଫଣ୍ଡର ଅର୍ଥକୁ ୪୦୦ କୋଟିରୁ ୧୪ ଶହ କୋଟିକୁ ବୃଦ୍ଧି କରିଥିଲେ। ଏହାର କାର୍ଯ୍ୟ ଅବଧି ସରିଯାଇଥିବାରୁ ପୁଣି ଥରେ ଏହି ଅଧ୍ୟାଦେଶ ଆଣିବେ।

ତେବେ ସରକାରଙ୍କ ଏ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଟାକ୍ଷ କରି କହିଛନ୍ତି, “ଅଣ୍ଟିରେ ନାହଁ ଧନ, ପୁଅ ବାହା ପାଇଁ ମନ ପରି ସରକାର ଚାଷୀଙ୍କୁ କାଳିଆ ନାଁରେ ଭୁତେଇବାକୁ ଚେଷ୍ଠା କରୁଛନ୍ତି। କାଳିଆକୁ ତ ଓପାସରେ ରଖି ଦେଲେ। ଏବେ କାହିଁକି କାଳିଆ ନାଁ କହି ଚାଷୀଙ୍କୁ ଭୁତେଇବାକୁ ଚେଷ୍ଟା କରୁଛନ୍ତି?”

କାଳିଆ ଯୋଜନା କେବଳ ଭୋଟ ହାତେଇବା ପାଇଁ ସରକାରଙ୍କ ସୁଆଙ୍ଗ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ କହିଛନ୍ତି, “ବିଧାନସଭା ବସେଇ ସପ୍ଲିମେଣ୍ଟାରୀ ଟଙ୍କା ବ୍ୟବସ୍ଥା କଲେନି। ଚାଷୀଙ୍କୁ କଳାକନା ବୁଲାଥିବା ବନ୍ଧୁମାନେ ଆଜି କାଳିଆଙ୍କ ସାହାରା ନେଇଛନ୍ତି। କାଳିଆଙ୍କୁ ଉପାସ ରଖାଇଲେ। ଯୋଜନାର ସ୍ପଷ୍ଟତା ନାହିଁ। କେବଳ ଭୋଟ ହାତେଇବା ପାଇଁ ଏପରି ସୁଆଙ୍ଗ କରୁଛନ୍ତି।”

ବିରୋଧୀଙ୍କ ଅଭିଯୋଗର ଉତ୍ତର ବିଜେଡି ଦେଇଛି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, “କାଳିଆ କୃଷକମାନଙ୍କ ପାଇଁ ଏକ ବାସ୍ତବଧର୍ମୀ ଯୋଜନା। ବିରୋଧୀ ଅସହିଷ୍ଣୁ ହୋଇ ଭୟରେ କାଳିଆ ବିରୋଧରେ ଅପପ୍ରଚାର ଓ ବିଭ୍ରାନ୍ତ କରୁଛନ୍ତି। ଏହା ଦୁର୍ଭାଗ୍ୟଜନକ।”

ତେବେ କାଳିଆ ଯୋଜନାରୁ କିଭଳି ରାଜନୀତିକ ଫାଇଦା ମିଳବ ସେଥିପାଇଁ ବି ଗଳାବାଟ ରଖାଯାଇଥିବା କୁହାଯାଉଛି। ଚର୍ଚ୍ଚା ହେଉଛି DBT ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଯିବା ପାଇଁ ବ୍ୟବସ୍ଥା କରାଯାଇଥିଲେ ବି ପ୍ରଥମ ଦଫାରେ ଶିବିର ଆୟୋଜନ କରି ଅର୍ଥ ବାଣ୍ଟିବା ପ୍ରସ୍ତାବକୁ ନେଇ ପ୍ରଶ୍ନ ଉଠିଛି।



from Odisha Reporter http://bit.ly/2EUikqs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages